ଗ୍ରାମରାଜ୍ୟ ବିନା ରାମରାଜ୍ୟ ଅଧୁରା: ଭେଙ୍କୟା

‘ଏମ୍‌ପାୱରିଂ ୟଙ୍ଗ ଗ୍ରାମ୍‌ପ୍ରିନିୟର୍ସ ଟୁ କ୍ରିଏଟ୍ ଜବ୍‌’ ସମ୍ମିଳନୀ

ଭୁବନେଶ୍ବର : ସ୍ବାଧୀନତା ପରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଗାଁକୁ ଫେରିଚାଲ ଡାକରା ଦେଇଥିଲେ। ମାତ୍ର ଶାସନରେ ଥିବା ଲୋକମାନେ ଏହାକୁ ଗୁରତ୍ବ ଦେଇ ନ ଥିଲେ। ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନରେ ଉନ୍ନତିକୁ ପ୍ରାଥମିକତା ଦିଆଯିବା ଜରୁରୀ। ଗ୍ରାମରାଜ୍ୟ ବିନା ରାମରାଜ୍ୟ ସମ୍ଭବ ନୁହେଁ ବୋଲି କହିଛନ୍ତି ଉପ-ରାଷ୍ଟ୍ରପତି ଏମ୍‌.ଭେଙ୍କୟା ନାଇଡୁ।

ଭାରତୀୟ ଯୁବା ଶକ୍ତି ଟ୍ରଷ୍ଟ (ବିୱାଇଏସ୍‌ଟି) ପକ୍ଷରୁ ଟାଟା ଷ୍ଟିଲ, ଜେ.କେ ପେ‌ପର ଓ ସିଆଇଆଇର ମିଳିତ ଉଦ୍ୟମରେ ‘କର୍ମନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ଯୁବଗୋଷ୍ଠୀଙ୍କୁ ସଶକ୍ତିକରଣ’ (ଏମ୍‌ପାୱରିଂ ୟଙ୍ଗ ଗ୍ରାମ୍‌ପ୍ରିନିୟର୍ସ ଟୁ କ୍ରିଏଟ୍ ଜବ୍‌) ସମ୍ମିଳନୀ ରେଳ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପ-ରାଷ୍ଟ୍ରପତି କହିଲେ, ଗାଁର ବିକାଶ ପାଇଁ କେନ୍ଦ୍ର, ରାଜ୍ୟ ସରକାରଙ୍କ ସହିତ ବେସରକାରୀ ଅନୁଷ୍ଠାନ ଆଗେଇ ଆସିବା ଦରକାର। ଭିତ୍ତିଭୂମିର ବିକାଶ ସହିତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଦକ୍ଷତାର ବିକାଶ ହେବା ଜରୁରୀ। ଗ୍ରାମାଞ୍ଚଳ ହେଉଛି ଭାରତ, ତେଣୁ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବାକୁ ହେବ। ସହରୀକରଣ ଏକ ବାସ୍ତବତା, ଏହାକୁ ଅଣଦେଖା କରି ହେବନାହିଁ। ଶିକ୍ଷା, ନିଯୁକ୍ତି, ଅର୍ଥନୈତିକ ବିକାଶ, ମନୋରଂଜନ ଓ ଡାକ୍ତରୀ ସୁବିଧା ସହରାଞ୍ଚଳରେ ଉପଲବ୍ଧ ହେଉଛି। ସେଥିପାଇଁ ଗ୍ରାମାଞ୍ଚଳରୁ ଲୋକମାନେ ସହରକୁ ଆସୁଛନ୍ତି। ଏକଦା ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ କହି‌ଥିଲେ, ଗ୍ରାମାଞ୍ଚଳର ଲୋକମାନଙ୍କୁ ସହରାଞ୍ଚଳ ଭଳି ସୁବିଧା ପ୍ରଦାନ କରିବାକୁ ହେବ। ଏଥିପାଇଁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଆବଶ୍ୟକ ତାଲିମ୍, ଭିତ୍ତିଭୂମି ଓ ପାଣ୍ଠି ଯୋଗାଇ ଦେବା ଆବଶ୍ୟକ। ଫଳରେ ସେମାନେ ଉଦ୍ୟୋଗୀ ହେବା ସହିତ ସ୍ବାବଲମ୍ବୀ ହୋଇପାରିବେ। ଗାନ୍ଧୀଜୀ, ଦୀନଦୟାଲ ଓ ଆମ୍ବେଦକର କହିଥିଲେ, ଗରିବରୁ ଅତି ଗରିବ ଲୋକଙ୍କ ଉତ୍‌ଥାନ ଆବଶ୍ୟକ। ସମାଜର ନିମ୍ନ ବର୍ଗର ଲୋକଙ୍କ ବିକାଶ ପ୍ରଥମେ ହେବା ଦରକାର। ଭାରତ ଭଳି ଦେଶରେ ୬୦ପ୍ରତିଶତ ଲୋକଙ୍କ ବୟସ ହେଉଛି ୩୦ରୁ କମ୍। ତେଣୁ ଗ୍ରାମାଞ୍ଚଳରେ ରହୁଥିବା ଯୁବକ/ଯୁବତୀଙ୍କ ଆକାଂକ୍ଷା ପୂରଣ କରିବା ଉପରେ ଗୁରୁତ୍ବ ଦେବାକୁ ହେବ।

ଗତ କିଛିବର୍ଷ ଧରି ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି। ଖଣିଜ ପଦାର୍ଥରେ ଭରପୁର ଏହି ରାଜ୍ୟରେ ରାଜପଥ ନିର୍ମାଣଠାରୁ ଆରମ୍ଭ କରି ବିଶ୍ବରୁ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇପାରିଛି। ଷ୍ଟାର୍ଟ ଅପ୍‌ରେ ଓଡ଼ିଶା ବେଶ୍ ଭଲ ପ୍ରଦର୍ଶନ କରିଛି। କେନ୍ଦ୍ର ସରକାର ମଧ୍ୟ ‌ସାମଗ୍ରୀକ ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। କେବଳ ସରକାର ସବୁକିଛି କରିବେ ବୋଲି ଛାଡ଼ି ନ ଦେଇ ଅନ୍ୟମାନେ ମଧ୍ୟ ଏଥିପାଇଁ ଆଗେଇ ଆସିବା ଉଚିତ୍। ଦେଶର ଜନସଂଖ୍ୟାର ୫୦ପ୍ରତିଶତ ହେଉଛନ୍ତି ମହିଳା। ମାତ୍ର ସେମାନଙ୍କୁ ଅବହେଳା କରାଯାଉଛି। ତେଣୁ ମହିଳାଙ୍କୁ ଛାଡ଼ି ଭାରତ ଆଗକୁ ବଢ଼ୁଛି ବୋଲି କହିବା ଠିକ୍ ହେବନାହିଁ। ମହିଳାଙ୍କୁ ଆବଶ୍ୟକ ଶିକ୍ଷା, ତାଲିମ୍ ଓ ସଶକ୍ତିକରଣ ଉପରେ ଗୁରୁତ୍ବ ଦେବାକୁ ହେବ। ସ୍ବାଧୀନତାର ୭୧ବର୍ଷ ପରେ ମଧ୍ୟ ୨୦ ପ୍ରତିଶତ ଲୋକ ଗରିବ ସୀମା ରେଖା ତଳେ ରହିଛନ୍ତି। ୨୨ ପ୍ରତିଶତ ମଧ୍ୟ ନିରକ୍ଷର। କେତେକ ରାଜ୍ୟରେ ଜାତି ଆଧାରରେ ଭେଦଭାବ କରାଯାଉଛି। ତେଣୁ ଏସବୁକୁ ଚିହ୍ନଟ କରି ସମାଧାନ କରିବା ସମସ୍ତଙ୍କର ଦାୟିତ୍ବ।

ଦେଶର ସମସ୍ତ ନାଗରିକଙ୍କ ନିକଟରେ କୌଣସି ନା କୌଣସି ପ୍ରତିଭା ରହିଛି। ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କ ଦକ୍ଷତାର ବିକାଶ କରିବାକୁ ହେବ। ନିଯୁକ୍ତି କେବଳ ଭାରତ ନୁହେଁ ବିଶ୍ବ ପାଇଁ ଏକ ପ୍ରମୁଖ ସମସ୍ୟା। ନିଯୁକ୍ତି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ। ଉଦ୍ୟୋଗୀ ହେବା ପାଇଁ ଯୁବକମାନଙ୍କୁ ପ୍ରୋତ୍ସାହିତ କରିବାକୁ ହେବ। ଦେଶର ଜିଡିପିର ୬.୧୧ ପ୍ରତିଶତ ଏମ୍‌ଏସ୍‌ଏମ୍‌ଇରୁ ଆସିଥାଏ। ତେଣୁ ଭାରତର ଆକାଂକ୍ଷାକୁ ପୂରଣ କରିବାକୁ ହେଲେ ଏମ୍‌ଏସ୍‌ଏମ୍‌ଇ ଓ କୁଟୀର ଶିଳ୍ପକୁ ଗୁରୁତ୍ବ ଦେବାକୁ ହେବ। ଗତ ୪ବର୍ଷରେ ଖଦୀ ବିକ୍ରିରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି। ଧୀରେ ଧୀରେ ଖଦୀ ଲୋକପ୍ରିୟ ହେବାରେ ଲାଗିଛି। ଏଭଳି ବ୍ୟବସ୍ଥାକୁ ଅନ୍ୟ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ହେବ। ଗ୍ରାମାଞ୍ଚଳରେ ଥିବା ସ୍ଥାନୀୟ ଉତ୍ପାଦକୁ ବ୍ରାଣ୍ଡିଂ କରିବାକୁ ହେବ। ବ୍ରାଣ୍ଡ ଇଣ୍ଡିଆକୁ ପୁନର୍ଜୀବିତ କରିବାକୁ ହେବ। ଦେଶର ପ୍ରତି ୧୦ଟି ନିଯୁକ୍ତିରୁ ୯ଟି ଅଣସଂଗଠିତ କ୍ଷେତ୍ରରୁ ଆସିଥାଏ। ଶିଳ୍ପ ପାଇଁ ଉଦ୍ୟୋଗ ହେଉଛି ଏକ ପ୍ରମୁଖ ମାଧ୍ୟମ। ତେଣୁ ଦେଶର ନୀତି ନିର୍ଦ୍ଧାରକମାନେ ଅଧିକରୁ ଅଧିକ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଆବଶ୍ୟକ ନୀତି ପ୍ରଣୟନ କରିବା ଉଚିତ୍। ଦେଶର ଯେତେ‌ ଉଦ୍ୟୋଗୀ ରହିଛନ୍ତି ତହିଁରେ ୧୪ ପ୍ରତିଶତ ହେଉଛନ୍ତି ମହିଳା। ମହିଳାଙ୍କ ସଶକ୍ତିକରଣର ସାମଗ୍ରୀକ ବିକାଶ ସହିତ ନିରନ୍ତର ବିକାଶର ଏଜେଣ୍ଡା ଦେବା ଦରକାର। କର୍ପୋରେଟ୍ ସାମାଜିକ ଦାୟିତ୍ବରେ କର୍ପୋରେଟ୍‌ଗୁଡ଼ିକ ଗ୍ରାମାଞ୍ଚଳ ଉପରେ ଅଧିକ ଗୁରୁତ୍ବ ଦେବା ଦରକାର ବୋଲି ଉପ-ରାଷ୍ଟ୍ରପତି କହିଥିଲେ।

ସମ୍ମାନିତ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ, ଗାନ୍ଧୀଜୀ ଦେଶର ପ୍ରତି ଗାଁର ବିକାଶ ପାଇଁ ସ୍ବପ୍ନ ଦେଖିଥିଲେ। ମାତ୍ର ଏହାକୁ ପାଳନ କରିବାରେ ଆମ‌ ଦେଶର ଶାସକମାନେ ବିଫଳ ହୋଇଛନ୍ତି। ଆମେ ଫିଜିକ୍ସ ଉପରେ ଗୁରୁତ୍ବ ଦେବାକୁ ଯାଇ ମେଟାଫିଜିକ୍ସକୁ ଭୁଲି ଯାଉଛନ୍ତି। ଇନୋଭେସନ୍‌ ଉପରେ ଗୁରୁତ୍ବ ଦେବାକୁ ଯାଇ ଇନରଭେସନ୍‌, ଇଣ୍ଟରନେଟ ଉପରେ ଗୁରୁତ୍ବ ଦେବାକୁ ଯାଇ ଇନରନେଟ୍‌କୁ ଭୁଲି ଯାଇଛୁ। ବୈଷୟିକ ଜ୍ଞାନ କୌଶଳ ଓ ଧର୍ମଶାସ୍ତ୍ର ଏକତ୍ର ଯିବାର ଥିଲା। ମାତ୍ର ତାହା ସମ୍ଭବ ହୋଇପାରି ନାହିଁ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଜଣେ ବ୍ୟକ୍ତି ପରିବହନ, ଷ୍ଟାର୍ଟ ଅପ୍, ମୁଦ୍ରା ବ୍ୟାଙ୍କ, ପର୍ଯ୍ୟଟନ ଓ ଅନ୍ୟାନ୍ୟ‌ କ୍ଷେତ୍ର‌କୁ ଗୁରୁତ୍ବ ଦେଉଛି। ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇ ତାଙ୍କ ଦକ୍ଷତା ପରଖିବା ଆବଶ୍ୟକ, ଦକ୍ଷତା ଦେଖି କାମ ଦେବା ଠିକ୍ ନୁହେଁ ବୋଲି ରାଜ୍ୟପାଳ କହିଥିଲେ।

ଏହି ଅବସରରେ ବିୱାଇଏସ୍‌ଟି ଓ ଜେ.କେ ପେପର ପକ୍ଷରୁ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବୁକଲେଟ୍ ଉନ୍ମୋଚିତ ହେବା ସହିତ ଓଡ଼ିଆରେ ବିୱାଇଏସ୍‌ଟି ଅନଲାଇନ୍‌ ଶିକ୍ଷା କାର୍ଯ୍ୟକ୍ରମର ଲୋକାର୍ପିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜେ.କେ ପେପରର ସଭାପତି ତଥା ନିର୍ଦେଶକ ଏ.ଏସ୍‌ ମେହେଟ୍ଟା, ଟାଟା ଷ୍ଟିଲର ସିଏସ୍‌ଆର ମୁଖ୍ୟ ସୌରଭ ରୟ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବିୱାଇଏସ୍‌ଟିର ପ୍ରତିଷ୍ଠାତା ତଥା ପରିଚାଳନା ଟ୍ରଷ୍ଟି ଲକ୍ଷ୍ମୀ ଭି ଭେଙ୍କଟେଶନ୍ ଅଭିଭାଷଣ ରଖିଥିବା ବେଳେ ସଦସ୍ୟ ସୌରଭ ଶ୍ରୀବାସ୍ତବ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର