ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ାଙ୍କ ପରଲୋକ

ଭୁବନେଶ୍ୱର: ଆଜି ସକାଳେ ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କର ପରଲୋକ ଘଟିଛି। ଭୁବନେଶ୍ୱରରଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ଶ୍ରୀ ପରିଡ଼ାଙ୍କର ପରଲୋକ ଘଟିଛି। ଶ୍ରୀ ପରିଡ଼ା ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।

୧୯୪୧ ମସିହା ଫେବ୍ରୁଆରି ମାସ ୧୫ ତାରିଖରେ ଶ୍ରୀ ପରିଡ଼ା ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବା ଲାଗି ତାଙ୍କ ଅବଦାନ ଅତୁଳନୀୟ ଥିଲା। ଭାଷା  ଆନ୍ଦୋଳନର ମୁଖ୍ୟ ଭାବେ ସେ ଓଡ଼ିଆ ଭାଷାର ପ୍ରଚଳନକୁ ସାର୍ବଜନୀନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୧୯୬୦ ମସିହାରୁ ୧୯୯୨ ମସିହା ଦୀର୍ଘ ୩୨ ବର୍ଷରୁ ଊର୍ଧ୍ୱ ସମୟ ଧରି ଜଣେ ବାମପନ୍ଥୀ ନେତା ଭାବେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ୧୯୯୩ରେ ଶ୍ରୀ ପରିଡ଼ା କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ସେହିପରି ୧୯୯୮ ମସିହାରେ ଶ୍ରୀ ପରିଡ଼ା ସମାଜବାଦୀ ପାଟିର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଇଥିଲେ। ପରେ ସେ ବିଜୁ ଜନତା ଦଳରେ ସାମିଲ ହୋଇ ବିଜେଡି ଦଳରୁ ସାଂସଦଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୬ ଜୁଲାଇ ୧ ତାରିଖରେ ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ଶ୍ରୀ ପରିଡ଼ାଙ୍କ ପରଲୋକରେ ରାଜନୈତିକ ନେତା ଓ ବଦ୍ଧିଜୀବୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଶ୍ରୀ ପରିଡ଼ାଙ୍କ ବିୟୋଗରେ ‘ସମ୍ବାଦ’ର ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ  ଶୋକ ପ୍ରକାଶ କରି କହିଛନ୍ତି,  ‘ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡାଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି। ଓଡ଼ିଆ ଭାଷା, ସାହିତ୍ୟ କ୍ଷେତ୍ର ପ୍ରତି ଆଗ୍ରହ ଓ ଅବଦାନ ଯୋଗୁଁ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସେ ସୃଷ୍ଟି କରିପାରିଥିଲେ।’

ସମ୍ବନ୍ଧିତ ଖବର