ସାତକୋଶିଆରେ ‘ ଅପରେସନ୍‌ ସୁନ୍ଦରୀ’ : ଯଶୋଦା ଗଲା, ନନ୍ଦକୁ ନେଲେନି

ଭୁବ‌ନେଶ୍ବର/ବାରଙ୍ଗ : ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ନୟାନ୍ତ ହେଲଣି ବନ ବିଭାଗ। ୧୦ ଦିନ ଧରି ଝାଳନାଳ ବୁହାଇବା ପରେ ଶେଷରେ କୁମ୍‌କି ହାତୀର ସହୟତା ନେଇଛି। ପ୍ରଥମରୁ ଖାଲି ହାତରେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବାକୁ ଉଦ୍ୟମ କରାଯାଉଥିଲା। ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଅନ୍ଧାରରେ ବାଡ଼ି ବୁଲାଉଥିଲା ବନ ବିଭାଗ। ସବୁଥିରେ ଫେଲ୍‌ ମାରିବା ପରେ ବିଭାଗ ପକ୍ଷରୁ ଶିମିଳିପାଳରୁ କୁମ୍‌କି ହାତୀ ‘ରାଜକୁମାର’କୁ ଆଣିବାକୁ ଯୋଜନା କରିଥିଲେ। ସେଥିରେ ବିଫଳ ହେବା ପରେ ଚନ୍ଦକା ଅଭୟାରଣ୍ୟରେ ଥିବା ତାଲିମପ୍ରାପ୍ତ ହାତୀ ‘ଯଶୋଦା’କୁ ଆଜି ସା‌ତକୋଶିଆ ନିଆଯାଇଛି। ସନ୍ଧ୍ୟାରେ ‘ଯଶୋଦା’, ୪ ଜଣ ମାହୁନ୍ତଙ୍କୁ ମିଶାଇ ଏକ ୧୨ ଜଣିଆ ଟିମ୍‌ ସାତକୋଶିଆ ଅଭିମୁଖେ ଯାଇଛି।

ଚନ୍ଦକା ଅଭୟାରଣ୍ୟରେ ୩ଟି ତାଲିମପ୍ରାପ୍ତ ହାତୀ ରହିଛନ୍ତି। ସେମାନେ ‘କୁମ୍‌କି’ର ସମ୍ପୂର୍ଣ୍ଣ ତାଲିମ ନେଇ ନଥିଲେ ମଧ୍ୟ ବାଘ ଧରିବା କାର୍ଯ୍ୟରେ କିଛି ମାତ୍ରାରେ ସାହାଯ୍ୟ କରିବେ। ତାଲିମପ୍ରାପ୍ତ ହୋଇଥିବାରୁ ତାଙ୍କ ଉପରେ ବସି ବାଘକୁ ଟ୍ରାଙ୍କୁଲାଇଜ୍‌ କରିହେବ। ଏହାକୁ ଦୃଷ୍ଟିରେ ରଖି ଚନ୍ଦକାରେ ଥିବା ‘ନନ୍ଦ’ ଓ ‘ଯଶୋଦା’କୁ ସାତକୋଶିଆକୁ ନେବା ପାଇଁ ବନ ବିଭାଗ ଚିନ୍ତା କରୁଥିଲା। କିନ୍ତୁ ‘ନନ୍ଦ’ ଉପରେ ଭରସା ପାଇଲା ନାହିଁ। ‘ନନ୍ଦ’ ତାଲିମପ୍ରାପ୍ତ ହୋଇଥିଲେ ମଧ୍ୟ ବିଶ୍ବାସଯୋଗ୍ୟ ନୁହେଁ। ‘ନନ୍ଦ’ ଅମାନିଆ। ଜଙ୍ଗଲୀ ହାତୀକୁ ଘଉଡ଼ାଇବାରେ ତ’ର କାର୍ଯ୍ୟ ସନ୍ତୋଷଜନକ ନୁହେଁ। ‘ନନ୍ଦ’ ନନ୍ଦନକାନନରେ ଥିବା ବେଳେ ଜଣେ ମାହୁନ୍ତ ବି ମାରିସାରିଛି। ‌ତେଣୁ ଏସବୁକୁ ଦୃଷ୍ଟିରେ ରଖି ‘ସୁନ୍ଦରୀ’ ଅଭିଯାନରୁ ‘ନନ୍ଦ’କୁ ବାଦ୍‌ ଦିଆଯାଇଥିଲା। ଦିନତମାମ ବୈଠକ ହେବା ପରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ‘ଯଶୋଦା’କୁ ସାତକୋଶିଆ ନେବା ପାଇଁ ବନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ‘ଯଶୋଦା’ ବହୁ ବର୍ଷ ହେଲା ଚନ୍ଦକା‌ରେ ରହିଛି। ଜଙ୍ଗଲୀ ହାତୀକୁ ବାଟକୁ ଆଣିବା, ଜଙ୍ଗଲରୁ ଶିକରୀକୁ ଘଉଡ଼ାଇବା ଆଦି ବିଷୟରେ ‘ଯଶୋଦା’ ବେଶ୍‌ ତାଲିମପ୍ରାପ୍ତ। ଅନ୍ୟ ହାତୀମାନଙ୍କୁ ସେ ତାଲିମ ଦେଇଛି। ଏକ ୬ ଚକିଆ ଟ୍ରକ୍‌ରେ ସାତକୋଶିଆ ଅଭିମୁଖେ ‘ଯଶୋଦା’କୁ ନିଆଯାଇଛି। ସାଙ୍ଗରେ ଆଉ ୩ଟି ଗାଡ଼ିରେ ୧୨ ଜଣିଆ ଏକ ଟିମ୍‌ ରହିଛନ୍ତି। ଏଥିରେ ଏସିଏଫ୍‌ ହିମାଂଶୁ ଶେଖର ମହାନ୍ତି, ରମାକାନ୍ତ ନାୟକ, ଚନ୍ଦକା ରେଞ୍ଜର ମାନସ ମହାନ୍ତି, ଡମପଡ଼ା ରେଞ୍ଜର ସଂଗ୍ରାମ ମହାନ୍ତି, ଫରେଷ୍ଟର ପରିକ୍ଷୀତ ଭୂୟାଁ, ସମୀର ବେହେରା, ଫରେଷ୍ଟ ଗାର୍ଡ ରାଜେଶ ସେଠୀ, ନନ୍ଦନକାନ୍ଦନ ଡା‌. ଶରତ ସାହୁ ରହିଥିଲେ।

ସମ୍ବନ୍ଧିତ ଖବର