ବିଜେପିରେ ବି ମିଶିଲେ ପୂର୍ବତନ ବିଧାୟକ

ଭୁବନେଶ୍ବର : ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଦଳ ଡିଆଁ ପର୍ବ ଜାରି ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆସ୍କା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ବିଜେଡି ଛାଡ଼ି ଆଜି ବିଜେପିରେ ସାମିଲ ହୋଇଛନ୍ତି। ସେ କହିଛନ୍ତି ଯେ ବିଜେଡି ଦଳ ପ୍ରତି ଅତିଷ୍ଠ ହୋଇ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଛନ୍ତି। ବିଜେପି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ସେହିପରି ବିଜୁ ଜନତା ଦଳର ମହିଳା ନେତ୍ରୀ ତଥା ପୂର୍ବତନ ମହିଳା କମିସନ ସଦସ୍ୟା ତିଳୋତ୍ତମା ନାୟକ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଭ୍ରଷ୍ଟାଚାର ଓ ଦୁର୍ନୀତିରେ ବୁଡ଼ି ରହିଥିବା ବିଜେଡିର ମହିଳାଙ୍କ ପ୍ରତି ସମ୍ମାନ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ବିଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ଦଳର ସଭାପତି ବସନ୍ତ ପଣ୍ତା ସମସ୍ତଙ୍କୁ ସ୍ବାଗତ କରିବା ସହ ସାଧୁବାଦ ଜଣାଇଛନ୍ତି। ଏହି ମିଶ୍ରଣ ଦ୍ବାରା ଦଳ ଆହୁରି ମଜଭୁତ୍‌ ହେବ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର