ଭୁବନେଶ୍ୱରରେ ହେବ ଇଏସ୍‌ଆଇସି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ

କର୍ମଚାରୀ ରାଜ୍ୟ ବୀମା ନିଗମଙ୍କ ୧୭୩ତମ ବୈଠକରେ ନିଷ୍ପତ୍ତି

ପ୍ରଥମ ପର୍ଯ୍ୟାୟରେ ୧୫୦ଶଯ୍ୟା, ପରେ ୨୫୦ ଶଯ୍ୟାକୁ ବଢ଼ିବ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଜଗନ୍ନାଥ ପ୍ରସାଦ ମୌଜାରେ ହେବ ଇଏସ୍‌ଆଇସି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ। ଗତ ଫେବ୍ରୁଆରି ମାସ ୧୬ତାରିଖରେ ରାଜ୍ୟ ବୀମା ନିଗମଙ୍କ ୧୭୩ତମ ବୈଠକରେ ଜଗନ୍ନାଥ ପ୍ରସାଦଠାରେ ୧୫୦ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଖୋଲିବା ପାଇଁ ମଞ୍ଜୁର ହୋଇଛି। ଏଥିପାଇଁ ରାଜ୍ୟ ସରକାର ୨୫ଏକର ସରକାରୀ ଜାଗା ଯୋଗାଇ ଦେଇଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମଙ୍କ ଦ୍ୱାରା ୧୩.୯୭କୋଟି ଟଙ୍କା ବ୍ୟୟରେ ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ।

ଆଜି ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ କହିଲେ, ୨୦୦୮ ମସିହା ଅକ୍ଟୋବର ୭ତାରିଖରେ କର୍ମଚାରୀ ରାଜ୍ୟ ବୀମା ନିଗମ ପ୍ରତ୍ୟେକ ରାଜ୍ୟରେ ୨୫ଏକର ପରିମିତି ଜାଗାରେ ଗୋଟିଏ ଇଏସ୍‌ଆଇ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀ ଉପକଣ୍ଠ ଜଗନ୍ନାଥ ପ୍ରସାଦ ମୌଜାରେ ଏଥିପାଇଁ ୨୫ଏକର ଜାଗା ଯୋଗାଇ ଦିଆଯାଇଥିଲା। ୨୦୧୪ ମସିହା ମାର୍ଚ ୨ତାରିଖରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ତେବେ ୨୦୧୫ ମସିହା ଅକ୍ଟୋବର ୯ତାରିଖରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଏହି ପ୍ରକଳ୍ପକୁ ଘୁଞ୍ଚାଇ ଦିଆଯାଇଥିବା ଚିଠିରେ ଜଣାଇଥିଲେ।

ଏହା ଉପରେ ପୁନର୍ବିଚାର କରି ଭୁବନେଶ୍ୱରରେ ଏଏସ୍‌ଆଇସି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଓ ତତ୍କାଳୀନ ଶ୍ରମ ମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଆବଣ୍ଟିତ ଜମିରେ ୫୦୦ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ଜଗନ୍ନାଥ ପ୍ରସାଦରେ ହେବାକୁ ଥିବା ଇଏସ୍‌ଆଇସି ମେଡିକାଲ କଳେଜ ଏଣ୍ଡ ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟରେ ୧୦୦ଶଯ୍ୟା ମାଧ୍ୟମିକ ଚିକିତ୍ସା ପାଇଁ ଓ ୫୦ଶଯ୍ୟା ଅତି ଉନ୍ନତ ମାନର ଚିକିତ୍ସା ପାଇଁ ସଂରକ୍ଷିତ ରହିବ। ପରବର୍ତୀ ସମୟରେ ଏହାକୁ ୨୫୦ଶଯ୍ୟାକୁ ବଢ଼ାଯିବ। ଏଥିରେ ୧୫୦ଶଯ୍ୟା ମାଧ୍ୟମିକ ଚିକିତ୍ସା ଓ ୧୦୦ଶଯ୍ୟା ଅତି ଉନ୍ନତ ମାନର ଚିକିତ୍ସା ପାଇଁ ସଂରକ୍ଷିତ ରହିବ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ସେ ଆହୁରିମଧ୍ୟ କହିଥିଲେ ଯେ, ରାଜ୍ୟରେ ଏବେ ୪ଟି ଏଏସ୍‌ଆଇ ହସ୍ପିଟାଲ ରହିଛି। ଭୁବନେଶ୍ୱରରେ ୫୦ଶଯ୍ୟା, ଚୌଦ୍ୱାରରେ ୧୦୦ଶଯ୍ୟା, କାଂସବାହାଲରେ ୫୦ଶଯ୍ୟା ଓ ଜେକେପୁରରେ ୨୫ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟ କରୁଛି। ଆଗାମୀ ଦିନରେ ଅନୁଗୁଳରେ ଓ ଡୁବୁରୀରେ ୧୦୦ଶଯ୍ୟା ଲେଖାଏଁ ଦୁଇଟି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଏହାସହ ପାରାଦୀପରେ ୧୦୦ଶଯ୍ୟା, ବାଲେଶ୍ୱର, ବ୍ରହ୍ମପୁର ଓ ଜୟପୁରଠାରେ ୩୦ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଯୋଜନା ରହିଛି।

ସମ୍ବନ୍ଧିତ ଖବର