ଅବକାରୀ ସମୀକ୍ଷା ବୈଠକ : ୮୦ କୋଟିର ଗଂଜେଇ ଗଛ ନଷ୍ଟ, ୪୦୫ କୋଟିର ସାମଗ୍ରୀ ଜବତ

କଟକ : ୨୦୧୭-୧୮ ଆର୍ଥିକ ବର୍ଷରେ ୨୦ ହଜାର ୫୮୭ଟି ଅବକାରୀ ମାମଲା ରୁଜୁ ହୋଇଛି। ବିଭିନ୍ନ ଅବକାରୀ ମାମଲାରେ ୧୭ ହଜାର ୧୯୬ ଜଣଙ୍କୁ ଗିରଫ କରାଯାଇଛି। ଏହି ସମୟରେ ୩ କିଲୋ ୨୧୩ ଗ୍ରାମର ହେରୋଇନ୍‌, ୧୨୬୩୩ କିଲୋ ଗଂଜେଇ, ୭୦ କିଲୋ ଅଫିମ ଫଳ ଚୋପା, ୧୬ ହଜାର ୭୫୦ ଲିଟର ରନ୍ଧା ଦେଶୀ ମଦ, ୧୫୬୧ ଲିଟର ପୋଚ, ୧୨ ହଜାର ୩୬୪ ଲିଟର ବିଦେଶୀ ମଦ, ୧୧ ହଜାର ୧୩୦ ଲିଟର ତାଡି ଜବତ ହୋଇଛି। ଏହି ଜବତ ସାମଗ୍ରୀର ମୂଲ୍ୟ ୪୦୫ କୋଟି ଟଙ୍କାରୁ ଅଧିକ ହେବ। ଆଜି ରାଜ୍ୟ ଅବକାରୀ ବିଭାଗର ସମୀକ୍ଷା ବୈଠକରୁ ଏହି ତଥ୍ୟ ଜଣା ପଡିଛି। ଅବକାରୀ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ କମିସନର ଦେବେନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ୩୧ଟି ଅବକାରୀ ଜିଲ୍ଲା, ରାଜ୍ୟ ମଦ ପାନୀୟ ନିଗମ ଏବଂ ୪ଟି ଅବକାରୀ ଗୁଇନ୍ଦା ବିଭାଗର କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ବୈଠକରେ ପ୍ରମୁଖ ସଚିବ ଶ୍ରୀ ଧଳ ଆନ୍ତରାଜ୍ୟ ଚୋରା ହେରୋଇନ୍‌ ଓ ଗଂଜେଇ ବେପାରିଙ୍କ ବିରୋଧରେ ଚଢଉ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗଂଜେଇ ଚାଷର ମୂଳୋତ୍ପାଟନ ସହ ନିଶା ମାଫିଆଙ୍କ ଉପରେ ନଜର ରଖି ସ୍ୱତନ୍ତ୍ର ଭାବେ ମାମଲା ରୁଜୁ କରିବାକୁ କମିସନର ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଗତ ଆର୍ଥିକ ବର୍ଷରେ ୮୦ କୋଟିରୁ ଅଧିକ ଗଞ୍ଜେଇ ନଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର