ବିଧାନସଭାରେ ସାମ୍ବାଦିକଙ୍କ ପେନସନ୍‌ ଓ ସ୍ବାସ୍ଥ୍ୟବୀମା ପ୍ରସଙ୍ଗ : ସବୁ ବିଧାୟକଙ୍କ ମତ ଏକ

ପଦକ୍ଷେପ ନେବାକୁ ସରକାରଙ୍କୁ ବାଚସ୍ପତିଙ୍କ ନିର୍ଦେଶ

ଭୁବନେଶ୍ବର : ଅବସର ନେଇଥିବା ସାମ୍ବାଦିକଙ୍କ ଲାଗି ପେନସନ୍ ଯୋଜନା ଲାଗୁ କରିବା, କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ସହାୟତା ରାଶି ୨ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହିତ ସାମ୍ବାଦିକଙ୍କ ସୁରକ୍ଷା ଲାଗି ଆଇନ ପ୍ରଣୟନ କରିବା ଭଳି ଦାବି ଆଜି ବିଧାନସଭାରେ ଉଠିଛି।

ଗୃହ ସ୍ବାଭାବିକ ହେବା ମାତ୍ରେ ବିେରାଧୀ ଦଳ ନେତା ନରସିଂହ ମିଶ୍ର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ। କହିଥିଲେ, ସାମ୍ବାଦିକମାନେ ଅନେକ ପ୍ରତିକୂଳ ପରିସ୍ଥିତିରେ କାମ କରୁଛନ୍ତି। ସେମାନଙ୍କ ଲାଗି ସରକାର ଲାଗୁ କରିଥିବା ସ୍ବାସ୍ଥ୍ୟବୀମା ଯୋଜନାର ସହାୟତା ରାଶି ମାତ୍ର ୨ଲକ୍ଷ ଟଙ୍କା ରହିଛି। ବିଧାନସଭାର ପୂର୍ବତନ ସଦସ୍ୟମାନଙ୍କ ସ୍ବାସ୍ଥ୍ୟବୀମା ସହାୟତା ରାଶି ବୃଦ୍ଧି ହୋଇଛି। ସାମ୍ବାଦିକଙ୍କ ବିନା ବିଧାନସଭାର କୌଣସି ଆଲୋଚନା ଲୋକଙ୍କ ପାଖରେ ପହଞ୍ଚିବ ନାହିଁ। ତେଣୁ ସ୍ବାସ୍ଥ୍ୟବୀମା କ୍ଷେତ୍ରରେ ସାମ୍ବାଦିକଙ୍କୁ ମଧ୍ୟ ବିଧାୟକଙ୍କ ପରି ସମାନ ସୁବିଧା ମିଳିବା ଦରକାର। ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଗୁରୁବାର ଭେଟି ଆଲୋଚନା କରିଛନ୍ତି। ତେଣୁ ବାଚସ୍ପତି ଏ କ୍ଷେତ୍ରରେ ସରକାରଙ୍କୁ ଏକ ନିର୍ଦେଶ ଦେବା ଦରକାର। ସରକାର ଯଥାଶୀଘ୍ର ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ସହାୟତା ରାଶି ୫ଲକ୍ଷ ଟଙ୍କାକୁ ବଢ଼ାଇବା ଆବଶ୍ୟକ।

ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଦାବିକୁ ସମର୍ଥନ କରି କହିଲେ, ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ପୂର୍ଣ୍ଣ ସମ୍ମାନ ରହିଛି। ସେମାନଙ୍କ ସ୍ବାସ୍ଥ୍ୟବୀମା, ପେନସନ ଦାବି ନେଇ ବିଧାନସଭାରେ ମଧ୍ୟ ଦ୍ବିମତ ନାହିଁ। ସରକାର ସ୍ବାସ୍ଥ୍ୟବୀମା ଯୋଜନା ସହ ଅନେକ ବ୍ୟବସ୍ଥା ଲାଗୁ କରିଛନ୍ତି। ଯେତେବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତ୍ୟେକ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା ଦିଆଯାଉଛି ସେତବେଳେ ସାମ୍ବାଦିକଙ୍କ କ୍ଷେତ୍ରରେ ଏହା ତୁରନ୍ତ ଲାଗୁ ହେବା ଆବଶ୍ୟକ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଲେ, ସାମ୍ବାଦିକମାନେ ବିଧାୟକଙ୍କ ଭଳି ଲୋକଙ୍କ ପାଇଁ କଠିନ ପରିଶ୍ରମ କରୁଛନ୍ତି। ଦୁର୍ଗମ ନକ୍ସଲ ଅଞ୍ଚଳରୁ ଆରମ୍ଭ କରି ରାଜଧାନୀ ଯାଏଁ ସବୁ ପ୍ରକାର ପରିସ୍ଥିତିରେ ସେମା‌ନେ କର୍ତବ୍ୟରତ ଅଛନ୍ତି। ଛତିଶଗଡ଼ରେ ଓଡ଼ିଆ ପୁଅ ଅଚ୍ୟୁତାନନ୍ଦ ସାହୁ ସମ୍ବାଦ ସଂଗ୍ରହ ବେଳେ ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଲେ। ସେମାନଙ୍କ ଲାଗି ସରକାର ତୁରନ୍ତ ବିଚାର କରିବା ଦରକାର। ସ୍ବାସ୍ଥ୍ୟବୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି, ପେନସନ୍ ଓ ସୁରକ୍ଷା ଆଇନ ତୁରନ୍ତ ଲାଗୁ ହେବ ଆବଶ୍ୟକ। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଅନୁରୂପଭାବେ ମତ ରଖି ବିରୋଧୀ ଦଳ ନେତାଙ୍କ ବକ୍ତବ୍ୟକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ତୁରନ୍ତ ସାମ୍ବାଦିକଙ୍କ ଦାବି ପୂରଣ କରିବାକୁ ସେ ଦାବି କରିଥିଲେ। ବିଜେପି ବିଧାୟକ ରବି ନାରାୟଣ ନାୟକ, ବିଜେଡି ବିଧାୟକ ମହେଶ ସାହୁ ଓ ପ୍ରଭାତ ରଂଜନ ବିଶ୍ବାଳ ଏହି ପ୍ରସଙ୍ଗରେ ସମର୍ଥନ ଜଣାଇ ସାମ୍ବାଦିକଙ୍କ ଦାବି ପୂରଣ କରିବାକୁ କହିଥିଲେ।

ଶେଷରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଏହି ପ୍ରସଙ୍ଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। ଉଲ୍ଲେଖ ଯେ, ଗୁରୁବାର କାର୍ଯ୍ୟରତ ସାମ୍ବାଦିକମାନେ ୩ଟି ଦାବି ନେଇ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ବିରୋଧୀ ଦଳ ନେତାଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର