ନିର୍ବାଚନ ଅଧିକାରୀଙ୍କ ବିଚିତ୍ର ନିଷ୍ପତ୍ତି : ନୂଆଁଖାଇରୁ ବଞ୍ଚିତ ହେବେ କର୍ମଚାରୀ

ରାଉରକେଲା : ଆସନ୍ତା ୧୪ ତାରିଖ ଦିନ ଗଣପର୍ବ ନୂଆଁଖାଇ ପାଳନ ପାଇଁ ସାରା ପଶ୍ଚିିମ ଓଡ଼ିଶାରେ ବେଶ୍‌ ଉତ୍ସାହ ରହିଥିବା ବେଳେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି ଏବେ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ନୂଆଁଖାଇ ଦିନ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ମାତ୍ର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରଥମ ପର୍ଯ୍ୟାୟ ଯାଞ୍ଚ କାର୍ଯ୍ୟ ସ୍ଥିର କରିଥିବାରୁ ନୂଆଁଖାଇ ଭଳି ଛୁଟି ଦିନରେ ମଧ୍ୟ କର୍ମଚାରୀମାନଙ୍କୁ ଅନ୍ୟ ଦିନ ଭଳି କାମ କରିବାକୁ ପଡ଼ିବ। ଅର୍ଥାତ ନୂଆଁଖାଇରୁ ବଞ୍ଚିତ ହେବେ ରାଜ୍ୟର ଶହଶହ କର୍ମଚାରୀ ଆଉ ଅଧିକାରୀ।

ରାଜ୍ୟ ନିର୍ବାଚନ ଅଧିକାରୀ ଆସନ୍ତା ୧୨ ସେପ୍‌ଟେମ୍ବରରୁ ସାରା ରାଜ୍ୟରେ ଇଭିଏମ୍‌ ଓ ଭିଭିିପିଏଟି( ଭୋଟର ଫେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ)ର ପ୍ରଥମ ପର୍ଯ୍ୟାୟ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିବେ। ଅନ୍ୟ ରାଜ୍ୟର ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍‌ ଓଡ଼ିଶାକୁ ଅଣାଯାଇଛି। ମତଦାତାମାନେ ଭୋଟଦାନ କରିବା ପରେ ଭିଭିପିଏଟି ଦେଖି ସେମାନେ ଦେଇଥିବା ଚିହ୍ନରେ ଭୋଟ ପଡ଼ିଛି କି ନାହିଁ, ତାହା ଜାଣିପାରିବେ। ଭିଭିପିଏଟି ଆସନ୍ତା ନିର୍ବାଚନ ବେଳେ ପ୍ରଥମ ଥର ପାଇଁ ଓଡ଼ିଶାରେ ବ୍ୟବହୃତ ହେବ ବୋଲି କୁହାଯାଇଛି। ନିରପେକ୍ଷତା ଅବଲମ୍ବନର ପ୍ରମାଣ ସ୍ୱରୂପ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏହି ଦୁଇ ମେସିନରେ ପୂର୍ବରୁ ଥିବା ତଥ୍ୟ (ଡାଟା) ଉଡ଼ାଇ ଦିଆଯିବ। କେଉଁ ବୁଥ୍‌କୁ କେଉଁ କେଉଁ ମେସିନ୍‌ ଯିବ, ତାହା ଚିହ୍ନଟ କରାଯାଇ ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ ନିମନ୍ତେ ତାହା ସଂରକ୍ଷିତ ରଖାଯିବ। ଗୋଟିଏ ମେସିନ୍‌ରେ ଏସବୁ କାମ୍‌ କରିବା ପାଇଁ ଅତିକମ୍‌ରେ ଅଧଘଣ୍ଟା ସମୟ ଲାଗିବ ବୋଲି କୁହାଯାଇଛି। ଯାଞ୍ଚ କାମ ଥରେ ଆରମ୍ଭ ହେଲେ ଶେଷ ନ ହେବା ପର୍ଯ୍ୟନ୍ତ ମଝିରେ ବନ୍ଦ ରଖାଯାଇପାରିବ ନାହିଁ। ସୋନପୁର ଭଳି ଛୋଟ ଜିଲ୍ଲାରେ ଏହି ଯାଞ୍ଚ କାମ ଶେଷ ହେବାକୁ ପାଖାପାଖି ଏକ ସପ୍ତାହ ଲାଗିବ। ସୁନ୍ଦରଗଡ଼, ସମ୍ବଲପୁର ଭଳି ଜିଲ୍ଲାରେ ଏହି କାମ ସରିବାକୁ ୧୦ ଦିନରୁ ବି ଅଧିକ ସମୟ ଲାଗିବ। ଆସନ୍ତା ୧୨ ତାରିଖରୁ ଯାଞ୍ଚ କାମ ଆରମ୍ଭ ହେଉଥିବାରୁ ଏଥିରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ଶ୍ରିମକମାନଙ୍କୁ ମଝିରେ ଛୁଟି ମିଳିବ ନାହିଁ। ଏଭଳି ସ୍ଥିତିରେ ଯେଉଁମାନଙ୍କୁ ଏହି କାମରେ ନିୟୋଜିତ କରାଯାଇଛି, ସେମାନେ ନୂଆଁଖାଇ ଦିନ ମଧ୍ୟ ଡ୍ୟୁଟି ଆସିବାକୁ ବାଧ୍ୟ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ କେବଳ ପଶ୍ଚିିମ ଓଡ଼ିଶାରେ କାର୍ଯ୍ୟରତ କର୍ମଚାରୀମାନେ ନୂଆଁଖାଇରୁ ବଞ୍ଚିତ ହେବେନାହିଁ, ବରଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଏହି ଅଞ୍ଚଳର ମୂଳବାସିନ୍ଦା ବି ଏଥର ନିଜ ପରିବାର ସହିତ ନବାନ୍ନ ଖାଇପାରିବେ ନାହିଁ।

କିଛିଦିନ ଆଗରୁ ଏହି କାମର ପ୍ରସ୍ତୁତି ନିମନ୍ତେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ସହିତ ଜିଲ୍ଲାସ୍ତରରେ ଭିଡିଓ କନ୍‌ଫରେନ୍‌ସିଂ ହୋଇଥିଲା। ସେହି ସମୟରେ କେତେକ ଅଧିକାରୀ ଗଣପର୍ବ ନୂଆଁଖାଇ ପ୍ରସଂଗ ମଧ୍ୟ ଉଠାଇ ଥିବା କୁହାଯାଉଛି। ନୂଆଁଖାଇ ପରେ ଏହି କାମ ଆରମ୍ଭ କରିବାକୁ ଅନୁରୋଧ କରାଯାଇଥିବା ବେଳେ ଏହାକୁ ଅଣଦେଖା କରାଯାଇଛି ବୋଲି କୁହା ଯାଉଛି।

ସମ୍ବନ୍ଧିତ ଖବର