ବନ୍ଧା ପଡ଼ିଛି ଲଘୁ ଖଣିଜ ସମ୍ପଦ ଆଇନ୍: କୁଶେଇରୁ ବେଧଡ଼କ ବାଲି ଖନନ

ଆନନ୍ଦପୁର: କେନ୍ଦୁଝରରେ ବନ୍ଧାପଡ଼ିଛି ଲଘୁ ଖଣିଜ ସମ୍ପଦ ଆଇନ। ସବୁ ନିୟମ କାନୁନକୁ ଦଳିମକଚି ମାଫିଆମ‌ାନେ ବେଧଡ଼କ ଭାବେ କୁଶେଇ ନଦୀରୁ ବାଲି ତାଡ଼ି ନେଉଛନ୍ତି। ଦିନରାତି ଅବିରତ ଭାବେ ଚାଲିଛି ବାଲି ଖନନ। କେଉଁଠି ମେସିନ ଲଗାଇ ନଦୀକୂଳକୁ ‌କୋରି ଦିଆଯାଉଛି ତ ପାଣି ଭିତରୁ ମେସିନରେ ଦୈନିକ ହଜାର ହଜାରଟ୍ରିପ ବାଲି ଚାଲାଣ ହେଉଛି। ବାଲି ତଡ଼ା କାରଣରୁ କୁଶେଇ ନଦୀବନ୍ଧ ଓ ପୋଲ ବିପଦସଂକୁଳ ଅବସ୍ଥାରେ ରହିଛି। ଦେଓଗାଁ ବାସୀ ଆତଙ୍କିତ ଓ ଆଶଙ୍କା ଭିତରେ ରହିଛନ୍ତି। ତେବେ ଏହା ପଛରେ ପ୍ରଶାସନର ନିରବ ସମର୍ଥନ ରହିଛି ନା ଭୟରେ ପ୍ରଶାସନ ହାତ ଟେକି ଦେଇଛି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁଶେଇ ନଦୀର ଦେଓଗାଁ ମୌଜାରେ ୨୦୧୭ ଏପ୍ରିଲ ୨୧ରେ ନୂଆଗାଁର ମୁରଲୀଧର ଜେନାଙ୍କୁ ଓ ସରେଇଁ ନିକଟରେ ଫାପୁଡ଼ିଆ ନାଳ ନିକଟରେ ଭାଟିଶିରା ଗ୍ରାମର ଖଗେଶ୍ବର ଜେନାଙ୍କୁ ୨୦୧୬ ଫେବ୍ରୁଆରି ୨୯ରେ ୫ ବର୍ଷିଆ ଲିଜ୍ ଦିଆଯାଇଛି। ଦେଓଗାଁ ମୌଜାରେ ୧୨୯୭ ପ୍ଲଟରେ ୧୪.୫ଏକର ପରିସୀମା ମଧ୍ୟରେ ବାଲି ଉଠାଯିବାକୁ ଅନୁମତି ଦିଆଯାଇଥିଲା। ପରିବେଶ ମଂଜୁରି ପରେ ୨୦୧୭ରେ ୬୩୦୩ କ୍ୟୁବିକ ମିଟର, ୨୦୧୮ରେ ୬୩୦୬ କ୍ୟୁ.ମିଟର ଓ ୨୦୧୯ରେ ୬୩୦୯କ୍ୟୁ. ମିଟର ବାଲି ଶ୍ରମିକଙ୍କ ଦ୍ବାରା ଉଠାଇବାକୁ ଲିଜ୍‌ରେ ଉଲ୍ଲେଖ ରହିଛି। ମାତ୍ର ଏସବୁ ନିୟମକୁ ଆଦୌ ପାଳନ କରାଯାଉ ନଥିବା ପରିଲକ୍ଷିତ ହୋଇଛି। ଖୋଲାଖୋଲିଭାବେ ମେସିନ୍ ଲଗାଯାଇ ଲିଜ୍ ବାହାର ଏରିଆରୁ ବାଲି ଉଠାଯାଇ ଦୈନିକ ଶହଶହ ହାଇୱାରେ ଯାଜପୁର, ଭଦ୍ରକ, ଢେଙ୍କାନାଳ ଜିଲ୍ଲାକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଏମିତିକି ବାଲି ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ ମଧ୍ୟ ଅଭିଯୋଗ ଉଠୁଛି। ଦେଓଗାଁର ପୁରୁଣା କୁଶେଇ ସେତୁ ନିକଟରୁ ଡିହସାହି ପର୍ଯ୍ୟନ୍ତ ୨କିମି ପର୍ଯ୍ୟନ୍ତ ସବୁ ସମୟରେ ବାଲିଖୋଳା ଚାଲିଥିବା ଦେଖିବାକୁ ମିଳିଛି। ଏପରିକି ପ୍ରକୃତ ବାଲିଘାଟ ପରିବର୍ତ୍ତେ ପାଣି ଭିତରୁ ମେସିନ୍ ଓ ପାଇପ୍ ଲଗାଇ ବେଆଇନ ଭାବେ ବାଲି ଉଠାଯାଉଛି। ନଦୀରେ ଗଣ୍ତ ସୃଷ୍ଟି ହୋଇଥିବାବେଳେ ସେଥିରେ ବୁଡ଼ିଯାଇ ଗତ ଅକ୍ଟୋବର ୨୫ତାରିଖରେ ଦେଓଗାଁର ଯୁବ ବ୍ୟବସାୟୀ ରମେଶ ରାଉତ(୩୨)ଙ୍କ ମୃତ୍ୟୁ ହୋଇଥିଲା। ଗଣ୍ତାନାଳ ଓ କୁଶେଇ ନଦୀ ମଝିରେ ଥିବା ପଡ଼ିଆରୁ ବେଆଇନ୍ ବାଲିଉଠାଣ ଯୋଗୁ ୨୦ରୁ ୩୦ଫୁଟର ଖାଲ ସୃଷ୍ଟି ହୋଇ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଢିଙ୍କିଆ, ଗଉଡ଼ବାହାଳି, ଦୀପପାଳ, ଡ଼ିହାସାହିର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାତି ସମୟରେ ବେପରୁଆଭାବେ ହାଇବା ଚଳାଚଳ କରୁଥିବାରୁ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଗ୍ରାମ ରାସ୍ତାରେ ଯାତାୟାତ କରୁଥିବା ପ୍ରକାଶ କରିଛନ୍ତି।

ସବୁଠାରୁ ଗୁରୁତ୍ବପୁର୍ଣ୍ଣ ହେଲା ବେଆଇନ୍ ବାଲିଖୋଳା ଯୋଗୁ ଦେଓଗାଁ ଗ୍ରାମ ଓ ପ୍ରାଚୀନ କୁଶଳେଶ୍ବର ମନ୍ଦିରକୁ ସୁରକ୍ଷା ପାଇଁ ୧୮୮୦–୮୫ରେ କେନ୍ଦୁଝର ରାଜା ଧନୁର୍ଜୟ ନାରାୟଣ ଭଂଜଙ୍କ ଦ୍ବାରା ନିର୍ମାଣ ହୋଇଥିବା ପଥରବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି। ବନ୍ଧ ନିକଟରୁ ବାଲି ଖୋଳାଯିବା ଯୋଗୁ ଏଠାକାର ପଥରପ୍ୟାକିଂ ଧସିବାକୁ ବସିଛି। ପଥରବନ୍ଧ ଭୁଶୁଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଘସିପୁରା ତହସିଲ କର୍ତ୍ତୃପକ୍ଷ କେବଳ ନିଲାମ ଦେଇ ଦାୟିତ୍ବ ସାରିଦେଇଥିବାରୁ ନିଲାମଧାରୀଙ୍କ ପ୍ରାଦୁର୍ଭାବ ଏବେ ଚରମ ସୀମାରେ ପହଞ୍ଚିଛି। ନଦୀରେ ବିପଜ୍ଜନକ ଭାବେ ବାଲି ଖନନ ଚାଲିଥିବା ଯୋଗୁ ଆଗାମୀ ଦିନରେ ନଦୀର ଗତିପଥ ପରିବର୍ତନ ହେବାନେଇ ଆଶଙ୍କା ପ୍ରକାଶ ପାଇଛି। ଏହାର ଅନୁଧ୍ୟାନ କରାଯାଇ ଲିଜଧାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘସିପୁରା ତହସିଲଦାର ରାମଚନ୍ଦ୍ର ଜେନା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର