ହାଇଆଲର୍ଟରେ ଶକ୍ତି ବିଭାଗ, ଆପାର୍ଟମେଣ୍ଟ/ସୋସାଇଟି ମେନ୍ ସୁଇଚ୍ ଅଫ୍ ନ କରିବାକୁ ପରାମର୍ଶ

ଆଜି ରାତିରେ ଲାଇଟ୍ ବନ୍ଦ କରିବେ ଲୋକେ, ୯ମିନିଟର ବିଦ୍ୟୁତ କାଟ୍‌କୁ ନେଇ ଚିନ୍ତା

ଭୁବନେଶ୍ବର: କରୋନା ବିରୋଧରେ ଲଢ଼ିବା ସଂପର୍କରେ ମତ ବିନିମୟ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ସାମ୍ନାରେ ଏକ ଆହ୍ବାନ ରଖିଛନ୍ତି। ଆସନ୍ତାକାଲି ଅର୍ଥାତ୍ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଘରର ସମସ୍ତ ଲାଇଟ୍ ବନ୍ଦ କରିବାକୁ କୁହାଯାଇଛି। କେବଳ ସେତିକି ନୁହେଁ, ଏହି ସମୟରେ ଘର ଦ୍ବାର ମୁହଁରେ ଅଥବା ବାଲକୋନିରେ ମହମବତୀ, ଦୀପ, ଟର୍ଚ୍ଚ ଲାଇଟ୍, ମୋବାଇଲ୍ ଫ୍ଲାସ୍ ଲାଇଟ୍ ଆଦି ଜାଳିବାକୁ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ଏହି ଆହ୍ବାନର ଅନୁପାଳନ ଲାଗି ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ପ୍ରଚାର ଅଭିଯାନ ଜାରି ରହିଛି। ଅନ୍ୟପକ୍ଷରେ ଏକାସଙ୍ଗରେ ସମସ୍ତ ଲାଇଟ୍ ବନ୍ଦ ହେଲେ ପାଵାର ଗ୍ରିଡ୍ ଉପରେ ଏହାର କି ପ୍ରଭାବ ପଡ଼ିବ, ସେ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ହିସାବନିକାସ ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରାଳୟ ଦାୟିତ୍ବରେ ଥିବା ସଚିବ ଆଜି ସବୁ ରାଜ୍ୟର ଶକ୍ତି ସଚିବମାନଙ୍କୁ ହାଇଆଲର୍ଟରେ ରଖିଛନ୍ତି। କଣ କରିବେ, କଣ ନ କରିବେ, ସେ ନେଇ କେନ୍ଦ୍ର ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି। ଶକ୍ତି ବିଭାଗର ଅଧିକାରୀମାନେ କହିବା କଥା ଦେଶବାସୀ ୯ଟା ବେଳେ ଲାଇଟ୍ ବନ୍ଦ କରିବା ପରେ ହଠାତ୍ ବିଜୁଳି ଚାହିଦା ହ୍ରାସ ପାଇବ ଓ ଏହାର ପ୍ରଭାବ ବିଦ୍ୟୁତ ଗ୍ରିଡ୍‌ ଉପରେ ପଡ଼ିପାରେ। ସେହିଭଳି ହଠାତ୍ ଲାଇଟ୍ ଲଗାଇଲେ ମଧ୍ୟ ଫ୍ୟୁଜର ଆଶଙ୍କା ରହିଛି। ଏଣୁ ବ୍ଲାକ୍‌ଆଉଟ୍ ପୂର୍ବରୁ ଓ ପରେ ଗ୍ରିଡ୍‌ରେ ଭାରସାମ୍ୟ ରଖିବା ଉପରେ ଜୋର୍‌ ଦେବାକୁ ହେବ ଓ ସେବାକୁ ନିଶ୍ଚିତ କରିବାକୁ ପଡ଼ିବ।

ବରିଷ୍ଠ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦେଶ
ଏସି, କମ୍ପ୍ୟୁଟର, ଟିଭି ଆଦି ବନ୍ଦ କରନ୍ତୁନି

ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ମଧ୍ୟ ନିର୍ଦେଶନାମା ଜାରି କରିଛନ୍ତି। ଶକ୍ତି ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କେବଳ ଲାଇଟ୍ ଅଫ୍ କଥା କହିଛନ୍ତି। କେଉଁଠାରେ ବି ଏକଥା କୁହାଯାଇନି କି ସେହି ସମୟରେ ଘରର ଫ୍ରିଜ୍, କମ୍ପ୍ୟୁଟର, ଏସି, ଟିଭି, ଫ୍ୟାନ ଆଦି ବନ୍ଦ କରାଯିବ। ଏଣୁ ଏସବୁ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ। ସେହିଭଳି ଷ୍ଟ୍ରିଟ୍ ଲାଇଟ୍‌ ବନ୍ଦ ନ କରିବା ଲାଗି କୁହାଯାଇଛି। ଏହାଦ୍ବାରା ସେ ସମୟର କେହି କିଛି ଫାଇଦା ଉଠାଇ କୌଣସି ଅଘଟଣ ଘଟାଇ ଦେଇପାରେ। ସେହିଭଳି ଡାକ୍ତରଖାନା, ଥାନା, ସାଧାରଣ ଲୋକ ଆତଯାତ କରୁଥିବା ବିଭିନ୍ନ ଅଫିସ, ଉତ୍ପାଦନକାରୀ ଶିଳ୍ପ ଖୋଲା ରହିବ। ଏହାଦ୍ବାରା ଲୋଡ୍‌ରେ ଭାରସାମ୍ୟ ରହିପାରିବ ବୋଲି ଶକ୍ତି ବିଭାଗ ବିଚାର କରିଛି ଓ ତଦନୁଯାୟୀ ନିଜକୁ ପ୍ରସ୍ତୁତ କରିଛି। ଶ୍ରୀ ସେଠୀ ଆହୁରି କହିଛନ୍ତି ଯେ ଆସନ୍ତାକାଲି ରାତିର ନିର୍ଧାରିତ ଏହି ସମୟ ପୂର୍ବରୁ ଉତ୍ପାଦନକାରୀ ଓ ବଣ୍ଟନକାରୀ ସଂସ୍ଥାର ଦାୟିତ୍ବରେ ଥିବା ମୁଖ୍ୟ ପଦାଧିକାରୀଙ୍କ ସମେତ ସମସ୍ତେ ନିଜ ନିଜ ଅଫିସରେ ଉପସ୍ଥିତ ରହିବା ଲାଗି ନିର୍ଦେଶ ଦିଆଯାଇଛି। ବାକି କେନ୍ଦ୍ର ସରକାରଙ୍କ ଲୋଡ୍‌ ଡେସପାଚିଂ ସେଣ୍ଟରରୁ ଯେତେବେଳେ ଯେଉଁ ନିର୍ଦେଶ ଆସିବ, ସେ ଅନୁସାରେ ଏସ୍‌ଏଲ୍‌ଡିସି ଆବଶ୍ୟକ ବୈଷୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ମିଳୁଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ସମସ୍ତ ସ୍ବାଧୀନ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା, କେନ୍ଦ୍ରୀୟ ଓ ରାଜ୍ୟ ବିଦ୍ୟୁତ ପରିବହନ, ବିଦ୍ୟୁତ ବିତରଣରେ ନିୟୋଜିତ ଆଦି ସଂସ୍ଥା ପ୍ରମୁଖଙ୍କୁ ଗ୍ରିଡକୁ କିଭଳି ନିରାପଦ ରଖାଯିବ, େସ ନେଇ ସୂଚାଇ ଦିଆଯାଇଛି ଓ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି।

ଭୁବନେଶ୍ବର: କରୋନା(କୋଭିଡ-୧୯)ର ମୁକାବିଲା ପାଇଁ ନିଜ ଭିତରେ ଆତ୍ମବିଶ୍ବାସ ଆଣିବା ଓ ଏକତାକୁ ପରିପ୍ରକାଶ କରିବା ପାଇଁ ଆସନ୍ତାକାଲି ରାତି ୯ଟାରେ ଲାଇଟ୍ ବନ୍ଦ କରି ଦୀପ, ଟର୍ଚ, ମୋବାଇଲ ଫ୍ଲାସ ଲାଇଟ୍ ଜାଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି। ଏଥିପାଇଁ ‌ଜନସାଧାରଣ ନିଜ ଘରେ ଟିଭି, ରେଫ୍ରିଜରେଟର ଓ ଏସି ଇତ୍ୟାଦି ଚାଲୁ ରଖିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ସେହିପରି ରାସ୍ତାଘାଟ ଆଲୋକ ବ୍ୟବସ୍ଥା ସହ ହସ୍ପିଟାଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ସଂସ୍ଥା ଗୁଡ଼ିକରେ ବିଦ୍ୟୁତ ବ୍ୟବସ୍ଥା ଜାରି ରହିବ। ରାଜ୍ୟରେ ଥିବା ବିଭିନ୍ନ ହାଉସିଂ ସୋସାଇଟି/ଆପାର୍ଟମେଣ୍ଟ ଗୁଡ଼ିକରେ ମେନ ସୁଇଚ୍ ଅଫ୍ ନ କରିବା ପାଇଁ ସରକାର ଅନୁରୋଧ କରିଛନ୍ତି। ଜନସାଧାରଣ ସେହି ରାତି ୯ଟା ୯ ମିନିଟ୍‌ ପରେ ନିଜ ଘରର ଆଲୁଅ ଗୁଡ଼ିକୁ ଅଳ୍ପ ସମୟ ବ୍ୟବଧାନରେ କ୍ରମେ କ୍ରମେ ସୁଇଚ୍ ଅନ୍ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ରାଜ୍ୟରେ ଏବେ ସୁଦ୍ଧା ୬୧ଟି ସହରାଞ୍ଚଳର ୧୯ହଜାର ୭୫୯ ଜଣ ପଞ୍ଜୀକୃତ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା

ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୨୮ହଜାର ଅତିଥି ଶ୍ରମିକଙ୍କୁ ୪୧୮ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛି। ଆଜି ରାଜ୍ୟର ୫୧୯୯ ଗ୍ରାମ ପଞ୍ଚାୟତରେ ୩୦୭୧୭୩ ଜଣ ନିରାଶ୍ରମ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୦୭ଟି ପୌରାଞ୍ଚଳରେ ୨୩୫୭୪ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର