ଗ୍ରୁପ୍‌-ଡି ଚାକିରି ପାଇଁ ଆବେଦନ କରିଛନ୍ତି ଇଞ୍ଜିନିୟର, ଏମ୍‌ବିଏ

କଟକ : କଟକ ବଡ଼ ମେଡିକାଲରେ ଗ୍ରୁପ୍‌-ଡି ଅର୍ଥାତ ଚତୁର୍ଥ ଶ୍ରେଣୀ ପାହ୍ୟାର ଆଟେଣ୍ଡାଣ୍ଟ୍‌ ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲିଛି। ଶିକ୍ଷାଗତ ଯୋଗ୍ୟତା ରହିଛି ସପ୍ତମ ପାସ୍‌। କିନ୍ତୁ ଆବେଦନପତ୍ର ଯାଞ୍ଚ ସମୟରେ ଯେଉଁ ତଥ୍ୟ ସାମନାକୁ ଆସିଛି, ତାହା ବିସ୍ମୟ ସୃଷ୍ଟି କରିଛି। ଆଟେଣ୍ଡାଣ୍ଡ ଚାକିରି ପାଇଁ ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଇଞ୍ଜିନିୟର, ଏମ୍‌ବିଏ, ଗ୍ରାଜୁଏଟ୍‌ ଡିଗ୍ରିଧାରୀଙ୍କ ସହ ଅନେକ ଆଇଟିଆଇ ପାସ୍‌ କରିଥିବା ପିଲା।

ସୂଚନା ଅନୁସାରେ, ଚଳିତ ବର୍ଷ ଜାନୁଆରିରୁ ନିରାମୟ, ନିଦାନ୍‌ ଯୋଜନା କାର୍ଯ୍ୟକାରୀ ହେବା ପରେ ଏସ୍‌ସିବିରେ ରୋଗୀ ସଂଖ୍ୟା ତିନି ଗୁଣ ବଢିଛନ୍ତି। କିନ୍ତୁ ରୋଗୀ ସେବା ପାଇଁ ଆବଶ୍ୟକ ୫୫୪ ପଦ ଖାଲି ପଡିଛି। ୪୫୭ଟି ଓ୍ଵାର୍ଡ ଆଟେଣ୍ଡାଣ୍ଟ ପଦରୁ ୨୧୬ଟି ଖାଲି ପଡିଛି। ସେହିପରି ୪୦୨ ଜଣ ସୁଇପରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୧୮୧ଜଣ।

ଏବେ ୧୮୧ଟି ଆଟେଣ୍ଡାଣ୍ଟ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଏଥିପାଇଁ ୬୬୭୯ଜଣ ଆବେଦନ କରିଛନ୍ତି। ଆବେଦନପତ୍ର ଯାଞ୍ଚ ପରେ ୩୮୩୬ ଜଣଙ୍କୁ ବିଭିନ୍ନ କାରଣରୁ ବାଦ୍‌ ଦିଆଯାଇଛି। ଚୂଡ଼ାନ୍ତ ପର୍ଯ୍ୟାୟରେ ୨୮୪୩ ଜଣ ପ୍ରାର୍ଥୀ ରହିଥିବା ବେଳେ ଆଜି ପ୍ରଥମ ଦିନରେ ସିରିଏଲ୍‌ ନମ୍ବର ୧ରୁ ୪୮୦ ନମ୍ବର ପର୍ଯ୍ୟନ୍ତ ଆବେଦନକାରୀଙ୍କ ଆବେଦନପତ୍ର ଯାଂଚ କରାଯାଇଛି। ଏହି ୪୮୦ ଜଣଙ୍କ ମଧ୍ୟରେ ୨୦ରୁ ଅଧିକ ଏମ୍‌ବିଏ, ଇଂଜିନିୟରିଙ୍ଗ ତଥା ଉଚ୍ଚ ଡିଗ୍ରିଧାରୀ ପିଲା ରହିଥିବା ଏସ୍‌ସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର