ଇଞ୍ଜିନିୟରିଂ ପଢ଼ିବାକୁ ଇଚ୍ଛା ନାହିଁ : ୪୨ ହଜାର ସିଟ୍‌ ପାଇଁ ୧୨ ହଜାର ପଞ୍ଜୀକରଣ, ଚଏସ୍‌ ଲକିଂ କରିଛନ୍ତି ୧୧,୪୦୦ ପିଲା

ଭୁବନେଶ୍ୱର : ଇଞ୍ଜିନିୟରିଂ ପଢ଼ିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ଛାତ୍ରଛାତ୍ରୀ। ନିଯୁକ୍ତି ଅଭାବ ସାଙ୍ଗକୁ ଆକର୍ଷଣୀୟ ଦରମା ମିଳୁ ନ ଥିବାରୁ ବି.ଟେକ୍‌ ପଢ଼ିବାକୁ ପିଲାଙ୍କ ମଧ୍ୟରେ ସେଭଳି ଆଗ୍ରହ ଦେଖିବାକୁ ମିଳୁନି। ଯେଉଁଥିପାଇଁ ଏଥର ବି ରାଜ୍ୟର ଅଧିକାଂଶ କଲେଜରେ ଅର୍ଧାଧିକ ସିଟ୍‌ ଖାଲି ପଡ଼ିବା ଏକପ୍ରକାର ଥୟ ହୋଇଯାଇଛି।

୨୦୧୮-୧୯ ଶିକ୍ଷାବର୍ଷରେ ବି.ଟେକ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଓଡ଼ିଶାର ଛାତ୍ରଛାତ୍ରୀ ଜେଇଇ ମେନ୍‌ ଦେବାକୁ ଯେଉଁଭଳି ଆଗ୍ରହ ଦେଖାଇଥିଲେ ସେହି ଅନୁଯାୟୀ ନାମଲେଖା ଲାଗି ଏଥର ଆଗ୍ରହ ଦେଖାଇ ନାହାନ୍ତି। ଚଳିତବର୍ଷ ରାଜ୍ୟର ୮ଟି ସରକାରୀ ଓ ୮୩ଟି ଘରୋଇ ଇଞ୍ଜିନିୟରିଂ କଲେଜର ୪୨ ହଜାର ୭୮୪ ସିଟ୍‌ ପାଇଁ ନାମଲେଖା ହେଉଛି। କିନ୍ତୁ ବି.ଟେକ୍‌ ପାଠ୍ୟକ୍ରମ ଲାଗି ଆଜି ନାମ ପଞ୍ଜୀକରଣ ପ୍ରକ୍ରିୟା ଶେଷ ହେବା ପରେ ଯେଉଁ ସ୍ଥିତି ନଜରକୁ ଆସିଛି ତାହାକୁ ନେଇ କଲେଜ କର୍ତୃପକ୍ଷମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଏଥର ମାତ୍ର ୧୨ ହଜାର ୫୦୦ ଛାତ୍ରଛାତ୍ରୀ ବି.ଟେକ୍‌ ପାଠ୍ୟକ୍ରମ ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ହଜାର ୪୦୦ ପିଲା ଚଏସ୍‌ ଲକିଂ କରିଛନ୍ତି।

୨୦୧୭-୧୮ ଶିକ୍ଷାବର୍ଷରେ ୧୩ ହଜାର ୬୦୦ ପିଲା ନାମ ପଞ୍ଜୀକରଣ କରିଥିବା ବେଳେ ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ ଚଏସ୍‌ ଫିଲିଂ କରିଥିଲେ। ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ୮,୧୫୨ ସିଟ୍‌ ପୂରଣ ହୋଇଥିଲା। ସରକାରୀ ଇଞ୍ଜିନିୟରିଂ କଲେଜରେ ୬୭୦ ଖାଲି ପଡ଼ିଥିଲା। ଘରୋଇ ଇଞ୍ଜିନିୟରିଂ କଲେଜ ସ୍ଥିତି ମଧ୍ୟ ସେଭଳି ଥିଲା। ରାଜ୍ୟର ୮୩ଟି ଘରୋଇ କଲେଜର ୩୯ ହଜାର ବି.ଟେକ୍‌ ସିଟ୍‌ ମଧ୍ୟରୁ ମାତ୍ର ୧୨% ଅର୍ଥାତ୍‌ ୪,୬୦୦ ସିଟ୍‌ ପୂରଣ ହୋଇଥିଲା। ୮ଟି କଲେଜରେ ଜଣେ ବି ହେଲେ ପିଲା ନାମ ଲେଖାଇ ନ ଥିଲେ। ୨୬ଟି କଲେଜରେ ୧୦ରୁ କମ୍‌ ପିଲା ନାମ ଲେଖାଇଥିଲେ।

ଗତବର୍ଷଠାରୁ ଏଥର ସ୍ଥିତି ଆହୁରି ଜଟିଳ ହେବା ନେଇ ଏବେଠାରୁ ଜଳଜଳ ଦିଶିଲାଣି। ତେଣୁ କଲେଜ କର୍ତୃପକ୍ଷଙ୍କ ମଧ୍ୟରେ ବି ଭାଳେଣି ପଡ଼ିଲାଣି। କେଉଁଠୁ ପିଲା ଆଣି ସିଟ୍‌ ପୂରଣ କରିବେ ସେନେଇ ତତ୍ପରତା ପ୍ରକାଶ ପାଇଛି। ଏଥର ୮ଟି ସରକାରୀ ଇଞ୍ଜିନିୟରିଂ କଲେଜରେ ୪ ହଜାର ୮୬ ସିଟ୍‌ ଓ ୮୩ଟି ଘରୋଇ କଲେଜରେ ୩୮ ହଜାର ୬୯୮ ସିଟ୍‌ ରହିଛି। ସେହିଦୃଷ୍ଟିରୁ ଦେଖିଲେ ଏଥର ବି ସିଟ୍‌ ଖାଲିପଡ଼ିବ। ବିଶେଷକରି ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକ କ୍ଷତିଗ୍ରସ୍ତ ହେବେ। ସରକାରୀ କଲେଜରେ ନାମ ଲେଖାଇବା ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିବ। ସରକାରୀ କଲେଜରେ ଥିବା ୪ ହଜାର ୮୬ ସିଟ୍‌ ଆଗ ପୂରଣ ହୋଇଯିବ। ଘରୋଇ କଲେଜରେ ଥିବା ୩୯ ହଜାର ୬୯୮ ସିଟ୍‌ ମଧ୍ୟରୁ ଅଧିକାଂଶ ଖାଲି ପଡ଼ିବ।

ଗତବର୍ଷ ତୁଳନାରେ ଏଥର ଅଧିକ ଛାତ୍ରଛାତ୍ରୀ ନାମଲେଖାଇବେ ବୋଲି ତଥାପି ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା) ଆଶା ପ୍ରକଟ କରିଛି। ଓପେକା ସମ୍ପାଦକ ବିନୋଦ ଦାସ କହିଛନ୍ତି ଯେ ନାମ ପଞ୍ଜୀକରଣ ଲାଗି ପିଲାଙ୍କୁ କମ୍‌ ସମୟ ମିଳିଲା। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ନାମ ପଞ୍ଜୀକରଣ ଚାଲିଥିବା ବେଳେ ମକ୍‌ ଲିଷ୍ଟ ପ୍ରକାଶ କରାଯିବା ଦ୍ୱାରା ଛାତ୍ରଛାତ୍ରୀ ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକ ପ୍ରତି ଆଗ୍ରହ ପ୍ରକାଶ କରିବେ। ଫଳରେ ଘରୋଇ କଲେଜରେ ସିଟ୍‌ ଖାଲି ରହିବ। ଏଭଳି କରାଯିବାର ନ ଥିଲା। ସରକାରୀ କଲେଜରେ ସିଟ୍‌ ଖାଲି ପଡ଼ୁଥିବାରୁ ଏମିତି କରାଯାଉଛି। ଆଗକୁ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବାକୁ ଥିବାରୁ ଆହୁରି ଅଧିକ ପିଲା ନାମଲେଖାଇବେ।

ନାମ ପଞ୍ଜୀକରଣ ଆଜି ସରିଥିବା ବେଳେ ଜୁଲାଇ ୨ରେ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ। ଜୁଲାଇ ୬ରୁ ୧୨ ତାରିଖ ମଧ୍ୟରେ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ଜୁଲାଇ ୭ରୁ ୧୨ ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ। ଜୁଲାଇ ୧୪ରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ। ଜୁଲାଇ ୧୮ରୁ ୨୦ ପର୍ଯ୍ୟନ୍ତ ଛାତ୍ର୍ରଛାତ୍ରୀ ଡକ୍ୟୁମେଣ୍ଟ ଯାଞ୍ଚ କରିବା ସହ ପ୍ରକ୍ରିୟାରୁ ଓହରିପାରିବେ। ଜୁଲାଇ ୨୩ରେ ଚୂଡ଼ାନ୍ତ ଆଲଟ୍‌ମେଣ୍ଟ ହେବ।

ସମ୍ବନ୍ଧିତ ଖବର