ଲାଗିଲା ଏସମା: ଏସବୁ ବିଭାଗର କର୍ମଚାରୀ ଆନ୍ଦୋଳନ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କୋରୋନା ସ୍ଥିତି ଦୃଷ୍ଟିରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜଳଯୋଗାଣ ଓ ପରିମଳ ସେବା ପାଇଁ ଏସମା ଲାଗୁ କରାଯାଇଛି । ରାଜ୍ୟର ସବୁ ସହରାଞ୍ଚଳରେ ୬ ମାସ ପାଇଁ ଏସ୍‌ମା ଲାଗୁ କରାଯାଇଛି | ଜଳଯୋଗାଣ ଓ ପରିମଳ ସେବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଧର୍ମଘଟ ମନା କରାଯାଇଛି | ନିର୍ଦ୍ଦେଶ ସତ୍ୱେ ଯେଉଁମାନେ ଆନ୍ଦୋଳନ ବା ଧର୍ମଘଟ କରିବେ ସେମାନଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି | କରୋନା ସମୟରେ ଆନ୍ଦୋଳନ ନକରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି | ସେହିପରି ଘରୋଇ ଗାଡି ଚଳାଚଳ ଉପରେ କଟକଣା ଲଗାଯାଇଛି । ଗାଡି ଚଳାଇବା ପାଇଁ ଥାନାରୁ ପାସ ଆଣିବାକୁ ପଡିବ । ଯେଉଁମାନଙ୍କୁ ଯିବାର ଅନୁମତି ଅଛି ସେମାନଙ୍କୁ ବି ପାସ ଆବଶ୍ୟକ ବୋଲି ପୁଲିସ କମିଶନର୍ କହିଛନ୍ତି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପାସ ଆଣିବାକୁ ନିୟମ ଜାରି କରାଯାଇଛି । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର୍ କହିଛନ୍ତି । ନିଜର ସୁରକ୍ଷା ଓ ସମାଜର ସୁରକ୍ଷା ପାଇଁ ଦାୟିତ୍ୱବାନ ହେବାକୁ ପୁଲିସ କମିଶନର୍ କହିଛନ୍ତି |

phoenixsun.co.za

ଏଠାରେ ସୂଚନା ଥାଉ କି ଗତକାଲି ୨୫ଟି ବିଭାଗର କର୍ମଚାରୀଙ୍କୁ ଅଫିସ ଆସିବାକୁ ସରକାର ବାରଣ କରିଥିଲେ । ଏହି ସମୟରେ ସରକାରୀ କାର୍ଯ୍ୟ ଯେପରି ବ୍ୟାହତ ନ ହେବ, ସେଥିପାଇଁ ସମସ୍ତ ବିଭାଗର କର୍ମଚାରୀଙ୍କୁ କ୍ରିଟିକାଲ୍‌, ଆଂଶିକ କ୍ରିଟିକାଲ୍‌ ଓ ଅଣକ୍ରିଟିକାଲ ଏପରି ୩ଟି ବର୍ଗରେ ବାଣ୍ଟିଥିଲେ । କ୍ରିଟିକାଲ ବର୍ଗର କର୍ମଚାରୀ ନିୟମିତ ଅଫିସ ଆସିବା ସହ ଆଂଶିକ କ୍ରିଟିକାଲ୍‌ ବର୍ଗରେ ଆସୁଥିବା ବିଭାଗୀୟ କର୍ମଚାରୀମାନଙ୍କର ଅଫିସ ଆସିବା ନେଇ ସମ୍ପୃକ୍ତ ବିଭାଗର ଶାସନ ସଚିବମାନେ ନିଷ୍ପତ୍ତି ନେବେ। ଅନ୍ୟପଟେ ଅଣକ୍ରିଟିକାଲ ବର୍ଗ ବିଭାଗର କର୍ମଚାରୀମାନେ ଏହି ସମୟରେ ଅଫିସ୍‌ ନ ଆସି ଟେଲିଫୋନ୍‌ ଯୋଗେ କ୍ଷେତ୍ରୀୟ ସ୍ତରରେ ବିଭାଗୀୟ କାର୍ଯ୍ୟର ତଦାରଖ କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ସମବାୟ, ଅବକାରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଜଙ୍ଗଲ ଓ ପରିବେଶ ବିଭାଗ, ହସ୍ତତନ୍ତ ଓ ବୟନ, ଉଚ୍ଚଶିକ୍ଷା, ଆଇନ, ଶିଳ୍ପ, ଶ୍ରମ ଓ ଇଏସ୍‌ଆଇ, ଏମ୍‌ଏସ୍‌ଏମ୍‌ଇ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ସଂସଦୀୟ ବ୍ୟାପାର, ଯୋଜନା ଓ ସଂଯୋଜନ, ସାଧାରଣ ଉଦ୍ୟୋଗ, ଗ୍ରାମ୍ୟ ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା, ଭିନ୍ନକ୍ଷମ ସଶକ୍ତୀକରଣ, ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି, ବିଜ୍ଞାନ ଓ କାରିଗରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଇସ୍ପାତ ଓ ଖଣି, ପର୍ଯ୍ୟଟନ ଏବଂ ଜଳ ସମ୍ପଦ ବିଭାଗର କର୍ମଚାରୀମାନଙ୍କୁ ଅଣକ୍ରିଟିକାଲ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ବିଭାଗର କର୍ମଚାରୀମାନେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଅଫିସ ଆସିବେ ନାହିଁ। କିନ୍ତୁ ଜରୁରୀ ପରିସ୍ଥିତିରେ ଯେ କୌଣସି କର୍ମଚାରୀଙ୍କୁ ଡକାଗଲେ ସମ୍ପୃକ୍ତ କର୍ମଚାରୀ ଅଫିସରେ ହାଜର ହେବେ।

ଏହାସହିତ କ୍ଷେତ୍ରୀୟ ସ୍ତରରେ ଏହି ବିଭାଗଗୁଡ଼ିକର କାର୍ଯ୍ୟ କିପରି ଚାଲିଛି ସେଥିପାଇଁ ଫୋନ୍‌ ଯୋଗେ ବିଭାଗୀୟ ଅଧିକାରୀମାନେ ତଦାରଖ କରିବେ ବୋଲି ନିର୍ଦ୍ଦେଶ ରହିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଗୃହ ଓ ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଏସ୍‌ଆର୍‌ସି ଓ ଓସ୍‌ଡ୍‌ମା ବିଭାଗର କର୍ମଚାରୀମାନଙ୍କୁ କ୍ରିଟିକାଲ୍‌ ବର୍ଗରେ ସାମିଲ କରାଯାଇଛି। ଏସବୁ ବିଭାଗର ସମସ୍ତ କର୍ମଚାରୀ ନିୟମିତ ଅଫିସ ଆସିବା ସହ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସେବା ଯୋଗାଇବେ। ଏହାସହିତ ବିଭାଗୀୟ ନିର୍ଦ୍ଦେଶାଳୟ, ସରକାରୀ ଉଦ୍ୟୋଗଗୁଡ଼ିକ ସମ୍ପୃକ୍ତ ବିଭାଗର ଶାସନ ସଚିବଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ। ସେହିପରି ବାଣିଜ୍ୟ ଓ ପରିବହନ, ଇଲେକ୍ଟ୍ରୋନିକ୍‌ସ ଓ ଆଇଟି, ଶକ୍ତି, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ବ, ଏସ୍‌ସି ଓ ଏସ୍‌ଟି ବିକାଶ, ଓ ନିର୍ମାଣ ବିଭାଗର କର୍ମଚାରୀମାନଙ୍କୁ ଆଂଶିକ କ୍ରିଟିକାଲ୍‌ ବର୍ଗରେ ସାମିଲ କରାଯାଇଛି। ଏହି ବିଭାଗର କର୍ମଚାରୀମାନେ ବିଭାଗୀୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ଅଫିସ ଆସିବେ। ଏସବୁ ବିଭାଗ ଅଧୀନରେ ଥିବା ସାଧାରଣ ଉଦ୍ୟୋଗୁଡ଼ିକରେ ସର୍ବନିମ୍ନ କର୍ମଚାରୀଙ୍କୁ ଅଫିସ ଆସିବା ଉପରେ ଗୁରୁତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର