ବାଘ ଧରିବାକୁ ହାତୀର ସାହାଯ୍ୟ ନିଅାଗଲା : ‘ସୁନ୍ଦରୀ’ ପାଇଁ ସାତକୋଶିଆ ଫେରିଲା ‘ଯଶୋଦା’

ଅନୁଗୁଳ: ବାଘକୁ ଧରିବା ଲାଗି ହାତୀ ପଠାଯାଇଛି ସାତକୋଶିଆ।  ବନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଛି। ଆତଙ୍କ ଖେଳାଇ ସାରା ରାଜ୍ୟରେ ଆଲୋଚନାର ପରିସରକୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚନ୍ଦକା ଗୋଡ଼ିବାରୀରୁ ହାତୀ ‘ଯଶୋଦା’କୁ  ସାତକୋଶିଆ ପଠାଯାଉଛି । ଭୁବନେଶ୍ୱରରୁ ଯଶୋଦାକୁ ଏକ ଟ୍ରକ ଯୋଗେ ଅଣାଯାଉଛି। ଯଶୋଦା ଶନିବାର ସୁଦ୍ଧା ସାତକୋଶିଆ ଅଭୟାରଣ୍ୟରେ ପହଞ୍ଚିବ । ସାଥୀରେ ୪ ଜଣ ମାହୁନ୍ତ ଓ ବନ କର୍ମଚାରୀ ମଧ୍ୟ ଅଛନ୍ତି। ସୁନ୍ଦରୀକୁ ଯଶୋଦା ସହାୟତାରେ ଟ୍ରାଙ୍କୁଲାଇଜ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବହୁ ଦିନ ପର୍ଯ୍ୟନ୍ତ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାରେ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଶେଷରେ ଏହା କରାଯାଇଛି।

ସାତକୋଶିଆରେ ଆଧିପତ୍ୟ ବିସ୍ତାର କରିଥିବା ବାଘୁଣୀ ‘ସୁନ୍ଦରୀ’ ମଣିଷ ଓ ପଶୁ ମାରିବା ପରେ ବନ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ଗତ ଅକ୍ଟୋବର ୨୩ରୁ ଓଡ଼ିଶାର ୩ଟି ଟିମ୍‌ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ଯୋଜନା କରୁଥିବା ବେଳେ ଅକ୍ଟୋବର ୩୦ରୁ ମଧ୍ୟପ୍ରଦେଶରୁ ଆସିଥିବା ଟିମ୍‌ ବାଘୁଣୀକୁ ଖୋଜୁଛନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ବର୍ତ୍ତମାନ ସୁନ୍ଦରୀକୁ ଧରିବା ପାଇଁ ଓଡ଼ିଶାର ୩ଟି ଟିମ୍‌ (ଓୟୁଏଟି, ନନ୍ଦନକାନନ ଏବଂ ଶିମିଳିପାଳ) ଲାଗିଛନ୍ତି।

ସୂଚନାଯୋଗ୍ୟ ସାତକୋଶିଆ ଅଭୟାରଣ୍ୟରୁ ହାତୀ ‘ଯଶୋଦା’କୁ ଚନ୍ଦକା ଅଭୟାରଣ୍ୟ ଅଣାଯାଇଥିଲା। ଏବେ ଆଶା କରାଯାଉଛି ଯେ, ସାତକୋଶିଆରେ ଯେହେତୁ ‘ଯଶୋଦା’ର ଅଭିଜ୍ଞତା ରହିଛି, ସୁନ୍ଦରୀ ସହଜରେ ଧରାପଡ଼ିଯାଇପାରେ।

ସମ୍ବନ୍ଧିତ ଖବର