କେନ୍ଦୁଝରରେ ହାତୀ ଭୟ ଘାରୁଛି : ମଞ୍ଚାରେ ଦିନ କାଟୁଛନ୍ତି ବାପପୁଅ

କେନ୍ଦୁଝର : ଦୁଇମାସରୁ ଊର୍ଦ୍ଧ୍ବ ହେଲା କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍‌ର ବିଜେପି(ଭୂୟାଁ-ଜୁଆଙ୍ଗ ପିଢ଼) ରେଞ୍ଜ, ସଦର ରେଞ୍ଜରେ ଉତ୍ପାତ କରୁଛି ଗୋଠଛଡ଼ା ଦନ୍ତା। କେଉଁଠି ଘର ଭାଙ୍ଗି ଧାନଚାଉଳ ଖାଇଲାଣି ତ ଆଉ କେଉଁଠି ଲୋକଙ୍କୁ କଚାଡ଼ି ମାରିଲାଣି। ଦନ୍ତା ଉପଦ୍ରବରେ ପ୍ରତିଦିନ ମୃତ୍ୟୁକୁ ପାଖରୁ ଦେଖୁଥିବା ବାଂଶପାଳ ବ୍ଲକର ପାଟପାଣି ସାହିବାସୀଙ୍କୁ ଜୀବନ ବଞ୍ଚାଇବା ପାଇଁ ଏବେ ମଞ୍ଚା ଖୋଜିବାକୁ ପଡ଼ିଲାଣି। ସାହିର ଭଦିଆ ମହାକୁଡ଼ ଦନ୍ତା ଭୟରେ ନିଜ ୫ ବର୍ଷରୁ ଶିଶୁପୁତ୍ରକୁ ନେଇ ମଞ୍ଚାରେ ଦିନ କାଟୁଛନ୍ତି।

ଭଦିଆ ଜଣେ ଦିନ ମଜୁରିଆ। ସ୍ତ୍ରୀ ତାଙ୍କ ପାଖରେ ରହୁନଥିବାରୁ ନିଜ ୫ ବର୍ଷର ଶିଶୁପୁତ୍ରକୁ ଧରି ପଲିଥିନ ଟଣା ଘରେ ରହୁଥିଲେ। ଗତ ୧୭ ତାରିଖ ରାତିରେ ଗୋଠଛଡ଼ା ଦନ୍ତା ତାଙ୍କ ଘର ଭାଙ୍ଗି ଧାନଚାଉଳ ଖାଇଗଲା। ହାତୀ ଘର ଭାଙ୍ଗିବା ବେଳେ ଭଦିଆ ଜୀବନ ବଞ୍ଚାଇବା ପାଇଁ ଚତୁରତାର ସହ ପୁଅକୁ ଧରି ଘର ପଛପଟେ ଲୁଚି ପଳେଇ ଯାଇଥିଲା। ଘର ଭାଙ୍ଗି ଯାଇଥିବାରୁ ଭଦିଆ ଏବେ ବାସହରା ‌ହୋଇଯାଇଛି। ୩ ଦିନ ହେଲା ପଡ଼ିଶା ଲୋକଙ୍କୁ ଭାତ ମାଗି ଛୁଆକୁ ଖୁଆଉଛନ୍ତି। ପର ବାରଣ୍ଡାରେ ରାତି ବିତାଉଛନ୍ତି। ହତୀ ପାଇଁ ରାତି ଶୋଇ ପାରୁନାହାନ୍ତି ଭଦିଆ। ଛୁଆକୁ ଶୋଇଦେଇ ନିଜେ ଜଗୁଛନ୍ତି। ହାତୀ କବଳରୁ ଜୀବନ ବଞ୍ଚାଇବା ପାଇଁ ଘର ପାଖରେ ଥିବା ଏକ ଗଛରେ ମଞ୍ଚା ବାନ୍ଧିଛନ୍ତି। ସେହି ମଞ୍ଚାରେ ବାପପୁଅ ଗତକାଲି ରାତି କାଟିଥିଲେ ବୋଲି ଭଦିଆ କହିଛନ୍ତି। ଦୀର୍ଘଦିନ ଧରି ପଲିଥିନ ତଳେ ଦିନ କାଟିବା ପରେ ମଧ୍ୟ ପ୍ରଶାସନର ଦୃଷ୍ଟି ତାଙ୍କ ଉପରେ ପଡ଼ିଲା‌ ନାହିଁ। ସରକାରୀ ଯୋଜନାରେ ତାଙ୍କୁ ଘର ଖଣ୍ଡେ ମିଳିଲା ନାହିଁ। ଏବେ ଗୋଠଛଡ଼ା ଦନ୍ତା ତାଙ୍କ ପଲିଥିନ ଟଣା ଘର ଭାଙ୍ଗି ଦେଇଛି। ଜୀବନ ବଞ୍ଚାଇବା ପାଇଁ ବାପପୁଅ ମଞ୍ଚାରେ ରହୁଛୁ ବୋଲି ଭଦିଆ କହିଛନ୍ତି।

ସମ୍ବନ୍ଧିତ ଖବର