ଗୃହରେ ଉଠିଲା ମଦ ବିକ୍ରି ନେଇ ପୁରସ୍କାର ପ୍ରସଙ୍ଗ: ସଫେଇ ରଖିଲେ ଅବକାରୀ ମନ୍ତ୍ରୀ

ଭୁବନେଶ୍ବର: ମଦ ବିକ୍ରି ପାଇଁ ପୁରସ୍କାର ପ୍ରସଙ୍ଗରେ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି । ଏନେଇ ସଫେଇ ରଖିଛନ୍ତି ମନ୍ତ୍ରୀ । ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କହିଛନ୍ତି, ମଦ ବିକ୍ରିର ପ୍ରସାର ପାଇଁ ସରକାର ସେଭଳି କୌଣସି ନିଷ୍ପତ୍ତି ନେଇନାହାଁନ୍ତିି । ସରକାର ରାଜ୍ୟର ହିତ ପାଇଁ ସର୍ବଦା ଧ୍ୟାନ ରଖିଛନ୍ତି  ବୋଲି ଯୁକ୍ତି ବାଢ଼ିଛନ୍ତି ନିରଞ୍ଜନ ପୂଜାରୀ ।

ବିଧାନସଭାରେ ମଦବିକ୍ରି ନେଇ ସରଗରମ ଆଲୋଚନା ହେଉଥିବାବେଳେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ଅଂଶଗ୍ରହଣ କରିଥିଲେ । ସେ କହିଥିଲେ, ମହିଳାଙ୍କ ଆବେଗକୁ ଲକ୍ଷ୍ୟରେ ରଖି ଅବକାରୀ ନୀତି ମହିଳାଙ୍କ ସ୍ୱାର୍ଥ ଅନୁକୂଳ ହେବା ଦରକାର । ଏ ନେଇ ଏକ ନିରପେକ୍ଷ କମିଟି ଗଠନ କରି ଅବକାରୀ ନୀତି ସମ୍ପର୍କରେ ନିଷ୍ପତ୍ତି ନେବାକୁୁ ସେ ପରାମର୍ଶ ଦେଇଥିଲେ । ଜବାବରେ ମନ୍ତ୍ରୀ କହିଥିଲେ, ଏ ନେଇ ବିଚାର କରାଯିବ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୨ ତାରିଖରେ ବିଧାନସଭା ଅବକାରୀ ଗୃହ କମିଟିର ନିଷ୍ପତ୍ତିକୁ ନେଇ ବିବାଦ ବଢ଼ିଥିଲା । ମଦରୁ ରାଜସ୍ବ ଆଦାୟ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେବେ ଅର୍ଥାତ ଟାର୍ଗେଟ୍ ପୂରଣ କଲେ ପୁରସ୍କାର ମିଳିବ । ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଗୋଟିଏ ପଟେ ମଦ ବନ୍ଦ ନେଇ ସରକାର ଜୋର ଦେଉଥିବା ବେଳେ ଟାର୍ଗେଟ୍ ପୂରଣ କଲେ ପୁରସ୍କାର ମିଳିବା ନିଷ୍ପତ୍ତିକୁ ସହଜରେ ଗ୍ରହଣ କରାଯାଉ ନାହିଁ, ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ମଦ ଏବଂ ମଦ ବ୍ୟବସାୟ କଥା ଆସିଲେ ସାଧାରଣତଃ ଦୁଇଟି ପ୍ରସଙ୍ଗ ଆପେ ଆପେ ମନକୁ ଚାଲି ଆସେ । ପ୍ରଥମଟି ହେଉଛି ରାଜସ୍ୱ, ଯାହା ମଦ ବ୍ୟବସାୟରୁ ଆସିଥାଏ  ଏବଂ ଦ୍ୱିତୀୟ ପ୍ରସଙ୍ଗଟି ହେଉଛି-ମଦ ଯୋଗୁଁ ସୃଷ୍ଟି ହେଉଥିବା ସମାଜିକ ବ୍ୟାଧି । ହୁଏତ, ଏଭଳି ଗୋଟିଏ ଦିନ ନାହିଁ, ଯେଉଁଦିନ ମଦ ଯୋଗୁଁ କୌଣସି ଅଘଟଣ ଘଟୁ ନ ଥିବ । ମଦ୍ୟପାନ କାରଣରୁ ସଡ଼କ ଦୁର୍ଘଟଣା, ଲୁଟ୍-ରାହାଜାନି ଭଳି ଅପରାଧ, ଘରୋଇ ହିଂସା ଓ ହତ୍ୟା ଭଳି ଅପରାଧ ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଛି । ତେବେ ସରକାର ଦେଇଥିବା ‘ମଦ’ ସଫେଇକୁ କେତେ ମାତ୍ରାରେ ଗ୍ରହଣ କରିପାରୁଛନ୍ତି ଜନତା ଆଉ କେତେ ସୁଫଳ ମିଳୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ସମ୍ବନ୍ଧିତ ଖବର