ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ନୟାଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆଜି ଏକାସାଙ୍ଗେ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାଯାଇଛି। ତେବେ ଏଯାଏଁ ତାଙ୍କର କେତେ ଟଙ୍କାର ସଂପତ୍ତି ରହିଛି ତାର ସୂଚନା ମିଳିନାହିଁ। କିନ୍ତୁ ତାଙ୍କ ଘରୁ କେତେକ ବ୍ୟାଙ୍କ ପାସବୁକ୍ , ଜମିଜମା କାଗଜପତ୍ର ଆଦି ଜବତ କରାଯାଇଥିବା ଜଣାଯାଇଛି।

ଖାଲି ସେତିକି ନୁହେଁ ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କର ମୋବାଇଲର କଲ ରେକର୍ଡର ଯାଞ୍ଚ କରାଯାଉଥିବାର ବି ସୂଚନା ରହିଛି। ନୟାଗଡ଼ କ୍ଷୁଦ୍ର ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କ କାର୍ଯ୍ୟାଳୟ,ସରକାରୀ କ୍ୱାର୍ଟର୍ ଓ ଭୁବନେଶ୍ୱର ସ୍ଥିତ ନିଜ ଘର ସମେତ କେତେକ ବନ୍ଧୁବାନ୍ଧବଙ୍କ ଘରେ ବି ଚଢ଼ାଉ କରାଯାଇଛି।ଆଜି ଭୁବନେଶ୍ୱର ଏବଂ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଉଥିବାର ସୂଚନା ମିଳିଛି। ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର