ଚିଲିକାରେ ଇଲିସ୍‌ ସଙ୍କଟ! : ୨୦୧୭-୧୮ରେ ଉତ୍ପାଦନ ୪ ଟନ୍‌କୁ ହ୍ରାସ, ସିଡିଏ ପକ୍ଷରୁ ଗବେଷଣା ଆରମ୍ଭ

ଭୁବନେଶ୍ୱର : ଚିଲିକାରୁ ଆଉ ମିଳିନପାରେ ଇଲିସ। ଏହି ହ୍ରଦରୁ ଉତ୍ପାଦିତ ହେଉଥିବା ଇଲିସ ଧୀରେ ଧୀରେ କମି ଆସିଲେଣି। ଆଉ କିଛି ବର୍ଷ ପରେ ଇଲିସ ନ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ୬୦ ବର୍ଷ ତଳେ ଏହି ହ୍ରଦରୁ ବାର୍ଷିକ ୩୦୦ ମେଟ୍ରିକ୍‌ ଟନ୍‌ ଇଲିସ ଉତ୍ପାଦିତ ହୋଇଥିଲା। କିନ୍ତୁ ଏବେ ଉତ୍ପାଦନ ବହୁ ପରିମାଣରେ ହ୍ରାସ ପାଇଛି। ୨୦୧୭-୧୮ରେ ଏଠାରୁ ମାତ୍ର ୪ ଟନ୍‌ ଇଲିସ ଉତ୍ପାଦିତ ହୋଇଛି। ବର୍ଷକୁ ବର୍ଷ ଚିଲିକାରେ ଇଲିସ ସଙ୍କଟ ଦେଖା ଦେଉଥିବାରୁ ଚିନ୍ତା ପ୍ରକଟ କରିଛି ଚିଲିକା ଉନ୍ନୟନ କର୍ତୃପକ୍ଷ (ସିଡିଏ)। କେଉଁ କାରଣ ପାଇଁ ଏଭଳି ସ୍ଥିତି ଉପୁଜିଛି, ତାହା ଉପରେ ଗବେଷଣା ଆରମ୍ଭ କରିବା ସହ ସଂରକ୍ଷଣ ଉପରେ ସିଡିଏ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।

ସିଡିଏ ତଥ୍ୟ କହୁଛି, ୧୯୫୧-୬୦ ମଧ୍ୟରେ ଏଠାରୁ ୩୦୦ ଟନ୍‌ରୁ ଅଧିକ ଇଲିସ ଉତ୍ପାଦିତ ହେଉଥିଲା। ୧୯୬୧-୧୯୭୦ ମଧ୍ୟରେ ହ୍ରାସ ପାଇ ୨୯୦ ଟନ୍‌ରେ ପହଞ୍ଚିଥିଲା। ହେଲେ ୨୦୦୧ ପରଠାରୁ କିନ୍ତୁ ସ୍ଥିତି ବିଗିଡ଼ି ଚାଲିଛି। ଗତ ୧୦ ବର୍ଷ ହେଲା ଲଗାତାର ଭାବେ ଚିଲିକାରୁ ଇଲିସ ସଂଖ୍ୟା ହ୍ରାସ ପାଉଛି। ୨୦୦୭-୦୮ ଆର୍ଥିକ ବର୍ଷରେ ଏଠାରୁ ୧୭୦.୭୫ ଟନ୍‌ ଇଲିସ ଉତ୍ପାଦିତ ହେଉଥିବା ବେଳେ ଏବେ ତାହା ୪.୪ ଟନ୍‌କୁ ଖସି ଆସିଛି। ୨୦୦୨-୦୩ରେ ୧୮୫.୪୭ଟନ୍‌ ରହିଥିଲା। ୨୦୧୪-୧୫ରେ ୨୬.୪୬ ଟନ୍‌, ୨୦୧୫-୧୬ରେ ୧୬.୭୮ଟନ୍‌, ୨୦୧୬-୧୭ରେ ୧୦.୫୧ ଟନ୍‌୍‌ ରହିଥିଲା। ଏପରିକି ଗତ ଏପ୍ରିଲ ଓ ମେ’ ମାସରେ ମାତ୍ର ୦.୫୭ ଟନ୍‌ ଇଲିସ ଉତ୍ପାଦିତ ହୋଇଥିବା ନେଇ ସିଡିଏ ପକ୍ଷରୁ ସୂଚନା ଦିଆଯାଇଛି।

ଏଭଳି ସ୍ଥିତି ଜଣାପଡ଼ିବା ପରେ ୧୦ ବର୍ଷ ତଳେ ସିଡିଏ ପକ୍ଷରୁ କଲିକତା ବାରାକ୍‌ପୁରସ୍ଥିତ ସିଫ୍‌ରା ମାଧ୍ୟମରେ ଗବେଷଣା କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ତେଣୁ ସିଡିଏ କର୍ତୃପକ୍ଷ ନିଜସ୍ୱ ଗବେଷଣା ଆରମ୍ଭ କରିଛନ୍ତି। ଦୁଇଟି କାରଣ ପାଇଁ ମୁଖ୍ୟତଃ ଇଲିସ କମୁଥିବା ସିଡିଏ ଜାଣିବାକୁ ପାଇଛି। ପ୍ରଥମତଃ ମନୁଷ୍ୟକୃତ କାରଣ, ଆଉ ଦ୍ୱିତୀୟଟି ହେଲା ଜଳବାୟୁ ପରିବର୍ତନ। ଏହି ଦୁଇ କାରଣ ଜାଣିବା ପରେ ଅଧିକ ଗବେଷଣା ଦିଗରେ ପଦକ୍ଷେପ ନେଇଛି ସିଡିଏ। ବରକୁଳଠାରେ ଥିବା ସିଡିଏ ଗବେଷଣା କେନ୍ଦ୍ରରେ ଚିଲିକାର ଡିଏନ୍‌ଏ ଉପରେ ଅନୁଧ୍ୟାନ କରାଯାଉଛି। ଚିଲିକାର ବିଭିନ୍ନ ସ୍ଥାନରେ ୧୪ଟି ସେଣ୍ଟର କରାଯାଇ ଚିଲିକା ଇଲିସର ସଂଖ୍ୟା କମିବା ଉପରେ ବି ଗବେଷଣା ହେଉଛି।

ପରିବେଶବିତ୍‌ମାନେ ଏଥିପାଇଁ ବିଭିନ୍ନ କାରଣକୁ ଦାୟୀ କରିଛନ୍ତି। ସେମାନଙ୍କ କହିବା କଥା ହେଲା, ଚିଲିକାରେ ଦିନକୁ ଦିନ ଘେରି ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ସମୁଦ୍ରରୁ ଚିଲିକା ମଧ୍ୟକୁ ଇଲିସ୍‌ ଆସିପାରୁ ନାହାନ୍ତି। ଚିଲିକାରୁ ନଦୀ ମଧ୍ୟକୁ ବି ଇଲିସଗୁଡ଼ିକ ପଶି ପାରୁନାହାନ୍ତି। ତେଣୁ ଏଠାରେ ଇଲିସ ସଂଖ୍ୟା ହ୍ରାସ ପାଉଛି। ଆଉ ଏକ କାରଣ ହେଉଛି ଯେ ଚିଲିକାରେ ଇଲିସ ବଢ଼ିପାରୁନାହାନ୍ତି। ଘେରି ହେବା ଫଳରେ ଇଲିସ ମାଛ ଜାଆଁଳ ବଢ଼ିପାରୁ ନାହାନ୍ତି। ମା’ ମାଛକୁ  ଧରି ବିକ୍ରି କରି ଦିଆଯାଉଛି। ଅନ୍ୟ ଏକ କାରଣ ହେଉଛି, ଚିଲିକାରେ ମିଶିଥିବା ନଦୀ ମୁହାଁଣଗୁଡ଼ିକ ପୋତି ହୋଇଗଲାଣି। ଯେଉଁଥିପାଇଁ ନଦୀ ପାଣି ଚିଲିକାକୁ ଯାଉନି। ୩ବର୍ଷ ହେଲା ବନ୍ୟା ବି ନାହିଁ। ତେଣୁ ନଦୀଗୁଡ଼ିକ ବଡ଼ ଦଳରେ ଭର୍ତ୍ତି ହୋଇ ରହିଛି। ଇଲିସ ନଦୀ ମଧ୍ୟକୁ ଆସିପାରୁ ନାହାନ୍ତି। ଚିଲିକାରେ ମାଛ ଉତ୍ପାଦନ ମଧ୍ୟ କମୁଛି। ଯେଉଁଥିପାଇଁ ଲକ୍ଷାଧିକ ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଛି।

ସିଡିଏର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ସସ୍ମିତା ଲେଙ୍କା କହିଛନ୍ତି ଯେ ସିଡିଏ ପକ୍ଷରୁ ଏବେ ଗବେଷଣା ଚାଲିଛି। ଚିଲିକାକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଉଛି। ଚିଲିକା ଭିତରେ ତିଆରି ହୋଇଥିବା ଘେରି ହଟାଯାଇଛି। ବେଆଇନ ଭାବେ ପଡ଼ୁଥିବା ଜାଲକୁ ବି ହଟାଇବା ଦିଗରେ ପଦକ୍ଷେପ ନିଆଯାଇଛି। ଗବେଷଣା କରାଯିବା ପରେ ଏନେଇ ଏକ  ମ୍ୟାନେଜ୍‌ମେଣ୍ଟ ପ୍ଲାନ୍‌ ହେବ। ବିଶ୍ୱରେ ମୁଖ୍ୟତଃ ୫ ପ୍ରଜାତିର ଇଲିସ ଦେଖାଯାଇଥାନ୍ତି। ସେଥିମଧ୍ୟରୁ ଚିଲିକାରେ ୩ ପ୍ରଜାତିର ଇଲିସ ଦେଖାଯାଆନ୍ତି। ଯେଉଁମାନେ କି ମିଠା ପାଣିରେ ଭଲ ବଢ଼ିଥାନ୍ତି। ସେମାନଙ୍କ ଓଜନ ମଧ୍ୟ ଅଧିକ ରୁହେ। ତେଣୁ ଏହାର ସଂରକ୍ଷଣ ପ୍ରତି ଗୁରୁତ୍ୱ ଦିଆଯାଉଛି।

ସମ୍ବନ୍ଧିତ ଖବର