ନନ୍ଦନକାନନରେ ହାତୀଙ୍କ ପାଇଁ ଘାତକ ସାଜିଛି ହର୍ପିସ୍‌ ଭୂତାଣୁ : ଜୀବନ ଯୁଦ୍ଧରେ ହାରିଗଲା ୭ବର୍ଷର ଛୁଆ ହାତୀ ‘ଗୌରୀ’

୩୦ ଘଣ୍ଟାରେ ଦୁଇ ହାତୀଙ୍କ ଜୀବନ ଗଲା, ନନ୍ଦନକାନନରେ ହାତୀ ସଂଖ୍ୟା ୪କୁ ଖସିଲା, କେରଳ, ଆସାମ ଓ ଆମେରିକାର ବିଶେଷଜ୍ଞଙ୍କ ସହ କଥା ହୋଇଛୁ: ପିସିସିଏଫ୍‌

ଭୁବନେଶ୍ବର/ବାରଙ୍ଗ : ନନ୍ଦନକାନନରେ ହାତୀଙ୍କ ପାଇଁ ଘାତକ ସାଜିଛି ହର୍ପିସ୍‌ ଭୂତାଣୁ। ଏମିତି ଯେ ମାତ୍ର ୩୦ ଘଣ୍ଟା ବ୍ୟବଧାନରେ ଦୁଇ ଦୁଇଟି ହାତୀଙ୍କ ଜୀବନ ଗଲାଣି। ଗତକାଲି ‘କମଳା’ ପ୍ରାଣ ହରାଇଲା। ଆଜି ଜୀବନ ଯୁଦ୍ଧରେ ହାରିଯାଇଛି ୭ବର୍ଷର ଛୁଆ ହାତୀ ‘ଗୌରୀ’। ଆଜି ରାତିରେ ହର୍ପିସ ଭୂତାଣୁ ସଂକ୍ରମଣରେ ତାର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ଧରି ସେ ଅକଥନୀୟ କଷ୍ଟ ପାଉଥିଲା। ଏଥିସହିତ ମାତ୍ର ୨୬ ଦିନରେ ନନ୍ଦନକାନନରେ ୪ଟି ହାତୀଙ୍କ ପ୍ରାଣ ଗଲାଣି। ପୂର୍ବରୁ ‘ଜୁଲି’ ଓ ‘ଚନ୍ଦନ’ ପ୍ରାଣ ହରାଇଥିଲେ। ଗତକାଲି ‘କମଳା’ର ଜୀବନ ଯାଇଥିଲା। ଏଥିସହିତ ନନ୍ଦନକାନନରେ ହାତୀଙ୍କ ସଂଖ୍ୟା ୮ରୁ ୪କୁ ହ୍ରାସ ପାଇଛି। ‘ଗୌରୀ’ର ମୃତ୍ୟୁ ଘଟଣା ନନ୍ଦନକାନନ କର୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। କାରଣ ୨ ବର୍ଷର ହାତୀ ‘ମାମା’ ପ୍ରତି ମଧ୍ୟ ହର୍ପିସ ସଂକ୍ରମଣ ବିପଦ ରହିଛି। ନନ୍ଦନକାନନ ଅଧିକାରୀମାନେ ତାକୁ ଜଗି ରହିଛନ୍ତି।

ଅନ୍ୟପକ୍ଷରେ ସ୍ଥିତି କ୍ରମଶଃ ସାଂଘାତିକ ଆଡକୁ ଯାଉଥିଲେ ହେଁ, ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ହେୟଜ୍ଞାନ ସମସ୍ତଙ୍କୁ ଚକିତ କରିଛି । ସଂକ୍ରମଣ ବ୍ୟାପିବାକୁ ୨୬ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ ଏ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇନି। ଖାଲି ହାତୀମାନଙ୍କୁ ଅଲଗା ଅଲଗା ରଖି ଚୁପ୍‌ ବସିଛନ୍ତି।

