ପୂର୍ବତନ କର୍ପୋରେଟର ରଂଜିତା ବିଶ୍ୱାଳ ଓ ସହଯୋଗୀ ଗିରଫ

୩ ବଂଧୁକ, ୭ ରାଉଣ୍ଡ ଗୁଳି ଜବତ

କଟକ-ମହାନଦୀବିହାର : ପୂର୍ବତନ କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ପୁଣି ଗିରଫ କରିଛି ପୁଲିସ। ତାଙ୍କ ନିକଟରୁ ଗୋଟିଏ ୯ ଏମ ଏମ ପିସ୍ତଲ, ଗୋଟିଏ ୭ ଏମ ଏମ ପିସ୍ତଲ ଏବଂ ୫ ରାଉଣ୍ଡ ଗୁଳି ଜବତ କରାଯାଇଛି। ଗ୍ୟାଙ୍ଗଷ୍ଟର ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କ ଘନିଷ୍ଠ ସହଯୋଗୀ ଭାବେ ପୂର୍ବରୁ ରଂଜିତାଙ୍କୁ ଗିରଫ କରାଯାଇଥିବା ବେଳେ ସେ ଜାମିନରେ ଆସିଥିଲେ। କିନ୍ତୁ ତାଙ୍କ ପାଖରେ ବେଆଇନ ବଂଧୁକ ଥିବା ସୂଚନା ପାଇ ପୁଲିସ ଚଢଉ କରିବା ସହ ତାଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଚଉଳିଆଗଞ୍ଜ ଥାନା ପୁଲିସ ପାଟ୍ରୋଲିଂ ବେଳେ ଧଳସାମନ୍ତ ଗ୍ୟାଙ୍ଗ ସଦସ୍ୟ କୁହାଯାଉଥିବା ଚାଉଳିଆଗଞ୍ଜ ମଙ୍ଗଳା ସାହିର ଆଲୋକ ପୃଷ୍ଟି (୨୭) ଧରା ପଡିଥିଲା। ତା ଠାରୁ ଏକ ସିଙ୍ଗଲ ବ୍ୟାରେଲ ବନ୍ଧୁକ ଜବତ କରାଯାଇଥିଲା। ଜେରା ସମୟରେ ତାକୁ ରଂଜିତା ବନ୍ଧୁକ ଦେଇଥିବା ଆଲୋକ କହିଥିଲା। ନିର୍ବାଚନ ସମୟରେ ଆତଙ୍କ ସୃଷ୍ଟି କରିବା ପାଇଁ ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତ ରଂଜିତା ବିଶ୍ୱାଳଙ୍କ ମାଧ୍ୟମରେ ଆଲୋକ ଏବଂ ଅନ୍ୟ ଦୁଇ ଜଣଙ୍କୁ ବନ୍ଧୁକ ଦେବାକୁ କହିଥିଲେ ବୋଲି ଡିସିପି ଅଖିଳେଶ୍ବର ସିଂହ ସୂଚନା ଦେଇଛନ୍ତି। ଆଲୋକ ସୂଚନା ଆଧାରରେ ରଂଜିତାଙ୍କ ଘରେ ବିଳମ୍ବିତ ରାତିରେ ସ୍ପେଶାଲ ସ୍କ୍ବାଡ ଆଇଆଇସି ଅଜୟ କୁମାର ଦାସ, ଚଉଳିଆଗଞ୍ଜ ଆଇଆଇସି ଦୀପକ କୁମାର ମିଶ୍ର ଏବଂ ଏକ  ୮ ଜଣିଆ ଟିମ ଚଢଉ କରି ୨ଟି ପିସ୍ତଲ ସହ ୫ ରାଉଣ୍ଡ ଗୁଳି ଜବତ କରିଥିଲେ। ଏହି ଦୁଇ ଜଣଙ୍କୁ ଦଫା ୨୫ ଆର୍ମସ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ ପୂର୍ବରୁ ରଂଜିତା ଠିକାଦାର ବିଜନ ପାଲଙ୍କୁ ଆକ୍ରମଣ ପାଇଁ ଆସିଥିବା ବନ୍ଧୁକକୁ ସୁପାରୀ କିଲରକୁ ଯୋଗାଇବା ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲେ।

ସମ୍ବନ୍ଧିତ ଖବର