ପଣସପୁଟରେ ନକ୍ସଲଙ୍କ ପ୍ରଜାକୋର୍ଟ : ୩ ଜଣଙ୍କୁ ନିସ୍ତୁକ ମାଡ଼

କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି: ଏସ୍‌ପି

ମାଲକାନଗିରି : ପିଏଲଜିଏ ସପ୍ତାହ ବିନା ହିଂସାରେ କଟିଲା। ହେଲେ ଏହାପରେ ଆରମ୍ଭ ହୋଇଯାଇଛି ମାଓବାଦୀଙ୍କ ଆତଙ୍କରାଜ୍‌। ଶନିବାର ରାତିରେ ଜଣକୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଥିବା ବେଳେ ରବିବାର ଦିନ ପ୍ରଜାକୋର୍ଟ କରି ଜଣେ ପୂର୍ବତନ ସରପଞ୍ଚ ସମେତ ୩ଜଣଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ପଣସପୁଟ ନିକଟସ୍ଥ ଏକ ଜଂଗଲରେ ନକ୍ସଲ ପ୍ରଜାକୋର୍ଟ କରି ପଣସପୁଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅର୍ଜୁନ ଖିଲ ଏବଂ ତାଂକର ଦୁଇ ସହଯୋଗୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି।

ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ଅର୍ଜୁନଙ୍କୁ ପୁଲିସ ଇନ୍‌ଫର୍ମର ବୋଲି ଦର୍ଶାଇ ମାଡ଼ ମାରିଥିଲେ। ଏହାପରେ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ହାତଗୋଡ଼ ବାନ୍ଧି ପିଟିଥିଲେ। ଏମାନେ ପୁଲିସ ସୂଚନାଦାତା ନୁହଁନ୍ତି ବୋଲି ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ନକ୍ସଲ ଶୁଣି ନଥିଲେ। ଆଗକୁ ଏଭଳି କାମ ଜାରି ରଖିଲେ ମୃତ୍ୟୁଦଣ୍ଡ ମିଳିବ ବୋଲି ଚେତାବନୀ ଦେଇ ନକ୍ସଲ ୩ଜଣଙ୍କୁ ଛାଡ଼ି ଦେଇଥିଲେ। ନକ୍ସଲ ଭୟରେ ଏମାନେ ପୁଲିସରେ ଏତଲା ଦେଇ ନଥିବା ଜଣାପଡିଛି। ଦୁର୍ଗମ ଅଂଚଳରେ ପୁଲିସ ସୁରକ୍ଷା ନଥିବାରୁ ସ୍ଥାନୀୟ ଲୋକେ ଭୟ ଓ ଆତଙ୍କରେ ରହିଛନ୍ତି।

ଏ ସଂପର୍କରେ ମାଲକାନଗିରି ଏସପି ଜଗମୋହନ ମୀନା କହିଛନ୍ତି ଯେ ନକ୍ସଲ ଦ୍ୱାରା ନିର୍ଯାତିତ ହୋଇଥିବା ଅର୍ଜୁନ ଏବଂ ତାଂକ ସହଯୋଗୀଙ୍କ ସହ ଯୋଗାଯୋଗ କରାଯାଉଛି। ଦରକାର ପଡିଲେ ସେମାନେ ପୋଲିସ ନିକଟକୁ ଆସି ଏଫଆଇଆର ଦେବେ। ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଏସପି କହିଛନ୍ତି।

ସମ୍ବନ୍ଧିତ ଖବର