ଶ୍ରୀମନ୍ଦିର ୭୫ ମିଟର ଉଚ୍ଛେଦ : ଆରମ୍ଭ ହେଲା ବ୍ୟକ୍ତିଗତ ଘର ଭଙ୍ଗା

ପୁରୀ :   ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ଉଚ୍ଛେଦ କ୍ରମରେ ଆଜି ଜିଲ୍ଲା ପ୍ରଶାସନ ବ୍ୟକ୍ତିଗତ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି। ଆଜି ଅପରାହ୍ଣରେ ମଣିକର୍ଣ୍ଣିକା ସାହି ମୌଜା ଅନ୍ତର୍ଗତ ଧାନକୁଟି ସାହିରେ ବୁଲଡୋଜର୍‌ ସହାୟତାରେ ଏକାଧିକ ବ୍ୟକ୍ତିଗତ ଘର ଭଙ୍ଗାଯାଇଛି। ଏହି ସାହିର ସଦାଶିବ ସାହୁ, କଳିଯୁଗ ପ୍ରତିହାରୀ ଓ ସଂଯୁକ୍ତା ସାମଲଙ୍କ ଘର ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ପ୍ରଥମ ଦିନରେ ସଦାଶିବ ସାହୁଙ୍କ ଘର ସଂପୂର୍ଣ୍ଣ ଭାଙ୍ଗି ଦିଆଯାଇଛି। ସେହିଭଳି କଳିଯୁଗ ପ୍ରତିହାରୀଙ୍କ ଘର ଆଂଶିକ ଭଙ୍ଗାଯାଇଥିବାବେଳେ ଆସନ୍ତାକାଲି ସକାଳ ୮ଟାରୁ ପୁଣି ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଏହି ଉପଲକ୍ଷେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଧାନକୁଟି ସାହି ପ୍ରବେଶ ପଥ ସହ ଉଚ୍ଛେଦ ସ୍ଥଳରେ ବହୁ ପୁଲିସ ମୁତୟନ ହୋଇଥିଲେ। ଗତ ଦୁଇଦିନ ଧରି ଜିଲ୍ଲା ପ୍ରଶାସନ ଦୋଳବେଦି କୋଣ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉଚ୍ଛେଦ ଜାରି ରଖିଥିଲା। ଏହି ଉଚ୍ଛେଦ ପ୍ରକ୍ରିୟା ଶେଷ ପରେ ଆଜି ଅପରାହ୍ଣରେ ଜିଲ୍ଲା ପ୍ରଶାସନ ସହ ବିକ୍ରି ଚୁକ୍ତି କରି ସାରିଥିବା ବ୍ୟକ୍ତିଗତ ଘର ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯେହେତୁ ଏହି ଗଳି ସଂକୁଚିତ , ସେହି ଦୃଷ୍ଟିରୁ ଏକମାତ୍ର ଜେସିବି ଲଗାଇ ପ୍ରଥମେ ସଦାଶିବଙ୍କ ଘରକୁ ଭାଙ୍ଗି ଦିଆଯାଇଥିଲା। ଆସନ୍ତାକାଲି ସଂଯୁକ୍ତା ସାମଲ ଓ କଳିଯୁଗ ପ୍ରତିହାରୀଙ୍କ ଘର ଭଙ୍ଗାଯିବ। ପର୍ଯ୍ୟାୟକ୍ରମେ ବିକ୍ରି ଚୁକ୍ତି କରି ସାରିଥିବା ଅନ୍ୟମାନଙ୍କ ଘର ଭଙ୍ଗାଯିବ। ଇତି ମଧ୍ୟରେ ଜିଲ୍ଲା ପ୍ରଶାସନ ସହ ବିକ୍ରି ଚୁକ୍ତି କରି ସାରିଥିବା ପ୍ରତିହାରୀ ନିଯୋଗ, ଭିତର ସେବାୟତ ନିଯୋଗ ସହ ଲଜ୍‌ ଘର ସବୁ ଭାଙ୍ଗିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ଭିତରେ ୧୮୫ଟି ପ୍ଲଟ୍ ରହିଥିବାବେଳେ ଏହାର ମାଲିକମାନଙ୍କ ସହ ବିକ୍ରି ଚୁକ୍ତି ସ୍ବାକ୍ଷର ନେଇ ଜିଲ୍ଲା ପ୍ରଶାସନ ଆଲୋଚନା ଜାରି ରଖିଛି। ଏହା ଭିତରେ ବହୁ ଜମି ମାଲିକ ଜିଲ୍ଲା ପ୍ରଶାସନ ସହ ବିକ୍ରି ଚୁକ୍ତି ସ୍ବାକ୍ଷର କରିଛନ୍ତି। ବାକି ଯେଉଁମାନଙ୍କ ଘରଡିହ ୭୫ ମିଟର ଭିତରେ ରହିଛି, ସେମାନଙ୍କ ଜମି ଅଧିଗ୍ରହଣ ନେଇ ଆଲୋଚନା ଅବ୍ୟାହତ ରହିଛି। ଏହି ଉପଲକ୍ଷେ ଡିସେମ୍ବର ୨ରେ ଶେଷ ହେଉଥିବା ଅତିରିକ୍ତ ୧୦ ପ୍ରତିଶତ ଦେୟ ଅବଧି ଡିସେମ୍ବର ୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧିତ ଖବର