ନିମାପଡା : ଭିଜିଲାନସ୍‌ ଜାଲରେ କୋଟିପତି ଯନ୍ତ୍ରୀ

ନିମାପଡ଼ା/ପୁରୀ : ଭିଜିଲାନସ୍‌ ଜାଲରେ ପୁଣି ଜଣେ କୋଟିପତି ଯନ୍ତ୍ରୀ। ପୁରୀ ଜିଲ୍ଲା ନିମାପଡା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଲକ୍ଷ୍ମୀଧର ବିଶ୍ବାଳ ତାଙ୍କ ଚାକିରି କାଳରେ ଠୁଳ କରିଛନ୍ତି ଅମାପ ସମ୍ପତ୍ତି। ଆଜି ଚଢାଉ ବେଳେ ତାଙ୍କର ପ୍ରାୟ ଦେଢ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଠାବ କରିଛି ଭିଜିଲାନସ୍‌ ବିଭାଗ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଶ୍ରୀ ବିଶ୍ବାଳଙ୍କ ପୁରୀ ବାସଭବନ, ପୈତୃକ ଗ୍ରାମ ବ୍ରାହ୍ମଣଖଣ୍ଡି, ନିମାପଡ଼ା ଅଫିସ ଓ କ୍ବାର୍ଟର, ବିକିଦେଉଳିସ୍ଥିତ ଶ୍ବଶୁରଙ୍କ ଘରେ ଚଢଉ ଜାରି ରହିଥିଲା। ନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଶ୍ବାଳଙ୍କୁ ତାଙ୍କ ପୁରୀ ବାସଭବନରେ ଅଟକ ରଖାଯାଇଛି। ନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଶ୍ବାଳଙ୍କର ପୁରୀରେ ୮୦ ଲକ୍ଷ ଟଙ୍କାର ଦୁଇଟି ସୁରମ୍ୟ କୋଠା ଥିବାବେଳେ କର୍ମକ୍ଷେତ୍ର ନିମ‌ାପଡ଼ାରେ ରହିଛି ଏକ ଆଜବେଷ୍ଟସ୍‌ ଘର। ଖାଲି ସେତିକି ନୁହେଁ, ଶ୍ରୀ ବିଶ୍ବାଳଙ୍କ ପାଖରେ ରହିଛି ୪୫ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ବିଳାସପୂର୍ଣ୍ଣ କାର। ଏଥି ସହିତ ୧୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୭ ଲକ୍ଷ ଟଙ୍କାର ବୀମା, ତିନୋଟି ମୋଟର ସାଇକଲ, ୧ ଲକ୍ଷ ୩୫ ହଜାର ଟଙ୍କାର ବ୍ୟାଙ୍କ ଜମା ଓ ୮ ଲକ୍ଷ ଟଙ୍କା ମୂଲ୍ୟର ଦାମୀ ଆସବାବପତ୍ର ରହିଥିବା ଭିଜିଲାନସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଚଳିତ ମାସ ୩୦ ତାରିଖରେ ଶ୍ରୀ ବିଶ୍ବାଳ ଅବସର ଗ୍ରହଣ କରିଥା‌ନ୍ତେ। ପୁରୀ ଭିଜିଲାନସ୍‌ ଡିଏସ୍‌ପି ହରନାରାୟଣ ପତି, ଭୁବନେଶ୍ବର ଭିଜିଲାନସ୍‌ ଡିଏସ୍‌ପି ସୁଶାନ୍ତ ପାଣିଗ୍ରାହୀ, ଇନ୍‌ସପେକ୍ଟର ସରିତା ତ୍ରିପାଠୀ, ଏ.କେ.ବରୁଆଙ୍କ ସମେତ ଷ୍ଟାଫ୍‌ ଚଢଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର