ପିପିଲିରେ ପୁଣି ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ଆହତ, ପିସ୍ତଲ, ଗୁଳି ସହ ଗାଡ଼ି ଜବତ

ରହିଛି ୨୦ରୁ ଅଧିକ ମାମଲା

ପୁରୀ/ପିପିଲି : ପିପିଲିରେ ପୁଣି ଏନ୍‌କାଉଣ୍ଟର। ଗୁରୁବାର ବିଳମ୍ବିତ ରାତିରେ ପୁଲିସ ସହ ଗୁଳି ବିନିମୟରେ ପୁରୀ ତାଳବଣିଆ ଥାନା ବାଲିଘାଟର ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ଓରଫ ଭାଗୀରଥି ପ୍ରଧାନ(୪୮) ଗୁରୁତର ଆହତ ‌ହୋଇଛି। ପିପିଲି-ନିମାପଡ଼ା ରାସ୍ତାର ତରାକାଜା ଓଭରବ୍ରିଜ ନିକଟରେ ପିପିଲି ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଏହି ଏନ୍‌କାଉଣ୍ଟର କରିଥିବା ଜଣାପଡ଼ିଛି।

ତା’ଠାରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି, କ୍ୟାଟ୍ରିଜ୍‌ ଓ ଏକ ବାଇକ୍ ଜବତ କରାଯାଇଛି। ଭାଗୁର ବାମ ଗୋଡ଼ରେ ଗୁଳି ବାଜିଛି। ତା’କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାଗୁ ନାଁ’ରେ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି। ଏଥିରେ ତିନିଟି ହତ୍ୟା ମାମଲା ରହିଥିବା ପୁରୀ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଏକ ଡକାୟତି ମାମଲାରେ ପୁରୀ ପୁଲିସ ବହୁଦିନରୁ ଭାଗୁକୁ ଖୋଜୁଥିଲା। ଫେରାର ଥିବାରୁ ପୁଲିସ ତାକୁ ଧରିବାକୁ ସମର୍ଥ ହୋଇପାରିନଥିଲା। ତେବେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁଙ୍କ ନେତୃତ୍ବରେ ଗଠିତ ପୁଲିସ ଟିମ୍‌ ତରାକାଜା ବ୍ରିଜ୍‌ ନିକଟରେ ଭାଗୁକୁ ଅଟକାଇବାକୁ ଚେଷ୍ଟା କଲାବେଳେ ସେ ପୁଲିସ ଉପରକୁ ଗୁଳି କରି ଖସି ଯିବାକୁ ଚେଷ୍ଟା କରିଥିଲା। ତେବେ ପୁଲିସ ପାଲଟା ଗୁଳି ଚଳାଇବାରୁ ସେ ତଳେ ପଡ଼ିଯାଇଥିଲା। ଏହି ସମୟରେ ପୁଲିସ ତାକୁ ମାଡ଼ି ବସିଥିଲା। ଭାଗୁ ସହ ଧସ୍ତାଧସ୍ତି ବେଳେ ତାଳବଣିଆ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଆହତ ହୋଇଛନ୍ତି। ତାଙ୍କ ବାମ ହାତ କହୁଣିରେ ଗଭୀର କ୍ଷତ ସୃ‌ଷ୍ଟି ହୋଇଛି।

ତାଳବଣିଆ ଥାନା ଅଧିକାରୀଙ୍କ ଏତଲାକୁ ଭିତ୍ତିକରି ପିପିଲି ପୁଲିସ କେସ ନଂ.୨୬୬/୧୯ରେ ଆଇପିସିର ୩୪୧,୩୫୩,୩୦୭, ୫୦୬ ଓ ୨୫, ୨୭ ଆର୍ମସ ଆକ୍ଟରେ ଅଭିଯୁକ୍ତ ଭାଗୁ ନାମରେ ପୁଣି ଏକ ମାମଲା ରୁଜୁ କରିଛି। ଭାଗୁ ବହୁଦିନ ହେବ ପୁଲିସର ମୋଷ୍ଟ୍‌ ୱାଣ୍ଟେଡ୍‌ ତାଲିକାରେ ରହିଥିଲା। ସେ ଟେଣ୍ଡର ଫିକ୍ସିଂ, ଦାଦାବଟି ଆଦାୟ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥିଲା। ନିକଟରେ ଚର୍ଚ୍ଚିତ ପାରା ହତ୍ୟାକାଣ୍ଡ ଘଟଣାରେ ବି ତାର ସଂପୃକ୍ତି ଥିବା ଅଭିଯୋଗ ହୋଇଛି। କିନ୍ତୁ ପୁଲିସକୁ ବାରମ୍ବାର ଚକ୍‌ମା ଦେଖାଇ ସେ ଫେରାର ହୋଇଯାଉଥିଲା।

ଚଳିତ ବର୍ଷ ପିପିଲି ପୁଲିସ ଏହାକୁ ମିଶାଇ ୫ ଥର ଏନକାଉଣ୍ଟର କରିସାରିଲାଣି। ଏହା ପୂର୍ବରୁ ଗତ ଜାନୁଆରି ୧୧ରେ ପାରା ହତ୍ୟାକଣ୍ଡର ଅନ୍ୟତମ ଅଭିଯୁକ୍ତ ପୁରୀ ଅବକାଶ ଲେନର ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଓରଫ ଜିତେନ୍ଦ୍ର ସାହୁକୁ ପିପିଲି ଓ କୁମ୍ଭାରପଡ଼ା ପୁଲିସ ପିପିଲି-ଜଟଣୀ ରାସ୍ତାର ବାରିମୁଳ ଛକରେ ଏନ୍‌କାଉଣ୍ଟର କରିଥିଲା। ୨୦୧୮ ଜାନୁଆରିରେ ଚନ୍ଦନପୁର ଗୁଳିକାଣ୍ଡ ମାମଲାରେ ପିପିଲି କାଜିପାଟଣା ଗାଁ ନିକଟରେ ଚନ୍ଦନପୁର ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ସୁବାସ ପ୍ରଧାନ ଓ ମହାରାଷ୍ଟ୍ର ଓଖଲାର ଦୁର୍ଦ୍ଦାନ୍ତ ଅପରାଧୀ ଅମର ଓଁକାର ସୋଲାଙ୍କିଙ୍କୁ ଏନ୍‌କାଉଣ୍ଟର କରିଥିଲା। ସେହିଭଳି ପୁରୀ ପୌର ସଦସ୍ୟା ସତ୍ୟଭାମା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁରୀ ଗୋଖାସାହିର ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରାକୁ ଆଦିତ୍ୟ ବିରଳା ସ୍କୁଲ ସମ୍ମୁଖରେ ପୁଲିସ ଏନକାଉଣ୍ଟର କରିଥିଲା।

ସମ୍ବନ୍ଧିତ ଖବର