ଜଗବନ୍ଧୁ ମାଝୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନବରଙ୍ଗପୁର/ରାଇଘର : ଯେଉଁ ମହାପୁରୁଷଙ୍କ ପାଇଁ ଆମେ ଗର୍ବ ଅନୁଭବ କରୁ, ତାଙ୍କ ପୁନ୍ୟତିଥିରେ ମୁଁ କ୍ଷୋଭ ପ୍ରକାଶ କରେ ନାହିଁ । ଏଭଳି ଜଣେ ଲଢ଼ୁଆ ଲୋକ ଆମ ଗହଣରେ ଥିଲେ ବୋଲି ମୁଁ ଆନନ୍ଦ ପ୍ରକାଶ କରେ । ସମାଜ ପ୍ରତି ତାଙ୍କ ଉତ୍ସର୍ଗୀକୃତ ଜୀବନ ଏବଂ ଅବଦାନ ପାଇଁ ଆମେ ସମସ୍ତେ ଭାଗ୍ୟବାନ ବୋଲି ଅନୁଭବ କରିବା ଉଚିତ୍‌।

ଉମରକୋଟର ପୂର୍ବତନ ବିଧାୟକ ସ୍ୱର୍ଗତ ଜଗବନ୍ଧୁ ମାଝୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଇ ଏଭଳି ମତ ବ୍ୟକ୍ତ କରିଛନ୍ତି ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ସେ କହିଲେ, ଆଜିର ଦିନରେ ଶତାଧିକ ଯୁବକ ବିଜୁ ଜନତା ଦଳରେ ଯୋଗଦେବା ଜଗବନ୍ଧୁଙ୍କ ପ୍ରତି ଏହାଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ଆଉ କିଛି ହୋଇନପାରେ। ଗୁଳି କରି ଗୋଟିଏ ଜଗବନ୍ଧୁଙ୍କ ଶରୀରକୁ ମାରିଦେଲେ। କିନ୍ତୁ ଆଜି ଶହ ଶହ ଜଗବନ୍ଧୁ ତିଆରି ହେଉଛନ୍ତି ତାଙ୍କ ଆମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ।

ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ସ୍ୱର୍ଗତ ଜଗବନ୍ଧୁ ମାଝୀ ଓ ଦେହରକ୍ଷୀ ପ୍ରଶାନ୍ତ ପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଏଥିରେ ଅନସୂଚିତ ଜାତି ଓ ଜନଜାତି ବିଭାଗ ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ ଯୋଗଦେଇ କହିଲେ, ଜଗବନ୍ଧୁ ଜଙ୍ଗଲ ଜମି ପଟ୍ଟା ପାଇଁ ଲଢ଼େଇ ଆରମ୍ଭ କରିଥିଲେ। ତାଙ୍କ ଚେଷ୍ଟା ଫଳରେ ହିଁ ଜଙ୍ଗଲ ଜମି ଆଇନରେ ପରିବର୍ତ୍ତନ ହୋଇପାରିଛି। ବିଧାୟକ ସଂଜୟ ଦାସ ବର୍ମା କହିଥିଲେ ଜଗବନ୍ଧୁ ସବୁ ବେଳେ ଦୁର୍ନୀତି, ଅନ୍ୟାୟ ଏବଂ ଅନୀତି ବିରୋଧରେ ଲଢ଼େଇ କରିଥିଲେ। ସାଂସଦ ବଳଭଦ୍ର ମାଝୀ କହିଥିଲେ, ରାଇଘର ଅଞ୍ଚଳର ବିକାଶ ପାଇଁ ଜଗବନ୍ଧୁଙ୍କ ଅବଦାନ ସ୍ମରଣୀୟ। ଜିଲ୍ଲା ବିଜେଡି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ କହିଥିଲେ ଯେ ଜଗବନ୍ଧୁ ମାଝୀଙ୍କ ବିୟୋଗ ନବରଙ୍ଗପୁର ଜିଲ୍ଲାର ଏକ ଅପୂରଣୀୟ କ୍ଷତି। ଅନ୍ୟମାନଙ୍କ ମଧ୍ୟରେ କାଜୁ ନିଗମ ଅଧ୍ୟକ୍ଷ ମୁନା ଖାନ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ବବିନା ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭଗବତୀ ଭତ୍ରା, ଅଶୋକ ମୂର୍ତି, ଉପାଧ୍ୟକ୍ଷ ନିବେଦିତା ମହାନ୍ତି, ବିଜେଡି ସଂଖ୍ୟାଲଘୁ ସେଲ ସଭାପତି କାଦମ ମାଦାନି ପ୍ରମୁଖ ସଭାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର