ବିଜେପୁର ଏନ୍‌ଏସି ଅଫିସ୍‌ରେ ଲାଞ୍ଚ କାରବାର : ନିର୍ବାହୀ ଅଧିକାରୀ, ଆକାଉଣ୍ଟାଣ୍ଟ ଗିରଫ

ବରଗଡ଼/ବିଜେପୁର : ଲାଞ୍ଚ ନେଉଥିବାବେଳେ ବରଗଡ଼ ଜିଲ୍ଲା ବିଜେପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ରୁକ୍ମଣ ମେହେର ଏବଂ ଆକାଉଣ୍ଟାଣ୍ଟ ମାନସ ଦାସଙ୍କୁ ସମ୍ବଲପୁର ଡିଭିଜନ୍‌ ଭିଜିଲାନ୍ସ ବିଭାଗ ଗିରଫ କରିଛି।

ଭିଜିଲାନ୍ସ ବିଭାଗଠାରୁ ମିଳିଥିବା ଖବର ଅନୁସାରେ, ସମ୍ବଲପୁର ଜିଲ୍ଲା ଧମା ଗାଁର ଡ. ମଦନ ମେହେରଙ୍କ ବଲୋରୋ ବିଜେପୁର ଏନ୍‌ଏସି ଦପ୍ତରରେ ଭଡ଼ାରେ ଲାଗିଥିଲା। ଭଡ଼ା ବିଲ୍‌ ବାବଦକୁ ଚେକ୍‌ ଦେବା ପାଇଁ ଡ. ମେହେର ଏନ୍‌ଏସି ଅଫିସ୍‌ ଯାଇଥିଲେ। ତେବେ ତାଙ୍କୁ ଆକାଉଣ୍ଟାଣ୍ଟ ମାନସ ଦାସ ୧୪ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମଂଗଳବାର ଡ. ମେହେର ୧୪ହଜାର ଟଙ୍କା ନେଇ ଏନ୍‌ଏସି ଅଫିସ୍‌ ଯାଇଥିଲେ। ନଗଦ ୧୪ ହଜାର ଟଙ୍କା ଆକାଉଣ୍ଟାଣ୍ଟ ଶ୍ରୀ ଦାସଙ୍କୁ ଦେଇଥିଲେ। ସେ ୧୨ହଜାର ଟଙ୍କା ନିଜ ଡ୍ରୟର୍‌ରେ ରଖି ବଳକା ୨ହଜାର ଟଙ୍କା ଡ. ମେହେରଙ୍କୁ ଫେରାଇ ଦେଇଥିଲେ। ଉକ୍ତ ୨ହଜାର ଟଙ୍କା ନିର୍ବାହୀ ଅଧିକାରୀ ରୁକ୍ମଣ ମେହେରଙ୍କୁ ଦେବାକୁ କହିଥିଲେ। ଡ. ମେହେର ୨ହଜାର ଟଙ୍କା ନେଇ ଶ୍ରୀ ମେହେରଙ୍କ ପାଖକୁ ଯାଇଥିଲେ। ହେଲେ, ଶ୍ରୀ ମେହେର ଟଙ୍କା ଆକାଉଣ୍ଟାଣ୍ଟକୁ ଦେଇଦେବାକୁ କହିଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲା। ଲାଞ୍ଚ ବାବଦକୁ ଅସୁଲ ହୋଇଥିବା ୧୪ହଜାର ଟଙ୍କା ଜବତ କରିଥିଲା। ବରଗଡ଼ ଭଟଲି ଛକସ୍ଥିତ ନିର୍ବାହୀ ଅଧିକାରୀ ଶ୍ରୀ ମେହେରଙ୍କ ଭଡ଼ାଘର ଏବଂ ଆକାଉଣ୍ଟାଣ୍ଟ ଶ୍ରୀ ଦାସଙ୍କ ସୁବର୍ଣ୍ଣନଗରସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲା। ଉଭୟ ନିବାହୀ ଅଧିକାରୀ ଏବଂ ଆକାଉଣ୍ଟାଣ୍ଟଙ୍କୁ ଭିଜିଲାନ୍ସ ଟିମ୍‌ ଗିରଫ କରିଛି।

ସମ୍ବନ୍ଧିତ ଖବର