ଏମାର ମଠର ରଘୁନନ୍ଦନ ପାଠାଗାରକୁ ମିଳିବ ୫ କୋଟି ଟଙ୍କା: ଜିଲ୍ଲାପାଳ

ପୁରୀ: ଐତିହାସିକ ଏମାର ମଠର ‘ରଘୁନନ୍ଦନ ପାଠାଗାର’ ଅତ୍ୟାଧୁନିକ ପାଇଁ ୫ କୋଟି ଟଙ୍କା ମିଳିବ। ଅତ୍ୟାଧୁନିକ ପାଠାଗାର ନିର୍ମାଣ ପାଇଁ ଏହି ଅନୁଦାନ ଟଙ୍କା ଖର୍ଚ୍ଚ ହେବ । ସେହିଭଳି ପ୍ରାଚୀନ ପାଣ୍ଡୁଲିପି ଓ ପୋଥିର ଡିଜିଟାଇଜେସନ କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ ରବିବାର ଏହି ସୂଚନା ଦେଇଛନ୍ତି। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବହୁ କିମ୍ବଦନ୍ତୀକୁ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେବ। ଏହି ସାମଗ୍ରୀକୁ ସାଇତି ରଖିବା ପାଇଁ ସୁବନ୍ଦୋବସ୍ତ କରାଯିବ।

ଶ୍ରୀମନ୍ଦିର ସମ୍ମୁଖ ଏମାର ମଠରେ ଥିବା ବ୍ରିଟିସ୍‌ ଅମଳର ରଘୁନନ୍ଦନ ପାଠାଗାରର ପୁନରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାକୁ ବିଶ୍ୱସ୍ତରୀୟ ପାଠାଗାର ଭଳି ଗଢି ତୋଳିବାକୁ ଯୋଜନା ହୋଇଛି। ଉଚ୍ଛେଦ ପୂର୍ବରୁ ପାଠାଗାରରେ ଥିବା ୫ ହଜାର ପୁରୁଣା ପୁସ୍ତକ ଓ ବିରଳ ପାଣ୍ଡୁଲିପିକୁ ଭୂଅର୍ଜନ ସମ୍ମିଳନୀ କକ୍ଷକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଥିଲେ, ରାଜ୍ୟ ସରକାର ରଘୁନନ୍ଦନ ପାଠାଗାରର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ସହ ଏଠାରେ ଥିବା ବିରଳ ପୁସ୍ତକ ଓ ପାଣ୍ଡୁଲିପିର ସଂରକ୍ଷଣକୁ ଅଗ୍ରାଧିକାର ଦେଇଛନ୍ତି। ଏହାର ଗୁରୁତ୍ୱ ଦୃଷ୍ଟିରୁ ଏକ ବିଶ୍ୱସ୍ତରୀୟ ପାଠାଗାର ନିର୍ମାଣ ପାଇଁ ଯୋଜନା କରାଯାଇଛି।

ଏମାର ମଠକୁ ଅତ୍ୟାଧୁନିକ ଶେଳୀରେ ଏହାକୁ ନିର୍ମାଣ କରାଯିବ। ନୂଆ କୋଠା ନିର୍ମାଣ ପରେ ପାଠାଗାରର ନାମ ଅପରିବର୍ତ୍ତିତ ରହିବ। ଏଠାରେ ଥିବା ପୁରୁଣା ପୁସ୍ତକ, ପାଣ୍ଡୁଲିପି ଆଦିର ଡିଜିଟାଇଜେସନ୍‌ ହେବ। ଏଥି ପାଇଁ ରାଜ୍ୟ ବାହାରୁ ବିଶେଷଜ୍ଞମାନଙ୍କୁ ଡକାଯିବ। ସେମାନଙ୍କ ପରାମର୍ଶ ଆଧାରରେ ପୁସ୍ତକ ଓ ପାଣ୍ଡୁଲିପିଗୁଡ଼ିକର ରକ୍ଷଣାବେକ୍ଷଣ କରାଯିବ।

 

ସମ୍ବନ୍ଧିତ ଖବର