‘ସାଢ଼େ ଚାରିକୋଟି ଓଡ଼ିଆ ମୋ ପରିବାର’

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ‘ସମ୍ବାଦ’ ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସାକ୍ଷାତକାର

୧୯୯୭ରୁ ୨୦୧୭। ଏ ଭିତରେ ବିତିଗଲାଣି ଦୀର୍ଘ ୨୦ ବର୍ଷ। ବିଜୁ ପଟ୍ଟନାୟକଙ୍କ ବିୟୋଗ ବେଳକୁ ଓଡ଼ିଶା ରାଜନୀତିରେ ସଂପୂର୍ଣ୍ଣ ଅପରିଚିତ ଥିବା ନବୀନ ପଟ୍ଟନାୟକ ଆଜି ଘରେ ଘରେ ସୁପରିଚିତ। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ସେ ଥିଲେ ରାଜନୀତିରେ ନବୀନ। କିନ୍ତୁ ଆଜି ତାଙ୍କର ପ୍ରବୀଣତା ସର୍ବସ୍ୱୀକୃତ। ବହୁଦିନ ପର୍ଯ୍ୟନ୍ତ ତାଙ୍କୁ ରାଜନୀତିରେ ଜଣେ ଅନଭିଜ୍ଞ ବ୍ୟକ୍ତି ଭାବରେ ବିଚାର କରୁଥିବା ତାଙ୍କର ବିରୋଧୀମାନଙ୍କୁ ଭୁଲ୍‌ ପ୍ରମାଣିତ କରି ସେ ଚାରି ଚାରିଥର ଦଳର ନେତୃତ୍ୱ ନେଇ ରାଜ୍ୟରେ ସରକାର ଗଠନ କରିଆସିଛନ୍ତି। ସରକାର ବିରୋଧୀ ସମସ୍ତ ତତ୍ତ୍ୱକୁ ପ୍ରତ୍ୟାଖ୍ୟାନ କରି ତାଙ୍କର ଦଳ ଦିନୁଦିନ ମଜବୁତ ହେବାରେ ଲାଗିଛି ଏବଂ ୨୦୧୯ ମସିହା ନିର୍ବାଚନରେ ପଞ୍ଚମଥର ଜିତି କ୍ଷମତାସୀନ ହେବାର ଦୃଢ଼ ବିଶ୍ୱାସ ରଖିଛି। ବର୍ତ୍ତମାନ ନବୀନବାବୁ ସାମାଜିକ ଗଣମାଧ୍ୟମ (Social Media) କ୍ଷେତ୍ରରେ ଅତ୍ୟନ୍ତ ସକ୍ରିୟ ଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସେ ନିଜକୁ ଓଡ଼ିଆ ଗଣମାଧ୍ୟମ ଠାରୁ ଦୂରେଇ ରଖିଛନ୍ତି। କୌଣସି ଓଡ଼ିଆ ସମ୍ବାଦପତ୍ର ବା ଟିଭି ଚ୍ୟାନେଲକୁ ସେ ସାକ୍ଷାତକାର ଦେଇନାହାନ୍ତି। ଏ ସଂପର୍କରେ ପଚାରିଲେ କହନ୍ତି- କଥା ନୁହେଁ, କାମରେ ସେ ବିଶ୍ୱାସ କରନ୍ତି। ତାଙ୍କ କାମ ହିଁ ତାଙ୍କ କଥା କହିଥାଏ।

ବିଜୁ ଜନତା ଦଳର ୨୦ ବର୍ଷର ସଫଳ ଯାତ୍ରା ପରେ ଦଳର ୨୦ତମ ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ସେ ‘ସମ୍ବାଦ’କୁ ଏକ ସାକ୍ଷାତକାରର ସୁଯୋଗ ଦେଇଥିଲେ। ଅନେକ ଦିନ ଧରି ଏଭଳି ଏକ ସାକ୍ଷାତକାର ପାଇଁ ମୁଁ ଚେଷ୍ଟିତ ଥିଲି। ତେଣୁ ତିନିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଯେତେବେଳେ ଖବର ଆସିଲା ଯେ ମୁଖ୍ୟମନ୍ତ୍ରୀ ଏହି ସାକ୍ଷାତକାର ପାଇଁ ସମ୍ମତି ପ୍ରକାଶ କରିଛନ୍ତି, ସ୍ୱାଭାବିକ ଭାବେ ମୁଁ ବିସ୍ମିତ ଓ ଆନନ୍ଦିତ ହେଲି। ସ୍ୱଳ୍ପଭାଷୀ ନବୀନବାବୁଙ୍କ ପାଇଁ ଏହା ଯେ ଏକ ଆହ୍ଵାନ ଥିଲା ତାହା ମୁଁ ହୃଦୟଙ୍ଗମ କରିପାରୁଥିଲି। ତେଣୁ ଏହି ସାକ୍ଷାତକାରକୁ ମୁଁ କୌଣସି ରାଜନୈତିକ ରଙ୍ଗ ଦେବାକୁ ଚାହୁନଥିଲି। ଆମର ମୁଖ୍ୟମନ୍ତ୍ରୀଙ୍କୁ ଏତେ ପାଖରେ ପାଇ ତାଙ୍କୁ ଟିକିଏ ଅଧିକ ଭଲ ଭାବରେ ଜାଣିବା ଥିଲା ମୋର ଉଦ୍ଦେଶ୍ୟ। ନିର୍ଦ୍ଦିଷ୍ଟ ସମୟରେ ମୁଁ ନବୀନ ନିବାସରେ ପହଞ୍ଚିଲି। ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରି ଲେମ୍ବୁ ଚା’ର ସ୍ୱାଦ ନେଉଥିବା ସମୟରେ ମୋ ମନରେ କିଛିଟା ଆଶଙ୍କା ସୃଷ୍ଟି ହେଉଥିଲା। ଦୂରଦର୍ଶନ ପର୍ଦ୍ଦାରେ ତାଙ୍କୁ ଯେତେଥର ଦେଖିଲେ ମଧ୍ୟ ମୁଁ ଜାଣିଥିଲି ଯେ ସେ ଜଣେ ଶାନ୍ତ, ଗମ୍ଭୀର ଓ ସ୍ୱଳ୍ପଭାଷୀ ବ୍ୟକ୍ତି ଥିଲେ। ତେଣୁ ମୋ ପ୍ରଶ୍ନର ସେ କେତେ ଖୋଲାଖୋଲି ଭାବରେ ଉତ୍ତର ଦେବେ, ସେ ସଂପର୍କରେ ଚିନ୍ତା କରୁଥିଲି। ମାତ୍ର ଯେତେବେଳେ ସେ ମୋତେ ଓ ମୋ ସହିତ ଯାଇଥିବା ମୁଖ୍ୟ ସାମ୍ବାଦିକ ଭବାନୀ ଶଙ୍କର ତ୍ରିପାଠୀ ଏବଂ ଫଟୋ ସାମ୍ବାଦିକ ଅସିତଙ୍କୁ ଖୋଲା ହସ ଓ ନମସ୍କାର ମୁଦ୍ରାରେ ସ୍ୱାଗତ କଲେ, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ତାଙ୍କର ଚିରାଚରିତ ପରିଧେୟ ଧଳା କୁର୍ତ୍ତା ପାଇଜାମା ପିନ୍ଧିଥିଲେ ଏବଂ ପାଦରେ ଥିଲା ହଳେ କୋହ୍ଲାପୁରୀ ଚପଲ। ତାଙ୍କ ସହିତ ହୋଇଥିବା ବାର୍ତ୍ତାଳାପର କିଛି ଅଂଶ ଏଠାରେ ଉଦ୍ଧାର କରୁଛି।

ପ୍ରଶ୍ନ- ବିଜୁ ଜନତା ଦଳର ୨୦ ବର୍ଷ ପୂର୍ତ୍ତି ଓ ସଫଳତା ପାଇଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି। ଆଞ୍ଚଳିକ ଗଣମାଧ୍ୟମକୁ ଏହା ଆପଣଙ୍କର ସର୍ବପ୍ରଥମ ସାକ୍ଷାତକାର। ବିଶେଷକରି ଆପଣଙ୍କ ସରକାରର ମୁଖ୍ୟ ସମାଲୋଚକ ଥିବା ଆମ ସମ୍ବାଦପତ୍ରକୁ ସାକ୍ଷାତକାରର ସୁଯୋଗ ଦେଇ ଆପଣ ନିଜର ଉଦାରତାର ପରିଚୟ ଦେଇଛନ୍ତି।
ଉତ୍ତର- (ହସିଲେ)

ପ୍ରଶ୍ନ- ଆଜି ବିଜୁ ଜନତା ଦଳକୁ ଯେଉଁ ସଫଳତା ମିଳିଛି, ତାହା ଦେଶର ଖୁବ୍‌ କମ୍‌ ରାଜନୈତିକ ଦଳମାନଙ୍କ ଭାଗ୍ୟରେ ଜୁଟିଛି। ପୂର୍ବରୁ ଆପଣ ରାଜନୀତି ପ୍ରତି ଆଗ୍ରହୀ ନଥିଲେ। ତେବେ ଏ କ୍ଷେତ୍ରରେ ପ୍ରବେଶ କରିବା ପରଠାରୁ ଆଜି ପର୍ଯ୍ୟନ୍ତ- ଏହି ଦୀର୍ଘ ଯାତ୍ରାକୁ ଆପଣ କିଭଳି ଭାବରେ ବର୍ଣ୍ଣନା କରିବେ?
ଉତ୍ତର- ଆମର ଦଳ ଓଡ଼ିଶାର ବିକାଶକୁ ସବୁବେଳେ ପ୍ରାଧାନ୍ୟ ଦେଇଆସିଛି ଓ ଏଥିପାଇଁ କଠିନ ପରିଶ୍ରମ କରିଛି। ଏହି କାରଣରୁ ଆମେ ବାରମ୍ବାର ନିର୍ବାଚନ ଜିଣୁଛୁ ଓ ସରକାର ଗଠନ କରୁଛୁ। ରାଜନୀତିରେ ଯୋଗ ଦେବା ପର ଠାରୁ ମୁଁ ଅତ୍ୟନ୍ତ ଗମ୍ଭୀରତାର ସହିତ ମୋର ଦାୟିତ୍ୱକୁ ଗ୍ରହଣ କରିଛି ଏବଂ ରାଜ୍ୟର କଲ୍ୟାଣ ଓ ବିକାଶ ପାଇଁ ସବୁପ୍ରକାର ପ୍ରୟାସ କରିଆସିଛି।

ପ୍ରଶ୍ନ- ଯଦିଓ ଆପଣ ଅନିଚ୍ଛାର ସହିତ ରାଜନୀତିରେ ଯୋଗ ଦେଇଥିଲେ, ଆପଣଙ୍କୁ କେହି ବି ଜଣେ Part-time ରାଜନୀତିଜ୍ଞ କହିପାରିବ ନାହିଁ। ଆପଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦର ସବୁଠାରୁ ଭଲ ଦିଗଟି କ’ଣ, କହିବେ କି?
ଉତ୍ତର- ମୋ ପାଇଁ ଏହା ଗୋଟିଏ Full-time କାମ। ମୁଁ ଏହି ପଦକୁ ଗମ୍ଭୀରତାର ସହିତ ନେଇଛି ଏବଂ ମୋର ଦାୟିତ୍ୱ ଓ କର୍ତ୍ତବ୍ୟକୁ ନିଷ୍ଠାର ସହିତ ତୁଲାଇବା ପାଇଁ ଚେଷ୍ଟା କରିଆସିଛି। ଏହି ପଦ ମୋତେ ରାଜ୍ୟବାସୀଙ୍କ ଉନ୍ନତି ପାଇଁ କିଛି କରିବାର ସୁଯୋଗ ଓ କ୍ଷମତା ପ୍ରଦାନ କରିଛି।

ପ୍ରଶ୍ନ- ବିଗତ ୨୦ ବର୍ଷ ଧରି ଓଡ଼ିଶା ଆପଣଙ୍କୁ ପ୍ରଚୁର ସ୍ନେହ ଓ ଭଲପାଇବା ଦେଇଛି। ଜଣେ ଓଡ଼ିଆ ଭାବରେ ଆପଣ କେଉଁ କାରଣରୁ ଗର୍ବ ଅନୁଭବ କରନ୍ତି?
ଉତ୍ତର- ଓଡ଼ିଆ ଲୋକମାନେ ଅତି ସରଳ ଓ ଶାନ୍ତିପ୍ରିୟ। ସେମାନେ ବିବାଦର ଘେରରେ ଛନ୍ଦି ହେବା ପାଇଁ ଭଲପାଆନ୍ତି ନାହିଁ।

ପ୍ରଶ୍ନ- ଆପଣ ଓଡ଼ିଶାର କୋଣ ଅନୁକୋଣ ବୁଲିଛନ୍ତି। ରାଜ୍ୟର କେଉଁ ସ୍ଥାନ ଆପଣଙ୍କୁ ସବୁଠାରୁ ଭଲ ଲାଗିଛି?
ଉତ୍ତର- ଓଡ଼ିଶା ଗୋଟିଏ ସୁନ୍ଦର ରାଜ୍ୟ। ଏହାର ପ୍ରତ୍ୟେକ ଅଞ୍ଚଳର ଏକ ନିଜସ୍ୱ ଐତିହ୍ୟ ଓ ସଂସ୍କୃତି ଅଛି। ତେଣୁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନର ନାମ ନେବା ମୋ ପାଇଁ କଠିନ।

ପ୍ରଶ୍ନ- ଦୀର୍ଘ ୧୭ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବା ସମୟରେ ଆପଣ ଅନେକ ପ୍ରକାରର ଆହ୍ଵାନର ସମ୍ମୁଖୀନ ହୋଇଥିବେ। ବହୁ ସମାଲୋଚନା ଓ ଅଭିଯୋଗର ସାମ୍‌ନା କରିଥିବେ। ଅନେକ ପ୍ରକାରର ବାଦାନୁବାଦ ଭିତରେ ଆପଣ କିପରି ନିଜକୁ ଶାନ୍ତ ଓ ଅବିଚଳିତ ରଖିପାରୁଛନ୍ତି?
ଉତ୍ତର- ଯେଉଁ ଅଭିଯୋଗଗୁଡ଼ିକ ମିଥ୍ୟା ଓ ଭିତ୍ତିହୀନ ସେଥିରେ ପ୍ରତିକ୍ରିୟା ପ୍ରକାଶ କରି ସମୟ ନଷ୍ଟ କରିବାର କୌଣସି ଅର୍ଥ ନାହିଁ। ତେଣୁ ମୁଁ ନିରବ ରହେ ଏବଂ ମୋର କର୍ମ କରିଚାଲେ।

ପ୍ରଶ୍ନ- ସମାଲୋଚକମାନଙ୍କୁ ରଗାଇବା ପାଇଁ ଏହା କ’ଣ ଆପଣଙ୍କର ଏକ ସୁଚିନ୍ତିତ କୌଶଳ?
ଉତ୍ତର- (ହସି) ନା, ସେମିତି କିଛି ନୁହେଁ। ମୁଁ ସ୍ୱଭାବରେ ଶାନ୍ତ। ମୋର ବ୍ୟକ୍ତିତ୍ୱ ହିଁ ସେୟା।

ପ୍ରଶ୍ନ- ଆପଣ ଓଡ଼ିଆ ଯୁବପିଢ଼ିଙ୍କୁ କେଉଁ ପୁସ୍ତକ ପଢ଼ିବା ପାଇଁ ପରାମର୍ଶ ଦେବେ?
ଉତ୍ତର- ମଣିଷ ଜୀବନ ଓ ଚରିତ୍ରକୁ ଗଭୀର ଭାବରେ ଅନୁଧ୍ୟାନ କରି ଫକୀର ମୋହନ ସେନାପତି ତାଙ୍କ ଲେଖାଗୁଡ଼ିକରେ ପ୍ରକାଶ କରିପାରିଚନ୍ତି। ତେଣୁ ତାଙ୍କର ପୁସ୍ତକ ପଢ଼ିବା ପାଇଁ ମୁଁ ଯୁବପିଢ଼ିଙ୍କୁ ପରାମର୍ଶ ଦେବି।

ପ୍ରଶ୍ନ- ଆପଣଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ସଂପର୍କରେ କିଛି କୁହନ୍ତୁ।
ଉତ୍ତର- ୨୦ ବର୍ଷର ଏହି ସୁଦୀର୍ଘ ଯାତ୍ରା ପଥରେ ଅନେକ ସ୍ମରଣୀୟ ଘଟଣା ଘଟିଛି। ତେବେ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କେଉଁଟି, ତାହା କହିବା କଷ୍ଟକର।

ପ୍ରଶ୍ନ- ଆପଣଙ୍କ ସରକାର ଅତି ଅଳ୍ପ ସମୟର ଅବଧି ମଧ୍ୟରେ ଏସୀୟ କ୍ରୀଡ଼ା ମହୋତ୍ସବ ଆୟୋଜନ କରିଥିଲେ। ଆପଣ ନିଜେ କେଉଁ ଖେଳଟିକୁ ଅଧିକ ପସନ୍ଦ କରନ୍ତି?
ଉତ୍ତର- ମୁଁ କ୍ରିକେଟ୍‌ ଖେଳକୁ ସବୁଠାରୁ ବେଶି ଉପଭୋଗ କରେ। ହକି ମଧ୍ୟ ମୋତେ ଭଲ ଲାଗେ।

ପ୍ରଶ୍ନ- ଆପଣଙ୍କର ସବୁଠାରୁ ପ୍ରିୟ ଖାଦ୍ୟ କ’ଣ?
ଉତ୍ତର- ମୋର ଖାଦ୍ୟ ରୁଚି ଅତି ସରଳ। ଏ ବୟସରେ ନିର୍ଦ୍ଦିଷ୍ଟ କୌଣସି ଖାଦ୍ୟ ପ୍ରତି ମୋର ଆକର୍ଷଣ ନାହିଁ।

ପ୍ରଶ୍ନ- ଆପଣଙ୍କ ଆଦର୍ଶ କିଏ? ଆପଣ କାହାଠାରୁ ଅଧିକ ପ୍ରେରଣା ଲାଭ କରିଛନ୍ତି?
ଉତ୍ତର- ମହାତ୍ମା ଗାନ୍ଧୀଙ୍କର ସତ୍ୟ ଓ ଅହିଂସା ନୀତି ଏବଂ ତାଙ୍କର ସରଳ ନିରାଡ଼ମ୍ବର ଜୀବନ ଶୈଳୀ ମୋତେ ବିଶେଷ ଭାବରେ ପ୍ରଭାବିତ କରିଛି।

ପ୍ରଶ୍ନ- ଯେତେବେଳେ ଆପଣ କୌଣସି ଦ୍ୱନ୍ଦ୍ୱର ସମ୍ମୁଖୀନ ହୁଅନ୍ତି ଏବଂ ନିଷ୍ପତ୍ତି ନେବା କଷ୍ଟକର ହୋଇଉଠେ, ସେତେବେଳେ ଆପଣ କ’ଣ କରନ୍ତି?
ଉତ୍ତର- ମୁଁ ବେଶ୍‌ କିଛି ସମୟ ନେଇ ପରିସ୍ଥିତିକୁ ଅନୁଧ୍ୟାନ କରେ ଓ ମୋର ଘନିଷ୍ଠ ଓ ବିଶ୍ୱସ୍ତ ସହକର୍ମୀ ମାନଙ୍କ ପରାମର୍ଶ ନେଇ ନିଷ୍ପତ୍ତି ଗ୍ରହଣ କରେ।

ପ୍ରଶ୍ନ- ଆଜିର ଶିକ୍ଷିତ ଓ ମହତ୍ତ୍ୱାକାଂକ୍ଷୀ ଯୁବପିଢ଼ି ପରିବର୍ତ୍ତନର ଅସ୍ତ୍ର ସାଜି ଓଡ଼ିଶାର ଅଭିବୃଦ୍ଧି ଓ ବିକାଶ ପାଇଁ କାମ କରିବାକୁ ଚାହାନ୍ତି। ମାତ୍ର ରାଜନୀତିର ପଙ୍କିଳ ପରିବେଶ ସେମାନଙ୍କୁ ଏଥିରେ ଭାଗନେବାରୁ ନିବୃତ୍ତ କରୁଛି। ରାଜନୀତିକୁ ଏକ ବୃତ୍ତି ଭାବରେ ଗ୍ରହଣ କରିବାକୁ ସେମାନେ ଇଚ୍ଛୁକ ହେଉନାହାନ୍ତି। ସେମାନଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ?
ଉତ୍ତର- ମୁଁ କେବଳ ସେମାନଙ୍କୁ ଏତିକି କହିବି ଯେ କୌଣସି ବୃତ୍ତି ପ୍ରତି ଯଦି ତୁମର ନିଷ୍ଠା ସହ ଦୃଢ଼ ସଂକଳ୍ପ ଓ ଅଧ୍ୟବସାୟ ମନୋଭାବ ରହିଛି, ତେବେ ସେଥିରେ ସଫଳତା ମିଳିବା ନିଶ୍ଚିତ।

ପ୍ରଶ୍ନ- ଆପଣ ଯୁବକଯୁବତୀମାନଙ୍କୁ ରାଜନୀତିରେ ଭାଗ ନେବା ପାଇଁ ଉତ୍ସାହିତ କରିବେ କି?
ଉତ୍ତର- ହଁ, ଯଦି ସେମାନେ କଠୋର ପରିଶ୍ରମ ଓ ନିଷ୍ଠାର ସହିତ ରାଜ୍ୟବାସୀଙ୍କ ସେବା କରିବାକୁ ଆଗେଇ ଆସନ୍ତି, ତେବେ ନିଶ୍ଚିତ ଭାବରେ ମୁଁ ସେମାନଙ୍କୁ ରାଜନୀତିରେ ଯୋଗ ଦେବା ପାଇଁ ଉତ୍ସାହିତ କରିବି। ଅନ୍ୟାନ୍ୟ ବୃତ୍ତି ଭଳି ରାଜନୀତିରେ ମଧ୍ୟ ସକାରାତ୍ମକ ବିଚାରଧାରା ରଖୁଥିବା ଯୁବକଯୁବତୀ ମାନଙ୍କର ଆବଶ୍ୟକତା ଅଛି।

ପ୍ରଶ୍ନ- ଏଠାରେ ଆପଣଙ୍କର ପରିବାର କିଂବା ଘନିଷ୍ଠ ବନ୍ଧୁ କେହି ନାହାନ୍ତି। ଅଧିକାଂଶ ସମୟ ଆପଣ ଓଡ଼ିଶାରେ ବିତାଉଛନ୍ତି। ଆପଣ ସମୟ ବାହାର କରି ଛୁଟି ମନାଇବା ପାଇଁ ମଧ୍ୟ ଯାଆନ୍ତି ନାହିଁ। ଆପଣଙ୍କୁ କ’ଣ କେବେ ଏକଲା ଲାଗେନାହିଁ?
ଉତ୍ତର- ସାଢ଼େ ଚାରିକୋଟି ଓଡ଼ିଆ ହେଉଛନ୍ତି ମୋର ପରିବାର। ସେମାନେ ମୋତେ ଅହେତୁକ ଭଲପାଇବା ଦେଇଛନ୍ତି। ସେମାନଙ୍କ ପାଇଁ ମୁଁ ମୋର ସମସ୍ତ ସମୟ ନିୟୋଜିତ କରିବାକୁ ଚାହେ। ସେଥିପାଇଁ ମୁଁ କାମରେ ନିଜକୁ ବ୍ୟସ୍ତ ରଖେ।

ନବୀନବାବୁଙ୍କ ଉତ୍ତରଗୁଡ଼ିକ ଯଦିଓ ସଂକ୍ଷିପ୍ତ ଥିଲା, ସେ ଖୁସିରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ଆମର ଅନୁରୋଧ ରକ୍ଷା କରି ଆମ ସହିତ ମଧ୍ୟ ଫଟୋ ନେଇଥିଲେ। ଫେରିବା ସମୟରେ ମୁଁ ତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇ କହିଥିଲି- ‘‘ଆଶା କରୁଛି ଏ ସାକ୍ଷାତକାରକୁ ଆପଣ ଉପଭୋଗ କରିଥିବେ। ଓଡ଼ିଆ ଗଣମାଧ୍ୟମକୁ ଆପଣଙ୍କର ଏହି ପ୍ରଥମ ସାକ୍ଷାତକାର ଶେଷ ନ ହେଉ ଏବଂ ଭବିଷ୍ୟତରେ ଆହୁରି ଅନେକ ସାକ୍ଷାତକାରର ବାଟ ଖୋଲିଦେଉ।’’

(୧୯୮୬ ମାର୍ଚ୍ଚ ୯ ତାରିଖ ‘ସମ୍ବାଦ’ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଦୀର୍ଘ ସାକ୍ଷାତକାର ପ୍ରକାଶ ପାଇଥିଲା। ୩୧ ବର୍ଷ ପରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କନ୍ୟା ତନୟା ପଟ୍ଟନାୟକଙ୍କ ଏହି ସାକ୍ଷାତକାର ଏକ ଉଲ୍ଲେଖନୀୟ ସଂଯୋଗ।)

 

ସମ୍ବନ୍ଧିତ ଖବର