ହାତୀପଲ ବଦଳାଇଦେଲେ ଠିକଣା : ବିସ୍ଥାପିତ ଜୀବନ ବିତାଉଛନ୍ତି ୩ ଗାଁର ଲୋକେ

ରାୟଗଡା : ହାତୀପଲର ଆତଙ୍କ ବଦଳାଇ ଦେଇଛି ସୀମାନ୍ତ ଗ୍ରାମବାସୀଙ୍କ ଠିକଣା। ବିସ୍ଥାପିତ ଜୀବନ ବିତାଉଛନ୍ତି କେରେଡା ପଂଚାୟତର ଅନିଜା, ବୋରହଲୁଆ ଓ ଏମ୍ପଲୱାଲସା ଗ୍ରାମବାସୀ। ପାହାଡ, ଜଙ୍ଗଲ ଏବଂ ଗଛ ଉପରେ ନିର୍ମିତ ମଞ୍ଚା ଗ୍ରାମବାସୀଙ୍କ ପାଇଁ ପାଲଟିଛି ନୂଆ ଠିକଣା। ଦିନରାତି ଗ୍ରାମବାସୀ ପାହାଡ ଉପରେ ଫସଲ ସହିତ ଘରଦ୍ବାରକୁ ଜଗି ରହିଛନ୍ତି। ହାତୀପଲ ବାରମ୍ବାର ଜନବସତିମୁହାଁ ହେବାପରେ ସୁରକ୍ଷିତ ଜୀବନଯାପନ କରିବା ପାଇଁ ସାହସ ଜୁଟାଇ ପାରୁନାହାନ୍ତି ଲୋକେ। ଏପରି ସ୍ଥିତିରେ ବେଡି ଉପରେ କୋରଡା ମାଡ଼ ସଦୃଶ୍ୟ ହୋଇଛି ବିଦ୍ୟୁତ୍ ସେବା। ୧୨ ଦିନ ହେଲା ୩ ଗ୍ରାମକୁ ବିଦ୍ୟୁତ୍ ଯୋଗାଣ ସଂପୂର୍ଣ ଭାବେ ବନ୍ଦ ହୋଇଛି। ଘର ଛାଡ଼ି ଦିନ ଦିନ ବାହାରେ ରହିବାକୁ ବାଧ୍ୟ ହୋଇଥିବାରୁ ସାଧାରଣ ଜୀବନ ଯାପନ ଦୁର୍ବିସହ ହୋଇଯାଇଛି। ବଣୁଆ ଜନ୍ତୁଙ୍କ ଯୋଗୁଁ ଯମ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ।

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଛାଡି ଅନ୍ୟତ୍ର ଯାଉ ନାହାନ୍ତି ହାତୀପଲ। ରାତିରେ ଆନ୍ଧ୍ର, ସକାଳେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଦୀର୍ଘ ଦୁଇ ସପ୍ତାହ ଧରି ହାତୀପଲ ଉତ୍ପାତରେ ଉଭୟ ଗ୍ରାମବାସୀ ଓ ବନ ବିଭାଗ ଅତିଷ୍ଠ ହୋଇ ପଡିଲେଣି। ହାତୀ ଘଉଡାଇବା ପାଇଁ ବନ ବିଭାଗ ସବୁ ପଦକ୍ଷେପ ନେଇ ସାରିଥିବା ବେଳେ ଦୁଇ ରାଜ୍ୟ ବନ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ହାତୀପଲ ଘଞ୍ଚ ଜଂଗଲମୁହାଁ ହୋଇ ପାରୁ ନାହାନ୍ତି। ଯାହା ଫଳରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ହାତୀଙ୍କ ଚଳ ପ୍ରଚଳ ଯୋଗୁ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇପାରୁନଥିବାରୁ ୩ ଗ୍ରାମରେ ସଂଜ ନଇଁବା କ୍ଷଣି ରାଜୁତି କରୁଛି ଅନ୍ଧାର। ଡିବିରି ଆଲୁଅ ପିଲାଙ୍କ ପାଠପଢ଼ାର ସାହା ଭରସା ପାଲଟିଛି। ବିଦ୍ୟୁତ ସେବା ଠପ୍ ଯୋଗୁ ପାନୀୟ ଜଳ ଯୋଗାଣ ହୋଇପାରୁ ନଥିବାରୁ ନାଗାବଳୀ ନଦୀର ଜଳ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି। ମୋବାଇଲ୍ ଚାର୍ଜ ପାଇଁ ଗ୍ରାମବାସୀ ପଂଚାୟତ ମୁଖ୍ୟାଳୟ କେରେଡାକୁ ଆସୁଥିବା ବେଳେ ଅନିଜା ଗ୍ରାମରେ ଥିବା ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲରେ ଛାତ୍ରଛାତ୍ରୀ ଶୌଚଠୁ ଆରମ୍ଭ କରି ପାଠପଢ଼ା ସବୁ କ୍ଷେତ୍ରରେ ହଇରାଣ ହରକତ ହେଉଛନ୍ତି। ଆଜି ରାୟଗଡା ଡିଏଫଓ ଦେବାର୍ଚନା ବେହେରା ୩ ଗ୍ରାମ ପରିଦର୍ଶନରେ ଯାଇ ସ୍ଥିତି ସମୀକ୍ଷା କରି ଫେରିଛନ୍ତି।

ସମ୍ବନ୍ଧିତ ଖବର