ପୂର୍ବତନ କର୍ପୋରେଟର ଏବେ ଚପଲ ଦୋକାନ ସେଲ୍‌ସମ୍ୟାନ୍‌

ବିଜେଡି ପ୍ରେମରେ ବର୍‌ବାଦ

କଟକ : ବିଜୁ-ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିଲେ । କର୍ପୋରେଟର ହେଲେ । ପାଞ୍ଚ ବର୍ଷ କାର୍ଯ୍ୟକାଳରେ ଲୋକଙ୍କ ସେବା କରି ଶ୍ରଦ୍ଧାର ପାତ୍ର ହେଲେ । ଏବେ ସବୁ କିଛି ଓଲଟପାଲଟ ହୋଇଗଲା । ପଦବି ଯିବା ପରେ ସବୂ ଗଲା। ପେଟ ପାଇଁ ଏବେ ତାଙ୍କୁ ଚପଲ ଦୋକାନରେ କାମ କରିବାକୁ ପଡୁଛି । ଇଏ ହେଉଛି ପୂର୍ବତନ ବିଜେଡି କର୍ପୋରେଟର ଅବଦୁଲ ମଲିକ୍‌ଙ୍କ ଜୀବନ କଥା।

୧୭ବର୍ଷର ବିଜେଡି ରାଜନୀତିରେ ନେତା,କର୍ମୀ ବିଳାସ ବ୍ୟସନରେ ବଞ୍ଚୁଥିବା ବେଳେ ସଂଘର୍ଷ କରୁଛନ୍ତି ଅବଦୁଲ ମଲ୍ଲିକ। ସିଏମସି ୧୬ ନଂ ଓ୍ଵାର୍ଡର ଅବଦୁଲ ଜଲିଲଙ୍କ ପୁଅ ଅବଦୁଲ ମଲିକ ପିଲାଟି ବେଳୁ ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବା କରୁଥିଲେ । ମଦ୍ରାସା ଶିକ୍ଷା ପରେ ହୋଟେଲ ବ୍ୟବସାୟ ସହିତ ଟ୍ୟାକ୍ସି ବ୍ୟବସାୟ ଆରମ୍ଭ କରିଥିଲେ। ସେଥିରେ ସେ ସୁରୁଖୁରୁରେ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ୨୦୦୯ରେ ଅବଦୁଲ ବିଜେଡିର ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇ ୧୬ ନଂ ଓ୍ଵାର୍ଡରେ କର୍ପୋରେଟର ନିର୍ବାଚନରେ ବିଜେଡି ଟିକେଟ ପାଇଁ ଆବେଦନ କରିଥିଲେ । ଦଳ ନିୟମ ଅନୁଯାୟୀ ତାଙ୍କୁ ୨୦୦୯ରେ ସାକ୍ଷାତକାର ପରୀକ୍ଷା ଦେବାକୁ ପଡ଼ିଥିଲା। ସୂର୍ଯ୍ୟ ପାତ୍ର, ରଘୁ ମହାନ୍ତି, ପ୍ରଫୁଲ୍ଲ ଘଡେଇ ପ୍ରମୁଖ ତାଙ୍କୁ ଟିକେଟ ଦେବାକୁ ସୁପ୍ରିମୋଙ୍କୁ ସୁପାରିଶ କରିଥିଲେ। ସେ କଂଗ୍ରେସର ମହମ୍ମଦ ଫମିଦଙ୍କୁ ୨୪୪ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ । ଲୋକସେବା ଓ ଉତ୍ତମ ଲୋକସମ୍ପର୍କ ପାଇଁ ତାଙ୍କୁ ନଗର ସଂଖ୍ୟାଲଘୁ ସେଲର ସଭାପତି ପଦ ପାଇଁସୁଯୋଗ ମିଳିଥିଲା। ସେ ଏହାକୁ ପ୍ରତ୍ୟାଖାନ କରିଥିଲୋ କିନ୍ତୁ ରାଜନୀତି ପାଇଁ ତାଙ୍କ ହୋଟେଲଟି ବନ୍ଦ ହୋଇଯାଇଥିଲା ।

