ଜୋତା ତିଆରି କାରଖାନା ପ୍ରତିଷ୍ଠା କରି ସ୍ୱାବଲମ୍ବୀ ହେଲେ ଦୁଇ ଇଞ୍ଜିନିୟର ଭାଇ

ଚାକିରୀ ପଛରେ ନଗୋଡ଼ାଇ ଅନ୍ୟକୁ ରୋଜଗାର ଦେଉଛନ୍ତି ପାର୍ଥ ସାରଥି ଓ ପାର୍ଥଧ୍ୱଜ

ଭୁବନେଶ୍ବର: ଚାକିରି ଉପରେ ଭରସା ନକରି ନିଜେ କିଛି କରି ଦେଖାଇବାର ଉଦ୍ୟମ । କେବଳ ଏତିକି ନୁହେଁ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟଙ୍କୁ ନିଯୁକ୍ତି ଦେବାର ଇଚ୍ଛା ଦୁଇ ଭାଇଙ୍କୁ ଆଣିଦେଇଛି ପରିଚୟ । ଇଞ୍ଜିନିୟରିଂ ପଢିବା ପରେ ବାଲେଶ୍ୱର ଜିଲ୍ଲା ବସ୍ତାରେ ଜୋତା କାରଖାନା ପ୍ରତିଷ୍ଠା କରିଛନ୍ତି ଦୁଇ ଭାଇ ପାର୍ଥ ସାରଥି ଓ ପାର୍ଥଧ୍ୱଜ ।

ଫ୍ଲାଇଙ୍ଗ ଇଗଲ ଷ୍ଟାଇଲ ଜୋତା କାରଖାନା । କାମରେ ଲାଗିଛନ୍ତି ବହୁ ଲୋକ । ତିଆରି ଚାଲିଛି ଭଳିକି ଭଳି ଡିଜାଇନର ଜୋତା । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ କୋଠପଦା ଗାଁର ଦୁଇ ଭାଈ ପାର୍ଥ ସାରଥି ସାହୁ ଓ ପାର୍ଥଧ୍ୱଜ ସାହୁ ଇଞ୍ଜିନିୟରିଂ ପାଠ ପଢିବା ପରେ ନିଜେ କିଛି କରି ଦେଖାଇବାର ଇଚ୍ଛା ରଖି ଜୋତା କାରଖାନା ଆରମ୍ଭ କରିଥିଲେ । ପାଠ ପଢା ସରିବା ପରେ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ବାହାର ରାଜ୍ୟକୁ ଯାଇ କିଛି ସମୟ କାମ କରିଲେ । ଆଉ ସେହି ଚାକିରୀରୁ ସଞ୍ଚିଥିବା ଟଙ୍କାରେ ଆରମ୍ଭ କରିଲେ ନିଜସ୍ୱ ଜୋତା ତିଆରି କାରଖାନା । ଆଉ ନିଜେ ରୋଜଗାରକ୍ଷମ ହେବା ସହ ୨୫ଜଣ ଯୁବକଙ୍କୁ କର୍ମ ନିଯୁକ୍ତି ବି ଦେଇଛନ୍ତି ।

ଅଲ୍ ଓଡିଶା ଟ୍ରେଡର୍ସର ସହଯୋଗରେ କମ୍ପାନୀର ରେଜିଷ୍ଟ୍ରେସନ କରି ଫ୍ଲାଇଙ୍ଗ ଇଗଲ ଷ୍ଟାଇଲ ଜୋତା କାରଖାନା ଆରମ୍ଭ କରିଛନ୍ତି ଏହି ଦୁଇ ଭାଇ । ତେବେ ଏହିସବୁ ଯୋତା ତିଆରି ପାଇଁ ଦିଲ୍ଲୀ, ଆଗ୍ରା, କଲିକତାରୁ ଆସିଥାଏ କଂଚାମାଲ । ଏବଂ ତିଆରି ସରିବା ପରେ ବିଭିନ୍ନ ଡିଷ୍ଟ୍ରିବ୍ୟୁଟରଙ୍କ ଜରିଆରେ ବିକ୍ରି ପାଇଁ ପଠାଇଥାନ୍ତି । କାରଖାନାରେ କାମ କରୁଥିବା କାରିଗରମାନେ ମାସକୁ ୫ରୁ ୭ ହଜାର ଟଙ୍କା ପାରିଶ୍ରମିକ ପାଉଥିବାବେଳେ ଦୁଇ ଭାଇ ମାସକୁ ପାଖାପାଖି ୪୫ରୁ ୫୦ହଜାର ଟଙ୍କା ରୋଜଗାର କରୁଛନ୍ତି ।

ସରକାରଙ୍କ ତରଫରୁ ସ୍ୱରୋଜଗାର ଯୋଜନା ଜରିଆରେ କିଛି ଆର୍ଥିକ ସହାୟତା ମିଳିପାରିଲେ ଆହୁରି ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ସହ ବିଭିନ୍ନ କିସମର ଯୋତା ତିଆରି କରିପାରନ୍ତେ ବୋଲି କହିଛନ୍ତି ଦୁଇ ଭାଈ ପାର୍ଥସାରଥି ସାହୁ ଓ ପାର୍ଥଧ୍ୱଜ ସାହୁ ।

ସମ୍ବନ୍ଧିତ ଖବର