ପିସିସିଏଫ୍‌(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ଆଜି ଗଣମାଧ୍ୟମରେ କହିଛନ୍ତି ଯେ ହାତୀ ମୃ୍ତ୍ୟୁ ନେଇ ଆମେ‌ କେରଳ, ଆସାମ ଓ ଆମେରିକାର ବିଶେଷଜ୍ଞଙ୍କ ସହ କଥା ହୋଇଛୁ। ସେମାନଙ୍କ ସହ ଯୋଗାଯୋଗରେ ଅଛୁ। ଛୁଆ ହାତୀ ଗୌରୀର ଅବସ୍ଥା ଭଲ ରହିଛି। ଧୀରେ ଧୀରେ ସୁସ୍ଥ ହେଉଛି। ହେଲେ ସକାଳର ଏ ସୁସ୍ଥତା ଖବର ଦେଇଥିବା ବନ ବିଭାଗ ଅଧିକାରୀ ସନ୍ଧ୍ୟାରେ ଅସହାୟ ହୋଇପଡିଥିଲେ, ଯେତେବେଳେ ‘ଗୌରୀ’ର ଅବସ୍ଥା ଧୀରେ ଧୀରେ ଖରାପ ଆଡକୁ ଗତି କରିଥିଲା। ଅପରାହ୍ନରେ ଗୌରୀ ଦେହର ରଙ୍ଗ ବଦଳିବାକୁ ଲାଗିଥିଲା। ଜିଭ ରକ୍ତାକ୍ତ ଦେଖାଯାଉଥିଲା। ଅଧିକାଂଶ ସମୟ ସେ ଘୁମାଉଥିଲା। ତେଣୁ ତାକୁ ମଧ୍ୟ ଏହି ଭାଇରସ ଆକ୍ରାନ୍ତ କରିଥିବା ଆଶଙ୍କା କରି ଅଧିକାରୀମାନେ ଚିକିତ୍ସା ଆରମ୍ଭ କରିଥିଲେ। ସାଲାଇନ୍ ଓ ପ୍ରତିଷେଧକ ଦିଆଯାଇଥିଲା। ଆମେରିକା ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଦୁଇ ଦୁଇ ଥର ଆଣ୍ଟି କ୍ଲୋଭର ଟିକା ଦିଆଯିବା ପରେ ମଧ୍ୟ ତାକୁ ବଞ୍ଚାଇ ରଖିପାରିନଥିଲେ ଡାକ୍ତରମାନେ। ଗତକାଲି ଛୁଆ ହାତୀ କମଳା କ୍ଷେତ୍ରରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା। ପୂର୍ବାହ୍ନରେ ତାର ସ୍ବାସ୍ଥ୍ୟରେ ସୁଧାର ଆସୁଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ଅପରାହ୍ନରେ ବିଗିଡିଯିବା ସହିତ କେଇ ମୁହୂର୍ତ ମଧ୍ୟରେ ସେ ପ୍ରାଣ ହରାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ୨୦୦୯ ମସିହାରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷ(ସିଜେଡ୍‌ଏ) ସମସ୍ତ ଚିଡ଼ିଆଖାନା କର୍ତୃପକ୍ଷଙ୍କୁ ହାତୀ ସୁରକ୍ଷା ନେଇ ଚିଠି ଲେଖିଥିଲେ। ଚିଡ଼ିଆଖାନାରେ ହାତୀଙ୍କୁ ନ ବାନ୍ଧିବାକୁ ଏଥିରେ ସ୍ପଷ୍ଟ ଭାବେ କୁହାଯାଇଥିଲା। ତେବେ ଏହି ମାର୍ଗଦର୍ଶିକାକୁ ଠିକ୍‌ ଭାବେ ପାଳନ କରାଯାଇ ନଥିବା ଦେଖିବାକୁ ମିଳିଛି। ହାତୀଗୁଡ଼ିକୁ ଗୋଟିଏ ଜାଗାରେ ବାନ୍ଧିବା ଦ୍ବାରା ଗୋଟିଏ ହାତୀ ଭୂତାଣୁ ଆକ୍ରାନ୍ତ ହେଲେ ଅନ୍ୟ ହାତୀମାନେ ବି ଏହାଦ୍ବାରା ସଂକ୍ରମିତ ହେବାର ଆଶଙ୍କା ଥାଏ। ତେଣୁ ଏଭଳି ନ କରିବାକୁ କୁହାଯାଇଥିଲା। ତେ‌ବେ ନନ୍ଦନକାନନରେ ଏହାକୁ ପାଳନ କରାଯାଉ ନ ଥିବା ନେଇ ପ୍ରଶ୍ନର ଉତ୍ତରରେ ପିସିସିଏଫ୍‌ ଶ୍ରୀ ଉପାଧ୍ୟାୟ କହିଛନ୍ତି ଯେ ହାତୀଙ୍କୁ ଯଦି ବାନ୍ଧି ରଖା ନ ଯିବ ତେବେ ବାହାରେ ବୁଲିଲେ। କାହାର କ୍ଷତି କଲେ ଆମକୁ କୈଫୟତ୍‌ ଦେବାକୁ ପଡ଼ିବ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ପ୍ରାଣୀ ବିଶେଷଜ୍ଞ ପ୍ରଫେସର ସୁସେନ କୁମାର ପଣ୍ଡା କହିଛନ୍ତି ଯେ ଅଳ୍ପ ବୟସର ହାତୀଙ୍କୁ ଏଭଳି ଭୂତାଣୁ ସଂକ୍ରମଣ କରିଥାଏ। ପୂର୍ବରୁ ଓଡ଼ିଶାରେ କେବେ ବି ଏ ଭୂତାଣୁ ଦେଖିବାକୁ ମିଳି ନଥିଲା। ଏହି ଭୂତାଣୁର ମୁକାବିଲା ପାଇଁ ଏ ପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବ୍ୟବସ୍ଥା ହୋଇ ନାହିଁ। ‌ଯଦି ଗୋଟିଏ ହାତୀଙ୍କୁ ସଂକ୍ରମଣ ହୁଏ ଅତିବେଶିରେ ଦୁଇ ସପ୍ତାହ ମଧ୍ୟରେ ତାହାର ମୃତ୍ୟୁ ହୋଇଥାଏ। ବଞ୍ଚିବାର ସମ୍ଭାବନା ମାତ୍ର ୧୦ ପ୍ରତିଶତ ରହିଥାଏ। ଗୋଟିଏ ସଂକ୍ରମିତ ହାତୀ ସଂସ୍ପର୍ଶରେ ଆସିଲେ ଆଉ ଗୋଟିଏ ହାତୀକୁ ସଂକ୍ରମିତ ହୋଇଥାଏ। ଏହାର କୌଣସି ଔଷଧ ବାହାରିନି। ନନ୍ଦନକାନନର ଦୁଇଟି ହାତୀଙ୍କ ମୃତ୍ୟୁ ପରେ ଏଭଳି ଭୂତାଣୁ ବ୍ୟାପିଥିବା ଜଣାପଡ଼ିଥିଲା। ଯେଉଁଥିପାଇଁ ଅନ୍ୟ ହାତୀମାନଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ ହୋଇଛି।

ହାତୀ ମଡ଼କକୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆତଙ୍କ ଖେଳିଥିବା ବେଳେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥିବା ହାତୀଗୁଡ଼ିକ ପ୍ରତି ମଧ୍ୟ ଏଭଳି ଭୂତାଣୁ ସଂକ୍ରମଣର ଆଶଙ୍କା ରହିଛି। ତେଣୁ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅଭୟାରଣ୍ୟ ଗସ୍ତ କରି ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ହାତୀଙ୍କ ସୁରକ୍ଷା ଓ ପରିଚାଳନା ପାଇଁ ଆସୁଥିବା ଅର୍ଥର ସୁବିନିଯୋଗ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର