କଟକରେ ପୁଣି ଏନ୍‌କାଉଣ୍ଟର : ଦୁର୍ଦାନ୍ତ କାଳନ୍ଦୀ ଖୁଣ୍ଟିଆ ଆହତ

କଟକ-ମହାନଦୀବିହାର : ଠିକ ୨୦ ଦିନର ବ୍ୟବଧାନରେ ପୁଣି ଜଣେ ଅଭିଯୁକ୍ତ କଟକ ପୁଲିସ୍‌ ଏନ୍‌କାଉଣ୍ଟରର ଶିକାର ହୋଇଛି। ମାତ୍ର ୬ ମାସ ଭିତରେ କଟକ ପୁଲିସର ଇଏ ହେଉଛି ଚତୁର୍ଥ ଏନ୍‌କାଉଣ୍ଟର। ସୋମବାର ପୁଲିସ ଏନ୍‌କାଉଣ୍ଟରରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ଅଭିଯୁକ୍ତ ହେଉଛି ଶଙ୍କରପୁର ଉପରସାହିର କାଳନ୍ଦୀ ଖୁଣ୍ଟିଆ। କାଳନ୍ଦୀର ଡାହାଣ ଗୋଡ଼ ଠିକ ଆଣ୍ଠୁ ଉପରକୁ ଗୁଳି ବାଜିଛି। ତା’ଠାରୁ ଗୋଟିଏ ରିଭଲ୍‌ଭର ଓ ଦୁଇ ରାଉଣ୍ଡ ଗୁଳି ଜବତ କରାଯାଇଛି। ଏହି ଏନକାଉଣ୍ଟରରେ ବାଦାମବାଡି ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ଆହତ ହୋଇଛନ୍ତି।

କାଳନ୍ଦୀ ବାଦାମବାଡ଼ି ବୋମା ମାଡ଼ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହୁଛି। ଆଜି ସଂଧ୍ୟାରେ କାଳନ୍ଦୀ ଓ ତା’ର ସହଯୋଗୀମାନେ ରାଜାବଗିଚା ସୁଇପର କଲୋନି ସାମନା କାଠଯୋଡି ବାଲିରେ ଅପରାଧ ଯୋଜନା କରୁଥିବା ସଂପର୍କରେ ଖବର ମିଳିଥିଲା। ବାଦାମବାଡି ଥାନା ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ୱରେ ସ୍ପେଶାଲ୍‌ ସ୍କ୍ଵାଡ୍‌ର ୪ ଜଣ ଓ ଥାନାର ୨ ଜଣ ପୁଲିସଙ୍କୁ ନେଇ ଏକ ଟିମ୍‌ କାଳନ୍ଦୀ ଓ ତା’ର ସହଯୋଗୀଙ୍କୁ ଧରିବା ପାଇଁ ଚଢଉ କରିଥିଲା। କିନ୍ତୁ କାଳନ୍ଦୀ ପୁଲିସ୍‌ କବଳରୁ ଖସି ଯିବା ପାଇଁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସ ସେମାନଙ୍କ ପିଛା କରିବା ସହ ପାଲଟା ଗୁଳି ଚଳାଇବାରୁ ଗୋଟିଏ ଗୁଳି କାଳନ୍ଦୀର ଗୋଡରେ ବାଜିଥିଲା ଏବଂ ସେ ସେଠାରେ ପଡ଼ି ଯାଇଥିଲା। କିନ୍ତୁ କାଳନ୍ଦୀର ଅନ୍ୟ ୩ ଜଣ ସହଯୋଗୀ ସେଠାରୁ ଫେରାର ହୋଇଯାଇଥିବା କୁହାଯାଉଛି। କାଳନ୍ଦୀ ବସ୍‌ ଓ ହୋଟେଲ୍‌ ବ୍ୟବସାୟ ସହ ସଂପୃକ୍ତ ବର୍ତ୍ତମାନ ଜେଲ୍‌ରେ ଥିବା ଜଣେ ବ୍ୟକ୍ତିଙ୍କ ଘନିଷ୍ଠ ବୋଲି କୁହାଯାଉଛି। ।

ଅନ୍ୟପଟେ କମିସନରେଟ ପୁଲିସର ଏଭଳି ଲଗାତର ଏନ୍‌କାଉଣ୍ଟର ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଗଲା ୫ ତାରିଖରେ ଦୁର୍ଦ୍ଦାନ୍ତ ସକିଲ ଅହମ୍ମଦର ସହଯୋଗୀ କୁହାଯାଉଥିବା ସେକ୍‌ ରାହୁଲ୍‌ ମହାନଦୀର ଚହଟା ଘାଟ ନିକଟରେ ପୁଲିସ ଗୁଳିରେ ଆହତ ହୋଇଥିଲା। ସେହିଭଳି ଅଗଷ୍ଟ ୧୫ ତାରିଖ ରାତିରେ ରଘୁ ଓରଫ ରଘୁନାଥ ଦାସକୁ ସିଡିଏ ଜଷ୍ଟିସ୍‌ ଗଡ଼ା ନିକଟରେ ପୁଲିସ ଏନ୍‌କାଉଣ୍ଟର କରିଥିଲା। ରଘୁର ବାମ ଗୋଡ଼ରେ ଗୋଟିଏ ଗୁଳି ବାଜିଥିଲା। ତା’ ପୂର୍ବରୁ ଏପ୍ରିଲ୍‌ ୧୭ ତାରିଖରେ ମହାନଦୀର ହାଡ଼ିଆପଠାରେ ସେକ୍‌ ବାବୁକୁ ପୁଲିସ୍‌ ଏନ୍‌କାଉଣ୍ଟର କରିଥିଲା। ୨୦୧୭ରେ କଟକ କମିସନରେଟ୍‌ ପୁଲିସ୍‌ ଏଭଳି ୪ଟି ଏନକାଉଣ୍ଟର ଜରିଆରେ ଅପରାଧୀଙ୍କୁ କାବୁ କରିଛି। କଟକ ପୁଲିସ ରେକର୍ଡରେ ଏହାକୁ ମିଶାଇ ଏଜାବତ୍‌ ମୋଟ ୮ଟି ଏନ୍‌କାଉଣ୍ଟର ହୋଇଛି।

ସମ୍ବନ୍ଧିତ ଖବର