ହାଟରେ ପଶି ନକ୍ସଲଙ୍କ ଗୁଳିମାଡ଼ : ପୂର୍ବତନ ନାଏବ ସରପଞ୍ଚଙ୍କ ସ୍ୱାମୀ ଗୁରୁତର

ବୈପାରିଗୁଡା/ଜୟପୁର : କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ିଠାରେ ଆଜି ସାପ୍ତାହିକ ହାଟ ଚାଲିଥିବାବେଳେ ନକ୍ସଲମାନେ ଜଣେ ପୂର୍ବତନ ନାଏବ ସରପଞ୍ଚ ସ୍ୱାମୀଙ୍କ ଉପରେ ଗୁଳିମାଡ଼ କରିଛନ୍ତି। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ଦୁଇଟି ଗୁଳି ତାଙ୍କ ମୁଣ୍ଡ ଓ ପେଟରେ ବାଜିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ୨ କିଲୋମିଟର ଦୂରରେ ବିଏସ୍‌ଏଫ୍‌ କ୍ୟାମ୍ପ ଥିବାବେଳେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆନନ୍ଦ ନାୟକ। ଆଜି ମଧ୍ୟାହ୍ନ ସମୟରେ ଆନନ୍ଦ ହାଟରେ ଥିବା ସୂଚନା ପାଇ ୧୦ରୁ ୧୨ଜଣ ନକ୍ସଲ ଯୋଜନାବଦ୍ଧ ଭାବେ ଭିତରକୁ ପଶିଥିଲେ। ୪ ଜଣ ନକ୍ସଲ ତାଙ୍କୁ ଘେରିଯାଇ ଅତି ନିକଟରୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ପ୍ରଥମ ଗୁଳି ମୁଣ୍ଡକୁ ଛୁଇଁ ଚାଲିଯାଇଥିଲା। ଏହାପରେ ଆନନ୍ଦ ଜୀବନ ବିକଳରେ ଦୌଡିବାରୁ ଗୋଡାଇ ଗୋଡାଇ ଆଉ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ପେଟରେ ବାଜିଯିବାରୁ ସେଠାରେ ପଡିଯାଇଥିଲେ। ନିଜ କାମ ସାରି ନକ୍ସଲ ନିଜ ନିଜ ରାସ୍ତାରେ ଚାଲି ଯାଉଥିଲେ। କିନ୍ତୁ ହାଟକୁ ଆସିଥିବା ଲୋକ ନକ୍ସଲଙ୍କ ଏହି କାଣ୍ଡକୁ ଦେଖି ତାତି ଯାଇଥିଲେ। ଧରିବା ପାଇଁ କିଛି ଦୂର ପର୍ଯ୍ୟନ୍ତ ଗୋଡାଇ ଯାଇଥିଲେ ମଧ୍ୟ କାବୁ କରିବାରେ ସକ୍ଷମ ହୋଇ ନଥିଲେ। ଅନ୍ୟପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଆନନ୍ଦଙ୍କୁ ଉଦ୍ଧାର କରି ରାମଗିରି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ସତ୍ୱେ ଅବସ୍ଥାରେ ବିଶେଷ ପରିବର୍ତନ ନହେବାରୁ ବିଏସଏଫର ଆମ୍ବୁଲାନ୍‌ସରେ ଜୟପୁର ସ୍ଥିତ ଗୋଟିଏ ଘରୋଇ ମେଡିକାଲରେ ଭର୍ତି କରାଯାଇଥିଲା। ଜୟପୁର ଏସଡିପିଓ ପ୍ରତ୍ୟୁଷ ଦିବାକର ଏବଂ ବିଏସଏଫ କମାଣ୍ଡାଣ୍ଟ ମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର