ପରୀକ୍ଷା ଖାତା ନଦେଖି ଫଳ ପ୍ରକାଶ! : କୁଳପତିଙ୍କ ନିର୍ଦ୍ଦେଶ ପରେ ତନାଘନା

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପରିଚାଳିତ ୨୦୧୭ ଶିକ୍ଷାବର୍ଷର ବିଜେଏମ୍‍ସି ପାଠ୍ୟକ୍ରମର ଦୁଇଟି ବର୍ଷର ପରୀକ୍ଷା ଖାତା ମୂଲ୍ୟାୟନ ନହୋଇ ଫଳ ପ୍ରକାଶନ ଘଟଣା ଆଜି ସ୍ପଷ୍ଟ ହୋଇଛି। ଗୁରୁବାର ଏନେଇ ଏକ ବିସ୍ତୃତ ରିପୋର୍ଟ ସମ୍ବାଦରେ ପ୍ରକାଶ ପାଇବା ପରେ ଘଟଣାକୁ ପୂର୍ବରୁ ମାନୁ ନଥିବା ବିଭାଗୀୟ କର୍ତ୍ତୃପକ୍ଷ ଆଜି ଏହାକୁ ସ୍ୱୀକାର କରିଛନ୍ତି। ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳନା ବ୍ୟବସ୍ଥାର ବିଶ୍ୱସନିୟତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟର ଗୋପନୀୟ ବିଭାଗ ସ୍ତରରେ ପିଲାଙ୍କ ପରୀକ୍ଷା ଖାତା ମୂଲ୍ୟାୟନ ଓ ଫଳ ପ୍ରକାଶନରେ ଏକ ର‍୍ୟାକେଟ ସକ୍ରିୟ ଥିବା ନେଇ ଲୋକେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ଖାତା ମୂଲ୍ୟାୟନ ନହୋଇ ଫଳ ବାହାର କରାଯିବା ଘଟଣାକୁ କେନ୍ଦ୍ର କରି ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରାଙ୍କ ନିର୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଛି। କୁଳପତିଙ୍କ ନିର୍ଦେଶ ପରେ ଜୋର୍‌ଦାର ତନାଘନା ଚାଳିଛି। ତଦନ୍ତ ବେଳେ ଆଳୁ ଖୋଳୁୁ ଖୋଳୁ ମହାଦେବ ଭଳି ଅନେକ ଭିତିରିଆ କଥା ପ୍ରଘଟ ହେବାର ସମ୍ଭାବନା ରହିଛି। ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ବହୁ ପରିଶ୍ରମ କରୁଛନ୍ତି। ମାତ୍ର ପରୀକ୍ଷା ଖାତା ମୂଲ୍ୟାୟନ କରାନଯାଇ ଆନୁମାନିକ ମାର୍କ ଦେଇ ଦିଆଯାଉଛି। କିଏ କେତେ ମାର୍କ ପାଇବେ, ତାହା କର୍ମଚାରୀମାନଙ୍କ ମର୍ଜି ଉପରେ ନିର୍ଭର କରୁଛି। ପିଲାମାନଙ୍କ ଭବିଷ୍ୟତ ଚାଲିଥିବା ଏହି ଖେଳକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଅପରପକ୍ଷରେ ପରୀକ୍ଷା ଖାତା ମୂଲ୍ୟାୟନ ହେଉନଥିବା ବେଳେ ସେହି ବାବଦକୁ ବିଶ୍ୱବିଦ୍ୟାଳୟ ପାଣ୍ଠିରୁ ଟଙ୍କା ଖର୍ଚ ହେଉଛି। ଘଟଣାରେ ସଂପୃକ୍ତ କର୍ମଚାରୀଙ୍କ ର‍୍ୟାକେଟ୍‌ ଏହି ଅର୍ଥ ତୋଷାରପାତ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର