ରାଜନଗର : ପୂର୍ବତନ ବିଧାୟକଙ୍କ ବୋହୂ ‘କାଳିଆ’ ହିତାଧିକାରୀ

ରାଜନଗର : କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ସୁବିଧା ହାତେଇଛନ୍ତି। ସରକାରୀ ନିୟମକୁ ଫୁ କରି ପୂର୍ବତନ ବିଧାୟକଙ୍କ ବୋହୂ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ହିତାଧିକାରୀ ହେବା ସହ ଟଙ୍କା ବି ହାତେଇଛନ୍ତି। ପୂର୍ବତନ ବିଧାୟକଙ୍କ ପୁଅ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ କିପରି କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସହାୟତା ପାଇଁ ଆବେଦନ କଲେ ଓ ସହାୟତା ହାତେଇଲେ ସେ ନେଇ ରାଜନଗର ଅଂଚଳରେ ଚର୍ଚ୍ଚା ଜୋର ଧରିଛି।

ରାଜନଗର ବିଧାନସଭା ନିର୍ବାଚନମଣ୍ତଳୀର ପୂର୍ବତନ ବିଧାୟକ ଅନନ୍ତ ଚରଣ ତ୍ରିପାଠୀ। ରାଜନଗର ବ୍ଲକ ଓସ୍ତିଆ ପଂଚାୟତ ଜଗନ୍ନାଥପୁର ଶାସନ ଗାଁର ସ୍ବର୍ଗତ ତ୍ରିପାଠୀ ୧୯୫୭ରୁ ୧୯୬୨ ମସିହା ଯାଏଁ ରାଜନଗରର ବିଧାୟକ ଥିଲେ। ପୂର୍ବତନ ବିଧାୟକଙ୍କ ପୁଅ ସୁକାନ୍ତ କୁମାର ତ୍ରିପାଠୀ ଜଗନ୍ନାଥପୁର ଶାସନ ଶିକ୍ଷା ନିକେତନର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟକରି ଅବସର ନେଇଛନ୍ତି। ତାଙ୍କ ସ୍ତ୍ରୀ ସ୍ନେହଲତା ତ୍ରିପାଠୀ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସୁବିଧା ହାତେଇଛନ୍ତି। ଏହି ଦୁଇଟି ଯୋଜନାରେ ହିତାଧିକାରୀ ହେବା ସହ ସହାୟତା ରାଶି ମଧ୍ୟ ପାଇଛନ୍ତି।

ସରକାରଙ୍କ ନିୟମ ଅନୁଯାୟୀ ଜଣେ କାର୍ଯ୍ୟରତ ବା ଅବସରପ୍ରାପ୍ତ କେନ୍ଦ୍ର/ରାଜ୍ୟ ଓ ସରକାରୀ ଉଦ୍ୟୋଗର କର୍ମଚାରୀ ଏହି ଯୋଜନାରେ ମିଳୁଥିବା ସୁବିଧା ପାଇପାରିବେ ନାହିଁ। ହିତାଧିକାରୀ ଚିଠା ତାଲିକାରେ ଯଦି ଏହି ଶ୍ରେଣୀର ଚାଷୀ କିମ୍ବା ତାଙ୍କର ସ୍ବାମୀ ଅଥବା ତାଙ୍କ ସ୍ତ୍ରୀଙ୍କ ନାମ ଥିବ, ସେଥିରୁ ନାମ ବାଦ୍‌ ଦେବା ପାଇଁ ନାଲି ଫର୍ମ ପୂରଣ କରି ପକାଇବେ। ସରକାରୀ କର୍ମଚାରୀଙ୍କ ପତ୍ନୀ ଏହି ଯୋଜନାରୁ ସୁବିଧା ପାଇପାରିବେ ନାହିଁ ବୋଲି ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିବାବେଳେ କିପରି ପୂର୍ବତନ ବିଧାୟକଙ୍କ ବୋହୂ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପତ୍ନୀ କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହିତାଧିକାରୀ ସାଜି ସୁବିଧା ହାତେଇଲେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକାର ୫୧୪ ନମ୍ବର ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ତାଲିକାର ୩୭ ନମ୍ବରରେ ହିତାଧିକାରୀ ଭାବେ ସ୍ନେହଲତାଙ୍କ ନାଁ ରହିଛି। ଏ ସଂପର୍କରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ତ୍ରିପାଠୀଙ୍କୁ ପଚାରିବାରୁ , ‘ମୋ ନାଁ ଥିଲା। ନାଁ କାଟିବାକୁ ନାଲି ଫର୍ମ ପକାଇଥିଲି। ସ୍ତ୍ରୀ ନାଁରେ ଆବେଦନ କରି ନାହିଁ। ଆକାଉଣ୍ଟ୍‌କୁ ଟଙ୍କା ଆସିଛି। ସରକାର ଆକଉଣ୍ଟ୍‌ରୁ ଟଙ୍କା କାଟି ନିଅନ୍ତୁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର