କୁଲଡିହା ଅଭୟାରଣ୍ୟରୁ ହାତୀର ମୃତଦେହ ଉଦ୍ଧାର, ଦାନ୍ତ ଗାଏବ, ହତ୍ୟାକୁ ବନ ବିଭାଗର ଅସ୍ବୀକାର

ନୀଳଗିରି : ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ତ ଅନ୍ତର୍ଗତ କୁଲଡିହା ଅଭୟାରଣ୍ୟରେ ଏକ ଦନ୍ତାହାତୀକୁ ମାରି ଶିକାରୀମାନେ ଦାନ୍ତ ତାଡ଼ି ନେଇଥିବା ଅନୁମାନ କରାଯାଉଛି। ତେବେ ମୃତହାତୀର ଦାନ୍ତ ଗାଏବ ହୋଇ ଯାଇଥିଲେ ହେଁ ହାତୀଟିକୁ ହତ୍ୟା କରାଯାଇଥିବା ଅଭିଯୋଗକୁ ବନ ବିଭାଗ ଅସ୍ବୀକାର କରିଛି। ମୃତହାତୀର ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି।

ଅଭୟାରଣ୍ୟର କୁଲଡିହା-୧ ବିଟ୍‌ ହାଉସ୍‌ ନିକଟ ଭାଲୁବସା ଜଙ୍ଗଲରେ ଆଜି ସକାଳେ ଏକ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଭାରପ୍ରାପ୍ତ ରେଞ୍ଜର ଲକ୍ଷ୍ମଣ ପ୍ରଧାନଙ୍କୁ ଏ ନେଇ ଜଣାଇଥିଲେ। ଘଟଣା ସମ୍ପର୍କରେ ରେଞ୍ଜର ଶ୍ରୀ ପ୍ରଧାନ ଡିଏଫ୍‌ଓ ବିଶ୍ବରାଜ ପଣ୍ତାଙ୍କୁ ଅବଗତ କରିଥିଲେ। ଫଳରେ ଡିଏଫ୍‌ଓ ଶ୍ରୀ ପଣ୍ଡାଙ୍କ ନିର୍ଦ୍ଦେଶରେ ରେଞ୍ଜର ଶ୍ରୀ ପ୍ରଧାନ ପ୍ରାଣୀ ଚିକିତ୍ସକ ଡା. ବୁଦ୍ଧିରାମ ରାଉଳଙ୍କୁ ନେଇ ଶବ ବ୍ୟବଚ୍ଛେଦ କରାଇଥିଲେ। ବ୍ୟବଚ୍ଛେଦ ପରେ ହାତୀଟିକୁ ଜଙ୍ଗଲରେ ପୋତି ଦିଆଯାଇଥିଲା। ଏହି ସମୟରେ ବନ ବିଭାଗ ପକ୍ଷରୁ କୁଲଡିହା ସେକ୍‌ସନ୍‌ ଫରେଷ୍ଟର କିଶୋର ଭୂୟାଁ, ଜଡ଼ାଚୁଆ ଫରେଷ୍ଟର ପରମାନନ୍ଦ ନାୟକ, ଝରଣାଘାଟି ସୌମ୍ୟ ମାଝୀ, ପଞ୍ଚଲିଙ୍ଗେଶ୍ବର ଫରେଷ୍ଟ ଗାର୍ଡ ଉମାକାନ୍ତ ଜେନା, ଫରେଷ୍ଟ ଗାର୍ଡ ଲାଲମୋହନ ସିଂ, ହୃଷୀକେଶ ପ୍ରଧାସଙ୍କ ସହ ଫରେଷ୍ଟ ଗାର୍ଡ ସବୁଜ ବାହିନୀ ଉପସ୍ଥିତ ଥିଲେ। ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ନେଇ ୭/୧୯-୨୦‌େର ଏକ ମାମଲା ରୁଜୁ କରାଯାଇଛି।

ଅନ୍ୟପଟେ ହାତୀର ମୃତ୍ୟୁ ସଂପର୍କରେ ବନ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏପରି କି ତାକୁ ହତ୍ୟା କରାଯାଇଥିବା କଥାକୁ ମଧ୍ୟ ବିଭାଗ ସ୍ବୀକାର କରୁନଥିବା ଜଣାପଡ଼ିଛି। ଡିଏଫ୍‌ଓ ଶ୍ରୀ ପଣ୍ତାଙ୍କୁ ପଚାରିବାରୁ ‌‌ସେ ତଦନ୍ତ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି। ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ; ହାତୀଟିକୁ ୫/୬ ଦିନ ତଳେ ହତ୍ୟା କରି ତା’ର ଦୁଇଟି ଦାନ୍ତକୁ ଶିକାରୀମାନେ ତାଡ଼ି ନେଇଛନ୍ତି।

ସମ୍ବନ୍ଧିତ ଖବର