ବୌଦ୍ଧ ସହରରେ ଦନ୍ତା

ବୌଦ୍ଧ : ବୌଦ୍ଧ ସହରରେ ଆଜି ସକାଳୁ ତିନିଟି ଦନ୍ତା ହାତୀ ଆସି ଫସଲ ନଷ୍ଟ କରିବା ସହିତ ଲୋକଙ୍କ ଭିତରେ ଆତଙ୍କ ଖେଳାଇ ରଖିଛନ୍ତି। ସୋମବାର ସକାଳୁ ସକାଳୁ ବୁଟୁପାଲିସ୍ଥିତ ରାମଜାଙ୍ଗୀ ନାଳରେ ତିନିଟି ହାତୀ ଦେଖିବାକୁ ମିଳିଥିଲେ। ଲୋକେ ଶୌଚ ହେବା ପାଇଁ ଯିବା ସମୟରେ ହରଡ଼ ବାଡ଼ି ଭିତରେ ତିନିଟି ଦନ୍ତା ହାତୀ ଦେଖି ଭୟଭୀତ ହୋଇ ପଡିଥିଲେ। ସହର ଭିତରେ ହାତୀ ପଶିଥିବା ଖବର ପ୍ରଚାର ହେବା ପରେ ରାମଜାଙ୍ଗୀ ନାଳ ରାସ୍ତା ଉପରେ ପ୍ରବଳ ଜନଗହଳି ହୋଇଥିଲା। ଦୁଇଟି ବଡ ଦନ୍ତା ହାତୀ ସାଙ୍ଗରେ ଏକ ଛୁଆ ହାତୀ ରହିଛି।

ହାତୀ ସହର ଭିତରକୁ ପଶି ଆସିଥିବା ଖବର ପାଇଲା ପରେ ବନ ବିଭାଗର କର୍ମଚାରୀ ମାନେ ବହୁତ ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମାତ୍ର ଫରେଷ୍ଟ ଗାର୍ଡ, ଫରେଷ୍ଟର , ରେଂଜର ଓ ଏସିଏଫ ସମସ୍ତେ ଉପସ୍ଥିତ ଥିଲେ ମଧ୍ୟ ହାତୀ କିପରି ଘଉଡା ଯିବ ସେ ବିଷୟରେ ଚିନ୍ତା ନକରି ହାତୀର ଫଟୋ ଉଠାଇବାରେ ବନ କର୍ମଚାରୀ ମାନେ ବ୍ୟସ୍ତ ରହିଥିବା ଦେଖାଯାଇଥିଲା। ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଲା ପରେ ବନ ବିଭାଗର କର୍ମଚାରୀ ମାନେ ମାଇକ୍‌ ଖୋଜିଥିଲେ ଲୋକଙ୍କୁ ସତର୍କ କରାଇବା ପାଇଁ। ମାତ୍ର ମାଇକରେ ବ୍ୟାଟେରି ନଥିଲା ପୁଣି ବ୍ୟାଟେରି ଆଣିଲା ପରେ ମାଇକ୍‌ କାମ କରିନଥିଲା।

୫୭ ନମ୍ବର ଜାତୀୟ ରାଜପଥରେ ଜନ ଗହଳି ସାଙ୍ଗକୁ ଯାନ ବାହନ ସଂଖ୍ୟା ବଢ଼ିବା ପରେ ବାଣ ଫୁଟାଇ ହାତୀ ମାନଙ୍କୁ ଘଡଡ଼ା ଯାଇଥିଲା। ତିନିଟି ଯାକ ହାତୀ ଜାତୀୟ ରାଜପଥ ପାରି ହୋଇ ଆର ପଟକୁ ଚାଲିଯାଇଥିଲେ। ରାମଜାଙ୍ଗୀ ନାଳ ପାରି ହୋଇ ହାତୀ ମାନେ ସାନବଙ୍କାପଡା ଗ୍ରାମ ଭିତରେ ପ୍ରବେଶ କରିଥିଲେ। ସେଠାରୁ ପୁଣି ଘଉଡାଇବା ପରେ ମହାନଦୀ କୂଳରେ ଥିବା ସାନବଙ୍କାପଡା ଆମ୍ବ ତୋଟାରେ ହାତୀ ଖବର ଲେଖା ହେବା ଯାଏଁ ରହିଛନ୍ତି। ବନ ବିଭାଗର କର୍ମଚାରୀ ମାନେ ସାନବଙ୍କା ଗ୍ରାମରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡିଛି।

ମାତ୍ର ରାତି ସମୟରେ ହାତୀ କିପରି ଘଉଡା ଯିବ ସେ ନେଇ ସାନବଙ୍କାପଡା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ମହାନଦୀ କୂଳରେ ହାତୀ ଥିବାରୁ ନଦୀକୁ ଗ୍ରାମବାସୀ ଯିବାକୁ ଭୟ କରୁଛନ୍ତି। ଗତକାଲି ରାତିରୁ ଆଠମଲ୍ଳିକ ପଟୁ ହାତୀ ବୌଦ୍ଧକୁ ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ରାତିରୁ ହରଡ, ଧାନ ଆଦି ଫସଲ ବ୍ୟାପକ ଭାବେ ନଷ୍ଟ କରି ହାତୀ ପଲ ଆତଙ୍କ ଖେଳାଇ ରଖିଛନ୍ତି।

ସମ୍ବନ୍ଧିତ ଖବର