ଭୁବନେଶ୍ୱର : ବିଧାନସଭାରେ କର୍ମଚାରୀ ସଙ୍କଟ ଗୁରୁତର ଆକାର ଧାରଣ କଲାଣି। ସ୍ଥିତି ଏମିତି ଯେ ବିଧାନସଭା ପ୍ରୋସିଡିଂ ଲେଖି ତାହାର ନକଲ ବିଧାୟକମାନଙ୍କୁ ଠିକ୍ ସମୟରେ ଦିଆଯାଇପାରୁନି। ଆଜି ଏ ନେଇ ଶୂନ୍ୟକାଳରେ ଗୃହରେ ଉଦ୍ବେଗ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ତୁରନ୍ତ ନିଯୁକ୍ତି ପ୍ର୍ରକ୍ରିୟା ଆରମ୍ଭ କରିବାକୁ ସେ ମତ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ମିଶ୍ର କହିଥିଲେ, ନିୟମ ଅନୁସାରେ ବିଧାୟକମାନେ ଗୃହରେ ଯାହା କହୁଛନ୍ତି ତାହାକୁ ଲିପିବଦ୍ଧ କରାଯାଇ ୨/୩ ଦିନ ଭିତରେ ତାହାର ନକଲ ସେମାନଙ୍କୁ ଦିଆଯିବା କଥା। ସେମାନେ ତାହାକୁ ଦେଖିଲା ପରେ ବିଧାନସଭା ରେକର୍ଡରେ ତାହା ରହିବ। କିନ୍ତୁ ଗତ କିଛି ଦିନ ହେଲା ସେଥିରେ ବ୍ୟତିକ୍ରମ ଘଟିଛି। ଆମେ ଗୃହରେ ଯାହା କହୁଛୁ, ତାହାର ନକଲ ଆମକୁ ଦିଆଯାଉ ନାହିଁ। ଏହାର ମୁଖ୍ୟ କାରଣ ହେଲା ବିଧାନସଭାରେ ରିପୋର୍ଟର୍ଙ୍କ ଅଭାବ ଅଛି। ଯେତିକି ରିପୋର୍ଟର୍ ଅଛନ୍ତି, ସେମାନେ ଭାରାକ୍ରାନ୍ତ ହୋଇଯାଉଛନ୍ତି।
ବିରୋଧୀ ଦଳ ନେତା ତଥ୍ୟ ଦେଇ କହିଥିଲେ, ବିଧାନସଭାରେ ଏ, ବି, ସି ଓ ଡି ଏମିତି ଚାରି ବର୍ଗର କର୍ମଚାରୀ ଅଛନ୍ତି। ଏ ବର୍ଗରେ ୨୩, ବି ବର୍ଗରେ ୪୩, ସି ବର୍ଗରେ ୬୨ ଓ ଡି ବର୍ଗରେ ୩୪ ପଦବି ଖାଲି ପଡ଼ିଛି। ମଞ୍ଜୁରି ପଦବିରେ ନିଯୁକ୍ତି ଦିଆଯାଉ ନାହିଁ। ୨୦୧୩ ମସିହାରୁ ବିଚାରାଧୀନ ଏକ ମାମଲାର ଆଳ ଦେଖାଇ ନିଯୁକ୍ତି ବନ୍ଦ କରିଦିଆଯାଇଛି। ଏ ସଂକ୍ରାନ୍ତରେ କୋର୍ଟରେ ଆବେଦନ କରି ଆଇନଗତ କଟକଣା ଉଠାଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବାର ଆବଶ୍ୟକତା ରହିଛି। ବାଚସ୍ପତି ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ। କୌଣସି ବ୍ୟକ୍ତି ବା ଗୋଷ୍ଠୀ ପାଇଁ ବ୍ୟବସ୍ଥା ଅଟକି ନ ଯାଉ।