ପରିବେଶ ପ୍ରଦୂଷଣ: ନାଲ୍‌କୋକୁ ୫୮ ଲକ୍ଷ ଜରିମାନା ନୋଟିସ୍‌

ଅନୁଗୁଳ: ଖୋଲାରେ କ୍ଷତିକାରକ ବର୍ଜ୍ୟବସ୍ତୁ ପକାଇ ପରିବେଶ ପ୍ରଦୂଷଣ କରୁଥିବା ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ନବରତ୍ନ କଂପାନି ନାଲ୍‌କୋ ବିରୋଧରେ ୫୮ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଏକ ଯାଂଚକାରୀ ଦଳ କାରଖାନାର ସ୍ମେଲଟର୍‌ ପ୍ଲାଣ୍ଟ ପରିଦର୍ଶନ କରି କ୍ଷତିକାରକ ବର୍ଜ୍ୟବସ୍ତୁ ପରିଚାଳନାର ଦୁସ୍ଥିତି ଉପଲବ୍ଧି କରିବା ପରେ ଏହି ଜରିମାନା କଷିବାକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦକୁ ସୁପାରିସ କରିଥିବା ଜଣାପଡ଼ିଛିି। କ୍ଷତିକାରକ ଓ ଅନ୍ୟ ବର୍ଜ୍ୟବସ୍ତୁ ପରିଚାଳନା ଆଇନ ଅଧୀନରେ ୮ ଲକ୍ଷ ଜରିମାନା ଧାର୍ଯ୍ୟ ହୋଇଥିବା ବେଳେ ଖୋଲା ଜାଗାରେ କ୍ଷତିକାରକ ବର୍ଜ୍ୟବସ୍ତୁର ଅନୁଚିତ ବ୍ୟବହାର ଓ ଫିଙ୍ଗିବା ଆଇନ ଅଧୀନରେ ୫୦ ଲକ୍ଷ ଜରିମାନା ଧାର୍ଯ୍ୟ କରାଯାଇଛି। ପ୍ରଥମେ ନାଲ୍‌କୋକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ତେବେ ଉତ୍ତର ସନ୍ତୋଷଜନକ ନ ହେବାରୁ ପରିଷଦ ଏହି ଅର୍ଥ ଦଣ୍ଡ ଧାର୍ଯ୍ୟ କରିଛି। ଭୂତଳ ଜଳରେ ଫ୍ଲୋରାଇଡ୍‌ ଓ ସିଆନାଇଡ୍‌ ଭଳି ବିଷାକ୍ତ ଦ୍ରବ୍ୟ ରହିଥିବା ନମୁନା ପରୀକ୍ଷାରୁ ଜଣାପଡ଼ିଛି। ଗତ ଜାନୁଆରି ୧୮ ଓ ୧୯ ତାରିଖରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଅଧିକାରୀମାନେ ନାଲ୍‌କୋର ସ୍ମେଲ୍ଟର ପ୍ଲାଣ୍ଟ ପରିଦର୍ଶନ କରିବା ଅବସରରେ ୫ଶହ ଟନ୍‌ ଆନୋଡ୍‌ ବଟ୍‌ ଓ ଆଲୁମିନିୟମ ଡ୍ରସ ଖୋଲାରେ ରଖାଯାଇଥିବା ଦେଖାଯାଇଥିଲା। ଏହା ବର୍ଷା ଓ ପବନ ଦ୍ୱାରା ମାଟି ଓ ଭୂତଳ ଜଳକୁ ପ୍ରଦୂଷିତ କରିବାର ଆଶଙ୍କା ରହିଛି। କଂକ୍ରିଟ କାନ୍ଥ ନ ଥାଇ ୬ ହଜାର ଟନ୍‌ ଆଲୁମିନିୟମ ଡ୍ରସ୍‌ ଖୋଲା ଜାଗାରେ ପଡ଼ିଥିଲା। ଯାହା ଆଖପାଖ ଅଞ୍ଚଳକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ବାଥ ରିସାଇକ୍ଲିଂ ପାଇଁ ହୋଇଥିବା ମିଲ୍‌ରେ ଆଲୁମିନିୟମ ଡ୍ରସ୍‌ ରିପ୍ରସେସିଂ କରାଯାଉଛି; ଯଦିଓ ଏଥିପାଇଁ ସ୍ୱତନ୍ତ୍ର ମିଲ୍‌ କରିବାକୁ ପରିଷଦ ୨୦୧୫ ମସିହାରୁ ନିର୍ଦ୍ଦେଶ(ଚିଠି ନଂ.୧୫୨୭୭) ଦେଇଥିଲା। ଅନ୍ୟ ବର୍ଜ୍ୟ ଠାରୁ କାର୍ବନକୁ ଅଲଗା କରି ସ୍ୱତନ୍ତ୍ର ସେଡ୍‌ରେ ରଖିବା ପାଇଁ ପରିଷଦ ଅନେକ ପୂର୍ବରୁ ଚିଠି(୮୪୧୪/୨୦୧୭) ଲେଖିଥିଲେ ମଧ୍ୟ ଏଥିପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପାଖାପାଖି ୪୦ ହଜାର ଟନ୍‌ ଏସ୍‌ପିଏଲ୍‌ ବିଶୋଧନ କରାନଯାଇ ସିଧାସଳଖ ଏସ୍‌ଏଲ୍‌ଏଫ୍‌ରେ ଛାଡ଼ି ଦିଆଯାଉଛି। ଏହାର ଭୟାବହତା ପରୀକ୍ଷା କରିବାକୁ ଯାଇ ତିନୋଟି ନମୁନା ସଂଗ୍ରହ କରି ପରୀକ୍ଷା କରା ଯାଇଥିଲା। ଏଥିରେ ବିଷାକ୍ତ ଫ୍ଲୋରାଇଡ୍‌ ଓ ସିଆନାଇଡ୍‌ ମାତ୍ରା ଠାରୁ ଅଧିକ ରହିଥିବା ଜଣାପଡ଼ିଛି। ବଡ଼କଥା ନଳକୂପ ପାଣିରେ ମଧ୍ୟ ଏହି ବିଷାକ୍ତ ପଦାର୍ଥର ମାତ୍ରା ଦେଖିବାକୁ ମିଳିଥିବା ପରିଷଦ ରିପୋର୍ଟରେ ଉଲ୍ଲେଖ କରିଛି। ଏ ବାବଦରେ ନାଲ୍‌କୋ କର୍ତ୍ତୃପକ୍ଷଙ୍କୁ ମଧ୍ୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଚିଠି(୭୦୭୧/୧୮) ଲେଖି ଅବଗତ କରିଛି। ନାଲ୍‌କୋ ଜନ ସମ୍ପର୍କ ଅଧିକାରୀ ସମୀର ମାଝୀ କହିଛନ୍ତି ଏ ନେଇ ମୋ’ପାଖରେ କୌଣସି ସୂଚନା ନାହିଁ।

ସମ୍ବନ୍ଧିତ ଖବର