ଦାବି ପୂରଣ ନହଲେ ନିର୍ବାଚନରେ ସରକାରଙ୍କୁ ଅସହଯୋଗ

ଚକ୍ରାନ୍ତ କରୁଛି ଗୃହ ବିଭାଗ: ଅଣଗେଜେଟଡ୍ କର୍ମଚାରୀ ସମନ୍ବୟ ସମିତି

ଭୁବନେଶ୍ବର : ରାଜ୍ୟ ଅଣଗେଜେଟଡ କର୍ମଚାରୀ ସମନ୍ବୟ ସମିତି କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଓ ସର୍ବୋପରି ସରକାରଙ୍କ ସହ ଶାନ୍ତିପୂର୍ଣ୍ଣ ଆଲୋଚନା କରୁଥିବାବେଳେ କର୍ମଚାରୀ ଓ ସରକାରଙ୍କ ଭିତରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରିଛି ରାଜ୍ୟ ଗୃହ ବିଭାଗ। ଏ ନେଇ ଆଗକୁ ଏକ ଆନ୍ଦୋଳନ ଗଢ଼ି ଉଠିବ। ଗୃହ ବିଭାଗ ବିରୋଧରେ ଏପରି ବିଷୋଦଗାର କରି ଅଭିଯୋଗ କରିଛି ଓଡ଼ିଶା ରାଜ୍ୟ ଅଣଗେଜେଟଡ୍ କର୍ମଚାରୀ ସମନ୍ବୟ ସମିତି । ସମିତିର ସାଧାରଣ ସମ୍ପାଦକ ବ୍ରଜ କିଶୋର ନନ୍ଦ ପ୍ରେସ ବିବୃତି ଜାରି କରି କହିଛନ୍ତି, କର୍ମଚାରୀମାନଙ୍କର ବିଭିନ୍ନ କଲ୍ୟାଣମୂଳକ ଦାବି ନେଇ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଓ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଷ୍ଟାଣ୍ଡିଂ କମିଟି ବୈଠକ ନିୟମିତ ବ୍ୟବଧାନରେ ଗୃହ ବିଭାଗ ଡାକିଥାଏ। ଏହି ବୈଠକରେ ଉପସ୍ଥିତ ରହି କର୍ମଚାରୀ ସମନ୍ବୟ ସମିତି ସଦସ୍ୟ କର୍ମଚାରୀଙ୍କ ଦାବି ନେଇ ସରକାରଙ୍କ ସହ ଆଲୋଚନା କରିଥାନ୍ତି। କିନ୍ତୁ ଦୁଃଖର କଥା ଗୃହ ବିଭାଗ ଏପରି କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିଭ୍ରାନ୍ତକର ତଥ୍ୟ ପ୍ରଦାନ କରି ରାଜ୍ୟର ୪ ଲକ୍ଷ କର୍ମଚାରୀ ଓ ଶିକ୍ଷକମାନଙ୍କୁ ଏକପ୍ରକାର ଆନ୍ଦୋଳନମୁହାଁ କରିବାକୁ ସୁଚିନ୍ତିତ ଉଦ୍ୟମ ଆରମ୍ଭ କରିଛି। ଗତବର୍ଷ ଡିସେମ୍ବର ୩୧ ତାରିଖରେ ଗୃହ ବିଭାଗର ଏହି କାର୍ଯ୍ୟକଳାପ ସମ୍ପର୍କରେ ସମୀକ୍ଷା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ସମିତି ପକ୍ଷରୁ ତଥ୍ୟ ଭିତ୍ତିକ ସ୍ମାରକ ପତ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା।

ସମନ୍ବୟ ସମିତି ଜଣାଇଛି, ଯଦି ଆଗାମୀ ଦିନରେ କର୍ମଚାରୀଙ୍କ ୭ଦଫା ଦାବିନେଇ ସରକାର ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତାହେଲେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ କାର୍ଯ୍ୟରେ ସରକାରଙ୍କୁ ଅସହଯୋଗ କରାଯିବ। ଆଉ ଏ ନେଇ ପ୍ରଚାରପତ୍ର ମାଧ୍ୟମରେ ବ୍ଲକଠାରୁ ସଚିବାଳୟ ପର୍ଯ୍ୟନ୍ତ ଅବଗତ କରାଯିବ ବୋଲି ସମନ୍ବୟ ସମିତି ସାଧାରଣ ସମ୍ପାଦକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର