‘ନିନ୍ଦୁକମାନେ ସବୁଠୁ ବଡ଼ ସମ୍ପଦ’

ଓଡ଼ିଆ ନବବର୍ଷ ଉପଲକ୍ଷେ ରେଡ଼ିଓ ଚକୋଲେଟ୍‌ ତରଫରୁ ସମ୍ବାଦ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାରର ସମ୍ପାଦିତ ଅଂଶ

ଆପଣଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା।
ମୁଁ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ନୂଆବର୍ଷ ପାଳନ କରିବାର ପରମ୍ପରା ରହିଛି, ତେଣୁ ପାଳନ କରାଯାଉ। କିନ୍ତୁ ମୋ ପାଇଁ ପ୍ରତିଦିନ ଗୋଟିଏ ନୂଆ ଦିନ। ତେଣୁ ନୂଆବର୍ଷ ଅପେକ୍ଷା ପ୍ରତିଟି ଦିନକୁ ଏକ ନୂଆ ଦିନ ଭାବରେ ପାଳନ କରିବା ଦରକାର। ପ୍ରତିଦିନ ସକାଳୁ ଈଶ୍ୱରଙ୍କୁ ପ୍ରାର୍ଥନା କରି ଦିନଟି କେମିତି ଭଲରେ କଟିବ ଓ ଭଲ କଥା ହୋଇପାରିବ, ତାହା ଚିନ୍ତା କରିବା କଥା।

ରାଜ୍ୟସଭା ସାଂସଦ ଭାବେ ଆପଣ ଶପଥ ଗ୍ରହଣ କରିସାରିଛନ୍ତି। କିପରି ଅନୁଭବ କରୁଛନ୍ତି।
ରାଜ୍ୟସଭାରେ ସାଂସଦ ଭାବରେ ଶପଥ ଗ୍ରହଣ କରିବା ଯେ କୌଣସି ଓଡ଼ିଆ ବ୍ୟକ୍ତି ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର କଥା। ଏଭଳି ଏକ ସୁଯୋଗ ପାଇଥିବାରୁ ମୁଁ ନିଶ୍ଚିତ ଭାବରେ ଗର୍ବିତ। ଯେଭଳି ରାଜନୈତିକ ଧାରାରେ ମୁଁ ବଢ଼ିଆସିଛି, ନିଜକୁ ଚଳେଇ ଆସିଛି, ତାକୁ ଲକ୍ଷ୍ୟ କଲେ ମୁଁ ସର୍ବପ୍ରଥମେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିବି। ଏହି ସୁଯୋଗଟି ଦଳ ତରଫରୁ ସେ ମୋତେ ଦେଇଛନ୍ତି। ଦଳରେ ଗ୍ରହଣ କରିବାର ମାତ୍ର ସାତ ଘଣ୍ଟା ପରେ ମୋତେ ରାଜ୍ୟସଭା ସାଂସଦ ଭାବରେ ମନୋନୀତ କରିଥିଲେ। ଦଳର ବିଧାୟକ ସଂଖ୍ୟା ଯଥେଷ୍ଟ ଥିବାରୁ ନିର୍ବାଚନର ମଧ୍ୟ କୌଣସି ଆବଶ୍ୟକତା ପଡ଼ିଲା ନାହିଁ। ଏସବୁ ଦୃଷ୍ଟିରୁ ତାଙ୍କ ନିକଟରେ ମୁଁ କୃତଜ୍ଞ। ମୁଁ ରାଜ୍ୟସଭାକୁ ନିର୍ବାଚିତ ହେଲାପରେ କିଛି ବନ୍ଧୁ ଅତ୍ୟନ୍ତ କଟୁ ଭାଷାରେ ଘୋର ସମାଲୋଚନା ଏବଂ ଆକ୍ଷେପ କରିଥିଲେ। ଏବେ ସମ୍ବର୍ଦ୍ଧନା ଏବଂ ଶୁଭେଚ୍ଛାର ସୁଅ ଛୁଟୁଛି। ମୁଁ ନିନ୍ଦୁକ ବନ୍ଧୁମାନଙ୍କୁ ମଧ୍ୟ ନିନ୍ଦା କରିବି ନାହିଁ, କାରଣ ନିନ୍ଦୁକମାନେ ହେଉଛନ୍ତି ସବୁଠୁ ବଡ଼ ସମ୍ପଦ। ଏହାଦ୍ୱାରା ନିଜ ଭୁଲଭଟକା ପ୍ରତି ଆମେ ସଚେତନ ହୋଇପାରିବା। ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଆଉଥରେ କୃତଜ୍ଞତା ଜଣାଇବି ଏଇଥିପାଇଁ ଯେ ଏହି ଘଟଣାଟି ଘଟିନଥିଲେ ମୁଁ ଜାଣିନଥାନ୍ତି ଯେ ମୋର ଏତେ ଶୁଭେଚ୍ଛୁ ଅଛନ୍ତି ତଥା ମୋତେ ଭଲ ପାଉଛନ୍ତି।

ଭାଷାଜ୍ଞାନ, ରକ୍ତଦାନ ଓ ମତଦାନ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ଆପଣ ବ୍ୟସ୍ତ ରହିଥାନ୍ତି। ଏବେ କ’ଣ ଯୋଜନା ରଖିଛନ୍ତି?
ରାଜ୍ୟସଭାକୁ ଗଲାପରେ ହଠାତ୍‌ କିଛି ଗୋଟେ ନୂଆକଥା ହେଲା ବୋଲି ମୁଁଁ ଭାବୁନାହିଁ। ମୁଁ ବିଶ୍ୱାସ କରେ ଯିଏ ଯୋଉଠି ବା ଯୋଉ ଦଳରେ ଥାଉନା କାହିଁକି ସେହି ପରିବେଶ ଓ ଦଳକୁ ଅଧିକ ମଜଭୁତ ଓ ସମୃଦ୍ଧ କରିବା ପାଇଁ ସେ ଚେଷ୍ଟା କରିବା ଦରକାର। ରାଜ୍ୟସଭାକୁ ଯିବାପରେ ମୋର ଦାୟିତ୍ୱ ଅଧିକ ବଢ଼ିଛି। ରାଜ୍ୟର ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ। ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିବୁ। ବହୁଦିନ ହେଲା ମୁଁ କହିଆସୁଛି, ରାଜନୀତି ତଥା ସାମାଜିକ ବ୍ୟବସ୍ଥାରେ ଦଳ ଓ ବ୍ୟକ୍ତିକୁ ଆମେ ଯେତିକି ପ୍ରାଧାନ୍ୟ ଦେଉଛୁ ପ୍ରସଙ୍ଗଗୁଡ଼ିକୁ ତାଠାରୁ ଅଧିକ ପ୍ରାଧାନ୍ୟ ଦେବା ଦରକାର। ଆମେ ପ୍ରସଙ୍ଗଗୁଡ଼ିକୁ ଚିହ୍ନଟ କରି ତାହାରି ଅନୁସାରେ ସଙ୍ଗଠିତ ହେଲେ; ମତ, ମନ୍ତବ୍ୟ ତଥା ପରିବେଶକୁ ତିଆରି କଲେ, ପ୍ରସଙ୍ଗ ଅନୁକୁଳ ବାତାବରଣ ସୃଷ୍ଟି ହେବ। ବିଗତ ଦିନରେ ଯେଉଁ ପ୍ରସଙ୍ଗଗୁଡ଼ିକୁ ନେଇ ନିଜ ଅନୁଷ୍ଠାନ ମାଧ୍ୟମରେ ମୁଁ ଲଢ଼େଇ କରିଆସୁଥିଲି, ସେହି କଥାଗୁଡ଼ିକୁ ନେଇ ସଂଗ୍ରାମ ଜାରି ରହିବ। ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାର ଆବଶ୍ୟକତା ରହିଛି। ଆମ ରାଜ୍ୟରେ ସବୁ ଅଛି, କିନ୍ତୁ ଆମକୁ ପଛୁଆ ରାଜ୍ୟ ଭାବରେ ଗଣନା କରାଯାଉଛି। ଗୋଟିଏ ସଂଘୀୟ ବ୍ୟବସ୍ଥାରେ ଆମକୁ ଅଧିକ ସୁବିଧା ସୁଯୋଗ ଦିଆନଗଲେ ଆମେ ଆଗକୁ ବଢ଼ିପାରିବା ନାହିଁ। ଈଶ୍ୱର ମୋତେ ଯେତିକି ବୁଦ୍ଧି, ବିବେକ ଓ ସାମର୍ଥ୍ୟ ଦେଇଛନ୍ତି ତାହାକୁ ଉପଯୋଗ କରି ତଥ୍ୟ, ପ୍ରମାଣ ଓ ଯୁକ୍ତିି ବଳରେ ଓଡ଼ିଶା ପ୍ରତି ଥିବା କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ପରିବର୍ତ୍ତନ କରିବାକୁ ଉଦ୍ୟମ କରିବି।

ଆପଣ ଆଗରୁ ମଧ୍ୟ ବିଭିନ୍ନ ଦଳରେ ଥାଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରିଆସୁଥିଲେ। ସବୁବେଳେ ଆପଣ ଓଡ଼ିଆ ଜାତି ପାଇଁ କିଛି କରିବାକୁ ତତ୍ପର ଅଛନ୍ତି। ଏହା କେଉଁ ଅଦୃଶ୍ୟ ଶକ୍ତିର ନିର୍ଦ୍ଦେଶ ନୁହେଁ ତ?
ଏହା ଏକ ସୁଯୋଗ ବୋଲି ମୁଁ ଭାବୁଛି। ଏହା ପୂର୍ବରୁ ମୁଁ ବିଭିନ୍ନ ଦଳରେ ଥିଲି, କିନ୍ତୁ କୌଣସି ଦଳରେ ମୁଁ ଭଲ ଭାବରେ ରହିପାରି ନାହିଁ। ଦଳମାନଙ୍କର ବେମାରୀ ନା ମୋର ବେମାରୀ ତାହା ମୁଁ ଜାଣିନାହିଁ। କଂଗ୍ରେସ ପରିବାରରେ ଜନ୍ମ, ସେହି ଦଳରେ ମଧ୍ୟ ଥିଲି। କଂଗ୍ରେସ ମୋତେ ସୁଯୋଗ ଦେଇଥିଲେ ମଧ୍ୟ ଆଗକୁ ଯିବାକୁ ସମର୍ଥନ ଦେଲା ନାହିଁ। କଂଗ୍ରେସକୁ ମଜଭୁତ କରିବା ପାଇଁ ଚେଷ୍ଟା କରୁଥିବାବେଳେ ବିନା କାରଣରେ ମୋତେ ବହିଷ୍କାର କରାଗଲା। ଜଣେ ସ୍ୱାଭିମାନୀ ଲୋକ ହିସାବରେ ତାକୁ ମୁଁ ସ୍ୱାଗତ କରିଥିଲି। ଆଜି କଂଗ୍ରେସ ଦଳର ଅବସ୍ଥା କଥା ସମସ୍ତେ ଜାଣନ୍ତି। ମୋତେ ବହିଷ୍କାର କରିଥିବାରୁ ମୁଁ ଦୁଃଖିତ ନୁହେଁ, କିନ୍ତୁ କଂଗ୍ରେସର ଦୁରାବସ୍ଥାକୁ ନେଇ ମୁଁ ଦୁଃଖିତ। ମହାତ୍ମା ଗାନ୍ଧୀଙ୍କ ଦଳ, ଦେଶକୁ ସ୍ୱାଧୀନତା ଆଣିଦେଇଥିବା ଦଳ ଆଜି ସାଧାରଣ ଲୋକଙ୍କ ଦ୍ୱାରା ଯେଭଳି ଭାବରେ ନିନ୍ଦିତ ହେଉଛି, ତାହା ବରଦାସ୍ତ କରିହେଉନାହିଁ। କଂଗ୍ରେସ ପରେ ଯେଉଁ ଅନ୍ୟ ଦଳକୁ ଯାଇଥିଲି ସେଠାରେ ମଧ୍ୟ ମୁଁ ଚାହୁଁଥିବା ଢଙ୍ଗରେ କାମ କରିବା ସମ୍ଭବ ହେଲା ନାହିଁ। ଶେଷରେ ଏବେ ବିଜେଡିକୁ ଆସିଛି। ମୁଁ ଯେଉଁ ପ୍ରସଙ୍ଗଗୁଡ଼ିକୁ ନେଇ କହୁଛି, ଲୋକଙ୍କ ସହିତ ଯୋଡ଼ି ହେବା ପାଇଁ ଚାହୁଛି ବା ରାଜନୀତି କରୁଛି, ଏହାକୁ ବିଚାର କଲେ ଅନ୍ୟମାନଙ୍କ ଅପେକ୍ଷା ବିଜେଡି ସହିତ ଅଧିକ ମନ ମିଳୁଛି।

ଏବେ ସରକାରୀ ସ୍ତରରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ତତ୍ପରତା ଦେଖାଦେଇଛି। କ’ଣ କଲେ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆ ଭାଷା ବ୍ୟବହାର ହୋଇପାରିବ?
ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶା ସରକାର କ୍ରାନ୍ତିକାରୀ ନିଷ୍ପତ୍ତି ନେଇଛନ୍ତି। ତାହା ଯେଉଁ ଢଙ୍ଗରେ ନିଆଗଲା ତାହାକୁ ମଧ୍ୟ ଆମେ ସମସ୍ତେ ଲକ୍ଷ୍ୟ କରିବା କଥା। ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀକ୍ଷେତ୍ର ପୁରୀଠାରେ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଓଡ଼ିଆ ଭାଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସବୁ ନେଇଛନ୍ତି। ସରକାରୀ ସ୍ତରରେ ଓଡ଼ିଆ ଭାଷା ଯିଏ ବ୍ୟବହାର କରିବ ତାହାକୁ ପୁରସ୍କାର ଦେବା ସହିତ ଯିଏ ବ୍ୟବହାର କରିବ ନାହିଁ ତାହାକୁ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି। ଏସବୁ ବହୁ ଆଗରୁ ହେବାର ଥିଲା, କିନ୍ତୁ ବିଳମ୍ବେ କାର୍ଯ୍ୟ ସିଦ୍ଧି। ସବୁ କଥାକୁ କେବଳ ସରକାର କରିବେ ବୋଲି ଛାଡ଼ିଦେଇ ଆମେ ଚୁପ୍‌ ରହିଲେ ହେବ ନାହିଁ। ବାହାଘରର ନିମନ୍ତ୍ରଣ ପତ୍ର ଠାରୁ ଆରମ୍ଭ କରି ସବୁ ପ୍ରକାରର ସାମାଜିକ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ବ୍ୟବହାର କରାଗଲେ ଭାଷା ବଞ୍ଚିବ। ଏବର ପିଲାମାନଙ୍କ ମନ ଭିତରେ ଓଡ଼ିଆ ଭାଷା ପ୍ରତି ରୁଚି ତିଆରି କରିବାକୁ ହେଲେ ତାଙ୍କ ଢଙ୍ଗରେ ଭାଷାକୁ ଉପସ୍ଥାପନ କରିବାକୁ ପଡ଼ିବ। ପିଲାମାନେ କାରିଗରୀ କୌଶଳକୁ ସହଜରେ ଗ୍ରହଣ କରିପାରୁଛନ୍ତି, ସେହି କୌଶଳ ଉପଯୋଗ କରି ଆମେ ପିଲାଙ୍କ ମନରେ ଭାଷା ଓ ସାହିତ୍ୟ ପ୍ରତି ଅନୁରାଗ ଜନ୍ମାଇ ପାରିବା।

ସ୍କୁଲରେ ପିଲାମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ହେଉଥିବାରୁ ସେମାନଙ୍କ ଭାଷାଜ୍ଞାନ ବଢୁଥିଲା। ଆଜିକାଲି ବିନା ଇଂରାଜୀ ଶବ୍ଦ ବ୍ୟବହାର କରି କଥାଟିଏ କହିବା ଅସମ୍ଭବ ମନେ ହେଉଛି। ସମସ୍ୟା କେଉଁଠି ରହିଛି? ସମାଧାନ କିପରି ହେବ।
ଭାଷା ଉପରେ ଲୋକଙ୍କ ଦଖଲ କମି କମି ଯାଉଛି। ଏହା ଏକ ସମସ୍ୟା। ପିଲା ସ୍କୁଲରେ ପାଠ ପଢୁଥିବା ସମୟରୁ ଏ ସମସ୍ୟା ସମାଧାନ ହୋଇଗଲେ କିଛି ଅସୁବିଧା ହୁଅନ୍ତା ନାହିଁ। କିନ୍ତୁ ଆମେ ଏକ ବିରାଟ ସମୟ ଖଣ୍ଡ ହରାଇସାରିଛୁ। ଅଧିକ ପିଲା କେମିତି ସ୍କୁଲକୁ ଯିବେ, ସେଥିରେ ଗୁରୁତ୍ୱ ଦେଲୁ। ଅଧିକ ପିଲା କେମିତି ଭଲ ପାଠ ପଢିବେ, ସେଥିରେ ଯେତିକି ଗୁରୁତ୍ୱ ଦେବା କଥା ଦେଲୁନି। ଅଧିକ ସ୍କୁଲ ଖୋଲାଗଲା, କିନ୍ତୁ ସେହି ଅନୁପାତରେ ଶିକ୍ଷକ ନିଯୁକ୍ତି ହୋଇପାରିଲା ନାହିଁ। ସ୍କୁଲରେ ଅଣ୍ଡା ଦିଆଗଲା, ଦଣ୍ଡ ଦିଆଗଲା ନାହିଁ। ଏସବୁର ଫଳସ୍ୱରୂପ ଅଷ୍ଟମ ଶ୍ରେଣୀର ପିଲା ପଞ୍ଚମ ଶ୍ରେଣୀର ପାଠକୁ ମଧ୍ୟ ଆୟତ୍ତ କରିପାରୁ ନାହିଁ। ଏହା ଏକ ଚିନ୍ତାଜନକ ବିଷୟ। ଧନୀ ଲୋକେ ବେସରକାରୀ ସ୍କୁଲରେ ଅଧିକ ପଇସା ଦେଇ ନିଜ ପିଲାଙ୍କ ପାଇଁ କିଛି ପରିମାଣରେ ଉଚିତ ଶିକ୍ଷାର ବ୍ୟବସ୍ଥା କରିପାରୁଛନ୍ତି। ଅଶୀରୁ ନବେ ପ୍ରତିଶତ ପିଲା ପଢୁଥିବା ସ୍କୁଲର ସାମର୍ଥ୍ୟ କମିଗଲେ, ତାଙ୍କୁ ନେଇ ନୂଆ ଓଡ଼ିଶା ଗଢ଼ିବା ସମ୍ଭବ ନୁହେଁ। ସ୍କୁଲରେ ଭଲ ଶିକ୍ଷାଦାନ ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି। ଏଇ ଦାୟିତ୍ୱ ଭିତରେ ଆମେ ଅନୁଷ୍ଠାନ, କାର୍ଯ୍ୟାଳୟ ତଥା ବେସରକାରୀ ସ୍ତରରେ ଭାଷାଜ୍ଞାନ ପ୍ରତିଯୋଗିତାକୁ ମଧ୍ୟ ଯୋଡ଼ି ଦେଇପାରିବା।

 

ଓଡ଼ିଆ ନବବର୍ଷ ଅବସରରେ ଓଡ଼ିଶାବାସୀଙ୍କୁ ଆପଣ କି ବାର୍ତ୍ତା ଦେବେ?
ଓଡ଼ିଆ ନବବର୍ଷ ଅବସରରେ ଆମ ଅତୀତକୁ ଟିକିଏ ତର୍ଜମା କରିବା ଏବଂ ଭବିଷ୍ୟତ ସମ୍ପର୍କରେ ସଙ୍କଳ୍ପ ନେବା। ଆମେ ଓଡ଼ିଆ ଭାଷା ବ୍ୟବହାର କରୁଥିବାରୁ ତଥା ଜଗନ୍ନାଥ ଆମ ଆରାଧ୍ୟ ଦେବତା ହୋଇଥିବାରୁ ଆମର ସ୍ୱତନ୍ତ୍ର ପରିଚିୟ ରହିଛି। ଆମେ ଓଡ଼ିଆ ଭାଷାକୁ ଅଧିକ ବ୍ୟବହାର କରିବା ସହିତ ଅଧିକ ଜଗନ୍ନାଥପ୍ରେମୀ ହେବା। ଜଗନ୍ନାଥପ୍ରେମୀ ହେବା ଅର୍ଥ ପୂଜାପାଠ କଥା କହୁନାହିଁ। ବରଂ ଜଗନ୍ନାଥ ଚେତନାର କଥା କହୁଛି। ଜାତିଆଣ ମନୋଭାବ ପରିହାର କରିବା, କୌଣସି ଧର୍ମକୁ ଅଗ୍ରାଧିକାର ଦେଇ ଅନ୍ୟକୁ ଛୋଟ କରି ଦେଖିବା ନାହିଁ। ଆମେ କେବଳ ଭକ୍ତ ସାଲବେଗଙ୍କ ଭଜନ ନ ଗାଇ ତାଙ୍କୁ ଭାଇ ବୋଲି ଗ୍ରହଣ କରିବାକୁ ପଡ଼ିବ। କିଛି ବିଦେଶୀ ଶକ୍ତି ମାଧ୍ୟମରେ ଯେଉଁମାନେ ଆମକୁ ଖଣ୍ଡଖଣ୍ଡ କରିବାକୁ ଉଦ୍ୟମ କରୁଛନ୍ତି, ତାହା ଆମେ କରିବାକୁ ଦେବା ନାହିଁ।

ଅନାହାର ସମସ୍ୟାକୁ ଯେଭଳି ଆମେ ଅତିକ୍ରମ କରିପାରିଛୁ ସେଭଳି ବିକାଶ ପାଇଁ ଆମେ ଅଗ୍ରସର ହେବା। ନୂଆ ଓଡ଼ିଶା ନିର୍ମାଣ କରିବା, ଯାହାକି ସାରା ବିଶ୍ୱକୁ ଦିଗଦର୍ଶନ ଦେବ। ଜାତି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଭାବରେ ଗଢ଼ି ତୋଳିବାର ସଙ୍କଳ୍ପ ନେବା। ନୂଆ ବର୍ଷଟିକୁ ଏଇଭଳି କଥା ସବୁ ଚିନ୍ତା କରିବାରେ ଅଧିକ ବିନିଯୋଗ କରିବି। ଯୁବକମାନଙ୍କ ପାଇଁ ଶେଷରେ ଦୁଇଟି କଥା କହିବି, ଆସନ୍ତୁ ଓଡ଼ିଆ ଭାଷାକୁ ବ୍ୟବହାର କରିବା ଏବଂ ନିଜ ଜନ୍ମଦିନରେ କିମ୍ବା ଅନ୍ୟ କୌଣସି ବିଶେଷ ଦିନରେ ଅନ୍ତତଃ ଗୋଟିଏ ୟୁନିଟ୍‌ ରକ୍ତ ଦାନ କରିବାର ସଙ୍କଳ୍ପ ନେବା।

ସମ୍ବନ୍ଧିତ ଖବର