ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣା: ୧୧ ସସ୍‌ପେଣ୍ଡ, ୫ ଶିକ୍ଷକ ଗିରଫ

ଭୁବନେଶ୍ୱର: ମାଟ୍ରିକ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଶନିବାର ଯାଏଁ ୧୧ ଜଣ କର୍ମଚାରୀ ସସ୍‌ପେଣ୍ଡ ହୋଇଛନ୍ତି। ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୫ ଜଣ ଶିକ୍ଷକଙ୍କୁ ନୂଆପଡ଼ା ଜିଲ୍ଲାର ବୋଡେନ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାର କରଙ୍ଗାମାଲ ହାଇସ୍କୁଲ ସୁପରିନ୍‌ଟେଣ୍ଡେଣ୍ଟ, ୨ ଜଣ ଇନ୍‌ଭିଜିଲେଟର, ଲିଟିସରି ଗୋପୀନାଥ ହାଇସ୍କୁଲ ସୁପରିନ୍‌ଟେଣ୍ଡେଣ୍ଟ ଓ କ୍ରୀଡା ଶିକ୍ଷକ ଗିରଫ ହୋଇଛନ୍ତି।

ପରୀକ୍ଷା ପରିଚାଳନାରେ ତ୍ରୁଟି ପାଇଁ ନୂଆପଡ଼ା, କୋରାପୁଟ, ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାର ୧୧ ଜଣ ସୁପରିନ୍‌ଟେଣ୍ଡେଣ୍ଟ, ଇନ୍‌ଭିଜିଲେଟର, ପ୍ରଧାନଶିକ୍ଷକ ଓ କ୍ଲକ ସାମିଲ ଅଛନ୍ତି। ଜଗତସିଂହପୁର ଜଲ୍ଲାର ବାପୁଜୀ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଏବଂ କ୍ଲର୍କ ସସ୍‌ପେଣ୍ଡ ହୋଇଛନ୍ତି। ଭାଇରାଲ ଘଟଣାରେ ସଂପୃକ୍ତ ଥିବା କିଛି ଛାତ୍ରଙ୍କୁ ମଧ୍ୟ ପରୀକ୍ଷାରୁ ବାଦ୍‌ ଦିଆଯାଇଥିବା ଜଣାପଡ଼ିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି ଯେ, ସେଣ୍ଟର ସୁପରିନ୍‌ଟେଣ୍ଡେଣ୍ଟ ପୁଲିସ ସୁରକ୍ଷା ମାଗି ପାରିବେ। ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଧାରା ୧୪୪ ଜାରି କରି ଦିଆଯାଇଛି।

ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ଗଦିଆ ଥାନାରେ ଏତଲା ଦେଇଛନ୍ତି। ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ସୁଦର୍ଶନ ବିଦ୍ୟାଭବନ ସୁପରିନ୍‌ଟେଣ୍ଡେଣ୍ଟଙ୍କ ନାଁରେ ଏତଲା ହୋଇଛି।

ସୂଚନାଯୋଗ୍ୟ, ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ଦିନ ଶୁକ୍ରବାର ମାଟ୍ରିକ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପ୍ରଶ୍ନପତ୍ର ନୂଆପଡ଼ା ଜିଲ୍ଲାରୁ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇ ରାଜ୍ୟର ଅନ୍ୟ ଅଂଚଳକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ପହଂଚିପାରିଛି। ସବୁଠାରୁ ଦୁଃଖର ବିଷୟ ଯେ, ପରୀକ୍ଷା ଆରମ୍ଭ ହେବାର ମାତ୍ର ୧୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ବେଳେ ଅଧିକାରୀ ମାନେ ଏବିଷୟରେ ଜାଣିବା ବେଳକୁ ପରୀକ୍ଷା ଶେଷ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର