କୂଅରେ ଗଳି ପଡ଼ିଲା ହାତୀ 

୧୨ ଘଣ୍ଟାର କସରତ ପରେ ଉଦ୍ଧାର

କିଶୋରନଗର : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତ କଂସାରୀକୁଦ ଗାଁର ରବୀନ୍ଦ୍ର ପ୍ରଧାନଙ୍କ ୨୦ ଫୁଟ୍‌ ଗଭୀରର ଖୋଲା ମାଟି କୂଅରେ ଏକ ମାଈ ହାତୀ ଗଳି ପଡ଼ିଥିଲା। ଦୀର୍ଘ ୧୨ ଘଣ୍ଟାର ପରିଶ୍ରମ ପରେ ଆଜି ସନ୍ଧ୍ୟାରେ ହାତୀଟିକୁ କୂଅରୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୩୦ଟି ହାତୀ ଆଖପାଖ ଅଞ୍ଚଳରେ ଘୂରି ବୁଲୁଛନ୍ତି। ଶ୍ରୀ ପ୍ରଧାନଙ୍କ କୂଅ ନିକଟସ୍ଥ ବାଉଁଶ ଗଛରୁ ପତ୍ର ଖାଇବା ପାଇଁ ଗତକାଲି ରାତିରେ ମାଈହାତୀଟି ଆସିଥିବା ବେଳେ କୂଅ ଭିତରେ ଗଳି ପଡ଼ିଥିଲା। ପ୍ରାୟ ୧୦ ଫୁଟ୍‌ ଗଭୀର ପାଣିରେ ହାତୀଟି ବୁଡ଼ି ରହିଥିଲା। ଆଜି ସକାଳେ ଗ୍ରାମବାସୀ କୂଅ ଭିତରେ ହାତୀକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ।

ଆଠମଲ୍ଲିକ ଡିଏଫ୍‌ଓ ସୌମ୍ୟକ ସାମନ୍ତରାୟ, ବାମୁର ରେଞ୍ଜର ଚିତ୍ତରଞ୍ଜନ ପ୍ରଧାନ, କଦଳୀମୁଣ୍ଡା ଫରେଷ୍ଟର ସୁବ୍ରତ ଶତପଥୀ, ଜୟନ୍ତ ଦାଶଙ୍କ ସମେତ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜେସିବି ଲଗାଇ ସକାଳୁ ସନ୍ଧ୍ୟା ଯାଏ ମାଟି କୂଅକୁ ଭଙ୍ଗା ଯାଇଥିଲା। ହାତୀ ବାହାରିବା ପାଇଁ କୂଅରୁ ରାସ୍ତା ତିଆରି କରାଯାଇଥିଲା। ଦୀର୍ଘ ୧୨ ଘଣ୍ଟାରୁ ଉର୍ଧ୍ୱ ସମୟ ଧରି କସରତ ପରେ ହାତୀଟି ସନ୍ଧ୍ୟାରେ କୂଅରୁ ବାହାରି ସ୍ଥାନୀୟ ଦିଗି ପାହାଡ଼ ଜଙ୍ଗଲକୁ ପଳାଇଥିଲା। ହାତୀକୁ ଦେଖିବା ପାଇଁ ଘଟଣାସ୍ଥଳରେ ବହୁ ଲୋକଙ୍କ ଭିଡ଼ ଜମିଥିଲା।

ସମ୍ବନ୍ଧିତ ଖବର