ନିର୍ବାଚନରେ ଅର୍ଥର ଆବଶ୍ୟକତା ହେତୁ ଟ୍ୟାକ୍ସିଟି ମଧ୍ୟ ବିକ୍ରି ହୋଇଯାଇଥିଲା । ଫଳରେ ପରିବାର ଉପରେ ଆର୍ଥିକ ବୋଝ ପଡ଼ିଥିଲା । ଏପରି ସ୍ଥିତିରେ ତାଙ୍କ ପତ୍ନୀ ଫୌଜିଆ ତମସିଲା ଟିଉସନ କରି ପରିବାର ଚଳାଇଲେ । ତେବେ ପାଞ୍ଚ ବର୍ଷ ପରେ ସ୍ଥାନ ସଂରକ୍ଷଣ ନିୟମରେ ୧୬ନଂ ଓ୍ଵାଡ (ଏବେ ୧୯ ନଂ)ଟି ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ପରେ ଅବଦୁଲଙ୍କୁ ପୁର୍ନବାର ସୁଯୋଗ ମିଳି ନଥିଲା। ତେଣୁ ସେ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ରୋଜଗାର ନଥିବା ତାଙ୍କୁ ପରିବାର ଚଳାଇବା କଷ୍ଟକର ହୋଇପଡିଲା । ଏପରିକି ନିଜ ଚାଳଘର ଖଣ୍ଡକ ଛପର ହୋଇପାରି ନଥିବାବେଳେ ବୃଦ୍ଧ ବାପାଙ୍କୁ ସେ ଓଷଧ ଦେଇପାରି ନଥିଲେ । ଫଳରେ ସେ ବାଧ୍ୟ ହୋଇ ଚାକିରି ଖଣ୍ଡେ ପାଇଁ ୟା’ତା’ ପାଖରେ ଶରଣ ପଶିଥିଲେ । କିନ୍ତୁ ପ୍ରତ୍ୟକ୍ଷ ରାଜନୀତିରେ ସଂଶ୍ଲିଷ୍ଟ ଯୋଗୁ କେହି ତାଙ୍କୁ ପାଖେ ପୂରାଇ ନ ଥିଲେ । ତେବେ ତାଙ୍କ ଅସହାୟତା ତଥା ପରିବାରର ଆର୍ଥିକ ଅବସ୍ଥା ଶୁଣି କଟକ ବଜ୍ରକବାଟିରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନ ମାଲିକ ତାଙ୍କ ଯୋତା ଦୋକାନରେ କାମ କରିବା ପାଇଁ ଅବଦୁଲଙ୍କୁ ସୁଯୋଗ ଦେଇଛନ୍ତି।

ଦୀର୍ଘ ଦେଢବର୍ଷ ହେବ ସେ ଯୋତା ଦୋକାନରେ କାମ କରୁଛନ୍ତି । ତେବେ ପଦବି ଗଲା ପରେ ଦଳରେ ତାଙ୍କର ଗୁରୁତ୍ୱ ନଥିବା ସେ ସ୍ୱୀକାର କରିଛନ୍ତି । ପୂର୍ବରୁ ଆଠଗଡ ଏନ୍‌ଏସିର ଜଣେ କାଉନସିଲର ପେଟ ପୋଷିବା ପାଇଁ ଗୁଜୁରାଟ ପଳାଇଥିବା ବେଳେ ନରସିଂହପୁର ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷା ମୂଲ ଲାଗୁଥିବା ଖବର ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା । ନବୀନ ସରକାରରେ ବହୁ କର୍ମୀ ଘିଅମହୁରେ ଭାସୁଥିବାବେଳେ ଅବଦୁଲଙ୍କ ଭଳି କିଛି କର୍ମୀ ଜୀବନ ପାଇଁ ସଂଘର୍ଷ କରୁଛନ୍ତି।

ସମ୍ବନ୍ଧିତ ଖବର