ପୁଣି ଜୋରଦାର ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ : ମାଟିରେ ମିଶିଲା ବଡ଼ଆଖଡ଼ା

ଭକ୍ତ ନିବାସରେ ମହନ୍ତ, ସାଧୁସନ୍ଥ, ସାନଛତା ମଠ ଭାଙ୍ଗିବା ପାଇଁ ପ୍ରସ୍ତୁତି

ପୁରୀ : ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍‌ କ୍ୟୁରି ଓ ସଲିସିଟର୍‌ ଜେନେରାଲ୍ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦକୁ ସବୁଜ ସଙ୍କେତ ଦେଇ ଫେରିବାର କେଇ ଘଣ୍ଟା ଭିତରେ ଜିଲ୍ଲା ପ୍ରଶାସନ ୭୫ ମିଟର ଉଚ୍ଛେଦ ଅଭିଯାନକୁ ପୁଣି ଥରେ ଜୋରଦାର୍‌ କରିଛି। ବାଦବିବାଦ ଓ ବିରୋଧାଭାସ ସତ୍ତ୍ବେ ଆଜି ବଡ଼ଆଖଡ଼ା ମଠକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ଜିଲ୍ଲା ପ୍ରଶାସନ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ୬ରୁ ଅଧିକ ଜେସିବି ଲଗାଇ ଦୁଇ ମହଲା ବିଶିଷ୍ଟ ଏହି ପ୍ରାଚୀନ କୋଠାକୁ ଭାଙ୍ଗି ଦିଆଯାଇଛି। ଏହାସହ ଏଠାରେ ଥିବା ୩୦ରୁ ଅଧିକ ଦୋକାନ ଘର ମାଟିରେ ମିଶିଛି। ତେବେ ମଠ ପରିସରସ୍ଥିତ ମନ୍ଦିରକୁ ହାତ ମାରିନି ପ୍ରଶାସନ। ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନଙ୍କୁ ଟାଉନ୍ ଥାନା ପାଖ ନୀଳାଦ୍ରି ଭକ୍ତ ନିବାସକୁ ସ୍ଥାନାନ୍ତର କରାଯାଇଛି। ଏହି ଉଚ୍ଛେଦ ସହ ଜିଲ୍ଲା ପ୍ରଶାସନ ସ୍ପଷ୍ଟ ସଂକେତ ଦେଇଛି କି ଶ୍ରୀମନ୍ଦିରର ଶ୍ରୀବୃଦ୍ଧି ଓ ସୁରକ୍ଷା ଦିଗରେ କୌଣସି ସାଲିସ୍ କରାଯିବନି। ଅନ୍ୟପଟେ ବଡ଼ଛତା ମଠ ସଂଲଗ୍ନ ସାନଛତା ମଠ ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବଡ଼ଆଖଡ଼ା ମଠର ବାକି ଅଂଶ ଭଙ୍ଗାଯିବା ପରେ ସାନଛତା ମଠ ଉଚ୍ଛେଦ ହେବ।

ଜିଲ୍ଲା ପ୍ରଶାସନ ଗତ ୨ ତାରିଖ ସକାଳୁ ବଡ଼ଆଖଡ଼ା ମଠ ଭାଙ୍ଗିବା ପାଇଁ ଜେସିବି, ସୁରକ୍ଷା ବଳ ସହ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ କଡ଼ା ବିରୋଧର ସାମ୍‌ନା କରିଥିଲା। ଉଚ୍ଛେଦକୁ ମଠ ମହନ୍ତଙ୍କ ସମେତ ନାଗା ସାଧୁସନ୍ଥମାନେ ଦୃଢ଼ ବିରୋଧ କରିଥିଲେ। ସାଧୁସନ୍ଥମାନେ ମଠ କୋଠା ଉପରେ ବସି ଜେସିବିର ବାଟ ଅବରୋଧ କରିଥିଲେ। ସେପଟେ ବିଶ୍ବହିନ୍ଦୁ ପରିଷଦ ଏବଂ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ୧୫ଜଣିଆ ସର୍ବଦଳୀୟ କମିଟି ବି ଉଚ୍ଛେଦ ବିରୋଧରେ ଆନ୍ଦୋଳନ ଚେତାବନୀ ଦେଇଥିଲା। ସର୍ବଦଳୀୟ କମିଟି ସହ ଆଲୋଚନା ପରେ ଜିଲ୍ଲାପାଳ ମଠ ଉଚ୍ଛେଦ କୌଣସି ପରିସ୍ଥିତିରେ ବନ୍ଦ ହୋଇ ପାରିବନି ବୋଲି କହିଥିଲେ। ତଥାପି ୪ ଦିନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ବଡ଼ଆଖଡ଼ା ମଠ‌ରେ ହାତ ମାରିନଥିଲା। ଗତକାଲି ଆମିକସ୍‌ କ୍ୟୁରି ଉଚ୍ଛେଦକୁ ସ୍ବାଗତ କରିବା ସହ ରାଜ୍ୟ ସରକାରଙ୍କ ଐତିହ୍ୟ ସହର ସ୍ବପ୍ନକୁ ସବୁଜ ସଙ୍କେତ ଦେବା ପରେ ଆଜିଠାରୁ ଜିଲ୍ଲା ପ୍ରଶାସନ ଉଚ୍ଛେଦକୁ ଜୋରଦାର କରିଛି। ଆଜି ସକାଳୁ ୬ରୁ ଅଧିକ ମାଜିଷ୍ଟ୍ରେଟ୍‌ ଓ ଶହ ଶହ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଲଙ୍ଗୁଳି ମଠ ପାର୍ଶ୍ବରୁ ପ୍ରଶାସନ ଉଚ୍ଛେଦ କାମ ଆରମ୍ଭ କରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ବଡ଼ଆଖଡ଼ା ମଠର ୮୦ ପ୍ରତିଶତ ଘର ଭାଙ୍ଗି ଦିଆଯାଇଛି। ସ୍ଥାନୀୟ ଗଣେଶ ମେଢ଼ ଯୋଗୁଁ ବାକି ଘର ଆଜି ଭଙ୍ଗାଯାଇନାହିଁ। ପ୍ରଶାସନର ନିର୍ଦେଶ ପାଇ ଗଣେଶ ମେଢ଼ ଆଜି ସନ୍ଧ୍ୟା ସୁଦ୍ଧା ହଟାଇ ଦିଆଯାଇଥିବା ବେଳେ ଆସନ୍ତାକାଲି ସକାଳେ ବାକି ଅଂଶ ଭାଙ୍ଗି ଦିଆଯିବ ବୋଲି ଜଣାପଡ଼ିଛି।

ଉଚ୍ଛେଦ ପାଇଁ ଆଜି ବଡ଼ଦାଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଓଏସ୍‌ଏଏଫ୍‌ ସହ ପୁଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଥିଲେ। ସିଂହଦ୍ବାରଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାରିକେଡ୍ ପକାଇ ଉଚ୍ଛେଦ କାର୍ଯ୍ୟ ଚାଲିଥିଲା। ମଠ ଭଙ୍ଗା କାମ ସରିବା ପରେ ତତ୍କାଳ ଭଗ୍ନାବଶେଷ ଉଠା କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର