ହାତୀ ଦାନ୍ତ ଜବତ, ୩ ଦୁର୍ବୃତ୍ତ କୋର୍ଟଚାଲାଣ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କୁମଖାଲ ପଞ୍ଚାୟତ ଲୁମା ସଂରକ୍ଷିତ ଜଙ୍ଗଲରେ ହାତୀ ମାରି ଦାନ୍ତ ନେଇଯିବା ଘଟଣାରେ ବନ ବିଭାଗ ମଙ୍ଗଳବାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଦୁଇ ଦାନ୍ତ ଜବତ କରାଯାଇଛି। ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତ ୨୪ ତାରିଖ ଦିନ ବିଶ୍ୱନାଥପୁର-ବିଜେପୁର ରାସ୍ତାର ହତୀଶାଳ ଘାଟି ଖଜୁରଗୁଡ଼ା ଓ ଲୁମା ଗାଁ ମଧ୍ୟବର୍ତ୍ତୀ ସ୍ଥାନରେ ଦନ୍ତା ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଡିଏଫଓ ଟି. ଅଶୋକ କୁମାର, ଏସିଏଫ ମଳୟ ରଞ୍ଜନ କାଲୁ, ରେଞ୍ଜ ଅଫିସର ଲକ୍ଷ ମହାନନ୍ଦଙ୍କ ସହ ପୁଲିସ କର୍ମଚାରୀ ଓ ବିଶ୍ୱନାଥପୁର ରେଞ୍ଜ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ପରେ ସନ୍ଧ୍ୟା ୬ଟାରେ ବନ ଓ ପୁଲିସ ବିଭାଗ କର୍ମଚାରୀ କୁମଖାଲ ପଂଚାୟତର ଖଜୁରଗୁଡା ଗାଁକୁ ଯାଇ ଦିଗାମ୍ବର ସାହୁ, ନାକ ପାତ୍ର ଓ ସୁରେନ୍ଦ୍ର ଘଡ଼େଇଙ୍କୁ କାବୁ କରିଥିଲେ। ୩ ଜଣଙ୍କୁ ରେଞ୍ଜ ଅଫିସ ଆଣି ଜେରା କରାଯିବା ପରେ ରାତି ୧୨ଟାରେ ହାତୀ ଦାନ୍ତ କାଟିଥିବା ସ୍ୱୀକାର କରିଥିଲେ। ମଙ୍ଗଳବାର ଦିନ ୨ଟାରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର