ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଝୁଲନ୍ତା ଶବ ଉଦ୍ଧାର

0 130

ଖୁଣ୍ଟୁଣୀ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରମ୍ପେଇ ମୌଜା ଡାହୁଣିଆ ସାହିର ଏକ ଭଡ଼ା ଘରୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତକ ହେଲେ ଢେଙ୍କାନାଳ ସଦର ଥାନା ଚନ୍ଦ୍ରଶେଖରପ୍ରସାଦ ଗ୍ରାମର ବିବେକାନନ୍ଦ ମହାପାତ୍ର(୬୧)। ସ୍ୱର୍ଗତ ମହାପାତ୍ର ସେନା ବିଭାଗରୁ ଅବସର ନେଇ କାମାକ୍ଷାନଗର ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ୍‌ରେ ସୁରକ୍ଷାକର୍ମୀ ଭାବେ ନିଯୁକ୍ତ ହୋଇଥିଲେ। ସେ ବର୍ଷେ ହେଲା ରମ୍ପେଇ ଡାହୁଣିଆ ସାହିରେ ଜଣେ ବ୍ୟକ୍ତିଙ୍କ ଘର ଭଡ଼ାନେଇ ପରିବାର ସହ ରହୁଥିଲେ। ବିବେକାନନ୍ଦଙ୍କ ସ୍ତ୍ରୀ ଓ ପୁଅ ସହ ମନୋମାଳିନ୍ୟ ରହିଥିଲା। ଗତକାଲି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତାଙ୍କ ସ୍ତ୍ରୀ ପୁଅ ସହ ଭୁବନେଶ୍ୱରରେ ଥିବା ଭାଇ ପାଖକୁ ଚାଲିଯାଇଥିଲେ। ସକାଳେ ଦୀର୍ଘ ସମୟ ଧରି ତାଙ୍କ ଘର କବାଟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଝରକା ବାଟେ ବିବେକାନନ୍ଦଙ୍କର ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ। ଖବର ପାଇ ଏସ୍‌ଆଇ ସମୀର ସାମଲ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରିୟବ୍ରତ ଦାସଙ୍କ ଉପସ୍ଥିତିରେ ଘରୁ ଝୁଲନ୍ତା ଶବ ଉଦ୍ଧାର ହୋଇଥିଲା। ପୁଲିସ ୪/୧୭ରେ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଡାକ୍ତରଖାନା ପଠାଇଛି। ବିବେକାନନ୍ଦ ବେକରେ ଗାମୁଛା ବାନ୍ଧି ଘର ଭିତରେ ଥିବା ଫ୍ୟାନ୍‌ରେ ଝୁଲି ରହିଥିବାରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.