‘ଲୋକଙ୍କ ଭାବାବେଗ ପ୍ରତି ସମ୍ବେଦନଶୀଳ ହୁଅ’

ଓଏଏସ୍‌ ସଂଘର ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ଉଦ୍‌ଯାପିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ସଫଳ ରୂପାୟନ କରିବାରେ ଓଏଏସ୍‌ ଅଧିକାରୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଥାଆନ୍ତି। ରାଜ୍ୟ ସେମାନଙ୍କ ନିକଟରୁ ଆହୁରି ଅଧିକ ଆଶା କରେ। ସେମାନେ ମଧ୍ୟ ସାଧାରଣ ଜନତାଙ୍କ ଭାବାବେଗ ପ୍ରତି ଯଥେଷ୍ଟ ସମ୍ବେଦନଶୀଳ ହେବା ଉଚିତ। ଜାଭିୟର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ସଭାକକ୍ଷରେ ଚାଲିଥିବା ରାଜ୍ୟ ପ୍ରଶାସନିକ ସେବା ସଂଘର ଦ୍ୱିବାର୍ଷିକ ସାଧାରଣ ଅଧିବେଶନର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଏଏସ୍‌ ଅଧିକାରୀମାନଙ୍କୁ ଏପରି ପରାମର୍ଶ ଦେଇଛନ୍ତି। ୧୯୯୯ ମସିହା ମହାବାତ୍ୟାରୁ ଶିକ୍ଷାଲାଭ କରିଥିବା ରାଜ୍ୟ ଓଡ଼ିଶା ୨୦୧୩ରେ ଫାଇଲିନ୍‌ର ସଫଳ ମୁକାବିଲା କରି ପାରିଥିଲା। ଖାଦ୍ୟଶସ୍ୟ ଉତ୍ପାଦନ ସମେତ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ପ୍ରଗତି କରୁଛି। ଏହି ପ୍ରକ୍ରିୟାରେ ଓଏଏସ୍‌ ଅଧିକାରୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। ତେଣୁ ରାଜ୍ୟର ଓଏଏସ୍‌ ଅଧିକାରୀମାନଙ୍କୁ ସବୁକ୍ଷେତ୍ରରେ ସୁରକ୍ଷା ଯୋଗାଇଦେବା ସହ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଏହି ଅବସରରେ ଆନୁଷ୍ଠାନିକ ଉତ୍କର୍ଷତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅଧିକାରୀମାନଙ୍କ ନିଷ୍ଠା, କର୍ମକୁଶଳତା ଓ ପ୍ରଶାସନିକ ଦକ୍ଷତା ଉପରେ ରାଜ୍ୟର ବିକାଶ ପ୍ରକ୍ରିୟା ନିର୍ଭର କରେ ବୋଲି ଶ୍ରୀ ବେହେରା କହିଥିଲେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ, ୫୦ ହଜାର ନୂତନ ନିଯୁକ୍ତି ସହିତ ରାଜ୍ୟରେ ମାନବ ସମ୍ବଳର ବୃଦ୍ଧି ହୋଇଛି। ଓଏଏସ୍‌ ଅଧିକାରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ବଦ୍ଧପରିକର। ଇନ୍‌ସର୍ଭିସ୍‌ ତାଲିମ୍‌, କ୍ୟାଡର୍‌ ପୁନର୍ବିନ୍ୟାସ ଭଳି ସେମାନଙ୍କର ବିଭିନ୍ନ ଦାବି ଉପରେ ସରକାର ନିଷ୍ଠାର ସହିତ ବିଚାର କରୁଥିବା ମୁଖ୍ୟ ଶାସନ ସଚିବ ଏହି ଅବସରରେ ପ୍ରକାଶ କରିଥିଲେ। ରାଜ୍ୟରେ ଗ୍ରାମୀଣ ଇଲାକାରେ ପାନୀୟ ଜଳଯୋଗାଣ ହେଉ ଅବା ପକ୍କାଗୃହ ନିର୍ମାଣ, ସବୁ କ୍ଷେତ୍ରରେ ଓଏଏସ୍‌ ଅଧିକାରୀମାନେ ନିଷ୍ଠାର ସହିତ କାର୍ଯ୍ୟ କରୁଥିବା ସଂଘର ନୂତନ ସଭାପତି ସରୋଜ କୁମାର ସାମଲ ପ୍ରକାଶ କରିଥିଲେ। ମାତ୍ର କ୍ୟାଡର୍‌ ପୁନର୍ବିନ୍ୟାସକୁ ନେଇ ଏହି ଅଧିକାରୀମାନେ ଖୁସି ନଥିବା ଏହି ଅବସରରେ ସୂଚାଇ ଦେଇଥିଲେ। ଏହା ସହ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାରେ ୪ ସଚିବ ଏବଂ ୧୫ ଜିଲ୍ଲାପାଳ ପଦବି ଓଏଏସ୍‌ ଅଧିକାରୀମାନଙ୍କ ନିମନ୍ତେ ସଂରକ୍ଷିତ ରଖିବାକୁ ସେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ। ଲଘୁ ଖଣିଜ ଲୁଟେରାମାନଙ୍କ କବଳରୁ ଓଏଏସ୍‌ ଅଧିକାରୀମାନଙ୍କୁ ସୁରକ୍ଷା ଦେବାକୁ ପୁଣି ଦାବି କରାଯାଇଥିଲା। ୧୦ଟି ଜିଲ୍ଲା ପରିବର୍ତ୍ତେ ସମସ୍ତ ଜିଲ୍ଲାରେ ଓଆଇଏସ୍‌ଏଫ୍‌ ନିୟୋଜନ କରାଯିବାକୁ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା। ସଂଘର ସଂପାଦକ ଜ୍ୟୋତିରଂଜନ ମିଶ୍ର ସଂଘର ବିଭିନ୍ନ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ଏକ ସ୍ମରଣିକାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ନବନିର୍ବାଚିତ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ମନୋଜ ସ୍ୱାଇଁ, ଶାନ୍ତନୁ ମହାନ୍ତି, କୈଳାସ ଚନ୍ଦ୍ର ଦାସ, ଆଶିଷ କୁମାର ଜେନା, ଅନୀତା ପଣ୍ଡା, ବିନୋଦ ପଣ୍ଡା ଓ ଅମ୍ବିକା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଉପସଭାପତି ବିଜୟ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର