ବିଦ୍ୟୁତ୍‌ ଆଘାତ ହାତୀ ମୃତ୍ୟୁ ପାଇଁ କାଳ ସାଜିଛି

ଭୁବନେଶ୍ୱର : ହାତୀକୁ ସଙ୍କଟ ପିଛା ଛାଡ଼ୁନି। ବିଦ୍ୟୁତ ଆଘାତ ହାତୀ ମୃତ୍ୟୁର ଅନ୍ୟ ପ୍ରମୁଖ କାରଣ ପାଲଟିଛି। ସେପ୍ଟେମ୍ବର ୨୦୧୭ରୁ ଏପର୍ଯ୍ୟନ୍ତ କେବଳ ଅନୁଗୁଳ ଜିଲ୍ଲାରେ ୪ ହାତୀଙ୍କ ମୃତ୍ୟୁ ହୋଇଛି। ଗତ ୧୦ ଦିନ ଭିତରେ ୨ ହାତୀଙ୍କର ମୃତ୍ୟୁ ହୋଇଛି। ସାତକୋଶିଆ ଟାଇଗର ରିଜର୍ଭରେ ଆଉ ଏକ ହାତୀର ସଢ଼ି ଯାଇଥିବା ମୃତ ଶରୀର ମିଳିଥିବା ବେଳେ ତା’ର କାରଣ ଜଣାପଡ଼ିନାହିଁ।

୨୦୦୦ ମସିହାରୁ ଏପର୍ଯ୍ୟନ୍ତ ୧୬୭ଟି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। ୨୦୦୦ରୁ ୨୦୧୦ ମସିହା ମଧ୍ୟରେ ୬୭ ହାତୀଙ୍କର ମୃତ୍ୟୁ ହୋଇଛି। ତେବେ ୨୦୧୦ ଏପ୍ରିଲ୍‌ ମାସରୁ ୨୦୧୮ ଅଗଷ୍ଟ ୨୧ ତାରିଖ ମଧ୍ୟରେ ୯୦ଟି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ୩୩ଟି ହାତୀଙ୍କର ଝୁଲନ୍ତା ବିଦ୍ୟୁତ ତାର ଏବଂ ୫୭ଟି ହାତୀଙ୍କର ବିଦ୍ୟୁତ ଯନ୍ତା ଯୋଗୁଁ ମୃତ୍ୟୁ ହୋଇଛି। ଏହି ୮ ବର୍ଷ ମଧ୍ୟରେ ରାଜ୍ୟରେ ବାର୍ଷିକ ୧୧ଟି ହିସାବରେ ହାତୀଙ୍କର ମୃତ୍ୟୁ ଘଟିଛି। ମୁଖ୍ୟତଃ ବିଦ୍ୟୁତ ତାରରେ ନିର୍ମିତ ଶିକାରୀ ଯନ୍ତା, ଝୁଲନ୍ତା ବିଦ୍ୟୁତ ତାର, ବିଦ୍ୟୁତ ବାଡ଼ ଯୋଗୁଁ ମୃତ୍ୟୁ ହେଉଛି ବୋଲି ‘ଓ୍ଵାଇଲ୍‌ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା’ର ସମ୍ପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି।

ସୋସାଇଟି ପକ୍ଷରୁ ଆଜି ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଲେ, ବିଦ୍ୟୁତ ବିତରଣ କମ୍ପାନିମାନଙ୍କର ସିଇଏର ନିୟମାବଳୀ ଏବଂ ଭାରତୀୟ ବିଦ୍ୟୁତ ନିୟମାବଳୀ ୧୯୫୬ର ଉଲ୍ଲଂଘନ ହେଉଛି। ଯଦି କୌଣସି ସ୍ଥାନରେ ବିଦ୍ୟୁତ ଯନ୍ତା ପକାଯାଏ ‘ଆର୍ଥ ଲିକେଜ୍‌ ସର୍କିଟ୍‌ ବ୍ରେକର’ ଦ୍ୱାରା ବିଦ୍ୟୁତ ସଂଯୋଗ କ୍ଷଣକ ମଧ୍ୟରେ ବିଚ୍ଛିନ୍ନ କରାଯାଇପାରିବ। କେନ୍ଦ୍ର ସରକାରଙ୍କ ୪ଜଣିଆ ବିଶେଷଜ୍ଞ ଦଳ ୨୦୧୦ ମସିହାରେ ଏଥିପାଇଁ ଉପଦେଶ ଦେଇଥିଲେ ମଧ୍ୟ ଏହା ପାଳନ କରାଯାଉନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନିଲ ଧୀର୍‌ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର