ମାହୁନ୍ତଙ୍କୁ ଘାରିଛି ଭୟ, କଟା ହେବ ରାଜକୁମାରର ଦାନ୍ତ

ଅନୁଗୁଳ : ଶିମିଳିପାଳରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଅଣାଯାଇଥିବା କୁମ୍‌କୀ ହାତୀ ରାଜକୁମାରର ମାହୁନ୍ତଙ୍କୁ ଏବେ ଭୟ ଘାରିଛି। ରାଜଜକୁମାର ଦାନ୍ତ ଯୋଗୁଁ ଭୟଭୀତ ହୋଇ ପଡ଼ିଛନ୍ତି ଦୁଇ ମାହୁନ୍ତ। ରାଜକୁମାର କାେଳ କେତେବେଳେ କିଛି କରି ପକାଇବାର ଆଶଙ୍କା କରି ତା’ର ଗୁଜିଆ ଦାନ୍ତର କିଛି ଅଂଶ କାଟିବା ପାଇଁ ନିକଟରେ ପ୍ରସ୍ତାବ ଦେଇଥିଲେ। ସାତକୋଶିଆ ବନଖଣ୍ଡ ପକ୍ଷରୁ ଏ ସଂକ୍ରାନ୍ତରେ ପିସିସିଏଫ୍‌ଙ୍କ ଅନୁମତି ଲୋଡ଼ା ଯାଇଥିଲା। ପିସିସିଏଫ୍ ଅନୁମତି ପ୍ରଦାନ କରିସାରିଥିବା ବେଳେ ଏବେ ଦାନ୍ତ କାଟିବା ପାଇଁ ପ୍ରସ୍ତୁତି ଚାଲିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ଜଗାରଖା ପାଇଁ କୁମ୍‌କୀ ହାତୀର ଆବଶ୍ୟକତାକୁ ଦେଖି ଶିମିଳିପାଳରୁ ମହେନ୍ଦ୍ର ଓ ତା’ର ପୁଅ ରାଜକୁମାରକୁ ଗତ ୨୭ ଜାନୁଆରି ୨୦୧୯ରେ ସାତକୋଶିଆକୁ ଅଣାଯାଇଥିଲା। ସାତକୋଶିଆକୁ ଆସିବା ଦିନଠାରୁ ଏହି ବାପ-ପୁଅ ଯୋଡ଼ି ଟିକରପଡ଼ା ହାତୀଶାଳରେ ରହିଛନ୍ତିି। ୨୦୦୧ ମସିହାରେ ସୁଦୂର କର୍ଣ୍ଣାଟକରୁ ଶିମିଳିପାଳ ଆସିଥିଲା ୫୮ ବର୍ଷୀୟ ମହେନ୍ଦ୍ର। ଶିମିଳିପାଳରେ ଜଙ୍ଗଲ ମାଫିଆଙ୍କ ନିୟନ୍ତ୍ରଣ, ମହାବଳ ମନିଟରିଂ ସାଂଗକୁ ପର୍ଯ୍ୟଟନ କ୍ଷେତ୍ରରେ ବି ମହେନ୍ଦ୍ରକୁ ବ୍ୟବହାର କରାଯାଇଥିଲା। ୧୬ବର୍ଷୀୟ ପୁଅ ରାଜକୁମାର ବି ବାପା ମହେନ୍ଦ୍ରଠୁ କିଛି କମ୍ ନୁହେଁ। ଉଭୟଙ୍କୁ ଶିମିଳିପାଳ କର୍ତୃପକ୍ଷ ଗୁରୁଗୁଡ଼ିଆରେ ରଖିଥିଲେ। ସାତକୋଶିଆକୁ ମଧ୍ୟପ୍ରଦେଶରୁ ମହାବଳ ବାଘ ଓ ବାଘୁଣୀ ପହଞ୍ଚିବା ପରେ ସାତକୋଶିଆ କର୍ତୃପକ୍ଷ ୨୦୧୮ ମସିହା ଜୁନରେ ଏମାନଙ୍କୁ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଅପରପକ୍ଷରେ ବାଘୁଣୀ ‘ସୁନ୍ଦରୀ’ ଲାଗି ଚନ୍ଦକାରୁ ମାଈ ହାତୀ ଯଶୋଦାକୁ ଅଣାଯାଇଥିଲା। ଆଉ ୬ ନଭେମ୍ବର ୨୦୧୮ରେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରି ରାଇଗୁଡ଼ା ଏନ୍‌କ୍ଲୋଜରରେ ରଖାଯାଇଛି। ତେବେ ଏହାର କିିଛିଦିନ ପରେ ଯଶୋଦା ଜଣେ ମାହୁନ୍ତକୁ ଦଳି ମାରି ଦେଇଥିଲା। ଏଭଳି ସ୍ଥିତିିରେ ରାଜକୁମାର ଗୁଜିଆ ଦାନ୍ତକୁ ଦେଖି ମାହୁନ୍ତମାନେ କୌଣସିି ରିିକ୍ସ ନେବାକୁ ଚାହୁଁ ନାହାନ୍ତି। ଏପରିକି ଗତ ୪ ମାସ ମଧ୍ୟରେ ଅଳ୍ପ ଦିନ ପାଇଁ ରାଜକୁମାରକୁ ଧରି ଜଂଗଲକୁ ଯାଇଛନ୍ତି। ରାଜକୁମାରର ଦାନ୍ତର ଲମ୍ବ ପ୍ରାୟ ଅଢ଼େଇ ଫୁଟ୍ ରହିଛି। ଏହାର ୩୦ ପ୍ରତିଶତ ପର୍ଯ୍ୟନ୍ତ କଟାଯିବାର ଯୋଜନା ରଖିଛି। ଦାନ୍ତ କଟାଯିବା ପରେ ନିୟମ ମୁତାବକ ତାହା ଅନୁଗୁଳ ଜିଲ୍ଲା ଟ୍ରେଜେରିରେ ରଖାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର