ନବରଙ୍ଗପୁରରେ ଫେରିବ କଂଗ୍ରେସ, ବିଧାନସଭାରେ ବିଜେପିକୁ ମିଳିପାରେ ୩, ବିଜେଡି-କଂଗ୍ରେସକୁ ୨-୨ ଆସନ

ଭୁବନେଶ୍ୱର: ଆସିଲା ୧୯ ଯୁଦ୍ଧର ଏକଜିଟ୍‌ ପୋଲ୍‌ ରିପୋର୍ଟ । ସମ୍ବାଦ ଓ କନକ ନ୍ୟୁଜ୍‌ ତରଫରୁ ହୋଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଆଧାରରେ ନବରଙ୍ଗପୁର ଲୋକସଭା ଆସନରେ ପୁଣି କମବ୍ୟାକ୍‌ କରିପାରେ କଂଗ୍ରେସ। ଆଉ ବିଜେଡିକୁ ମାତ୍‌ ଦେଇ ପୁରୁଣା ଗଡ଼କୁ ଫେରିପାଇବାକୁ ସକ୍ଷମ ହୋଇପାରନ୍ତି କଂଗ୍ରେସର ପ୍ରଦୀପ ମାଝୀ ବୋଲି ଏକଜିଟ୍‌ ପୋଲ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି। ଅପରପକ୍ଷେ ବିଜେଡି ଓ ବିଜେପି ମଧ୍ୟରୁ କାହାକୁ ଏଥର ଭରସା କରିନାହାନ୍ତି ନବରଙ୍ଗପୁରବାସୀ ବୋଲି ସର୍ଭେ ରିପୋର୍ଟରୁ ଭୋଟରଙ୍କ ମୁଡ୍‌ କହୁଛି।

୨୦୧୯ ନିର୍ବାଚନ ପରେ ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେପି ଆଗରେ ରହିପାରେ। ଆଉ ଏହି ୭ଟି ବିଧାନସଭା କ୍ଷେତ୍ରରୁ ବିଜେପି ଖାତାକୁ ୩ଟି ଏବଂ ବିଜେଡି ଓ କଂଗ୍ରେସକୁ ଦୁଇଟି ଲେଖାଏଁ ବିଧାନସଭା ସିଟ୍‌ ମିଳିପାରେ ବୋଲି ରିପୋର୍ଟ କହୁଛି।

ଉମରକୋଟରେ ବିଜେଡିକୁ ଚିତ୍‌ କରିପାରେ ବିଜେପି
ସେହିପରି ଏକଜିଟ୍‌ ପୋଲ ରିପୋର୍ଟ ମୁତାବକ, ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଉମରକୋଟ ବିଧାନସଭା କ୍ଷେତ୍ରରେ ହ୍ୟାଟ୍ରିକ୍‌ ମାରିବାକୁଥିବା ବିଜେଡି ଆଶାକୁ ପାଣିଚିଆ କରିପାରେ ବିଜେପି।

ଝରିଗାଁ ଆସନକୁ କବଜା କରିପାରେ ବିଜେଡି
ଅନ୍ୟପଟେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଝରିଗାଁ ବିଧାନସଭା ଆସନକୁ ପୁଣି କବଜା କରିପାରେ ବିଜେଡି ବୋଲି ସର୍ଭେ ରିପୋର୍ଟ କହୁଛି। କାରଣ ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ ବିଜେଡି ଏଠାରେ ବିଜୟବାନା ଉଡ଼ାଇଆସିଥାବାବେଳେ ଏଥର ମଧ୍ୟ ଏହାକୁ ରିପିଟ୍‌ କରିପାରେ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି।

ସଦର ଆସନରେ ବିଜେଡ଼ିର ସଂକଟ ବଢ଼ାପାରେ ବିଜେପି
ସେହିଭଳି ନବରଙ୍ଗପୁର ବିଧାନସଭା କ୍ଷେତ୍ରକୁ ନିଜ ଗଡ଼ କରି ରଖିଥିବା ବିଜେଡି ପାଇଁ ଏଥର ସଙ୍କଟ ହୋଇପାରେ ବିଜେପି। ଆଉ ଶଙ୍ଖ ଦୁର୍ଗକୁ ଭାଙ୍ଗି ବିଜେପି ପଦ୍ମ ଫୁଟାଇପାରେ ବୋଲି ଏଗଜିଟ୍‌ ରିପୋର୍ଟ କହୁଛି।

ଡାବୁଗାଁରେ କଂଗ୍ରେସ ପାଇଁ ସୁଯୋଗ ଆସିପାରେ
ଅପରପକ୍ଷେ ସମ୍ବାଦ ଓ କନକ ନ୍ୟୁଜ୍‌ ତରଫରୁ ହୋଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଆଧାରରେ ଡ଼ାବୁଗାଁରେ କଂଗ୍ରେସ ତାର ଦୁର୍ଗ ବଞ୍ଚାଇ ରଖିପାରେ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି।

କୋଟପାଡରେ କଂଗ୍ରେସ ଦୁର୍ଗ ଭାଙ୍ଗିପାରେ ବିଜେଡି !
ସେହିପରି କୋଟପାଡ଼ ବିଧାନସଭା କ୍ଷେତ୍ରରେ କଂଗ୍ରେସର ଦୁର୍ଗ ଭାଙ୍ଗି ବିଜୟଟୀକା ପିନ୍ଧିପାରେ ବିଜେଡି ବୋଲି ଏଗଜିଟ୍‌ ପୋଲ ରିପୋର୍ଟରୁ ଅଶଙ୍କା କରାଯାଉଛି। ଆଉ ଏଠାରେ ବିଜେପି ପରାଜୟର ଦ୍ୱାର ଦେଖିପାରେ ବୋଲି ରିପୋର୍ଟ କହୁଛି।

ମାଲକାନଗିରିରେ ବିଜେଡିକୁ ଅଟକାଇପାରେ ବିଜେପି 
ରିପୋର୍ଟ ଆଧାରରେ, ମାଲକାନଗିରି ବିଧାନସଭା ଆସନରେ ବିଜେଡିର ବିଜୟ ରଥରେ ବ୍ରେକ୍‌ ଲଗାଇପାରେ ବିଜେପି। ଆଉ ବିଜେଡି ଦୁର୍ଗ ଭେଦି ଏଥର ପଦ୍ମ ଫୁଟାଇବାର ସମ୍ଭାବନା ରହିଛି।

ଚିତ୍ରକୋଣ୍ଡାରେ ବିଜେତା ହୋଇପାରେ କଂଗ୍ରେସ
ସେହିପରି ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଚିତ୍ରୋକୋଣ୍ଡା ବିଧାନସଭା ଆସନରେ ୨୦୧୯ ଯୁଦ୍ଧର ବିଜେତା କଂଗ୍ରେସ ହୋଇପାରେ ବୋଲି ଏକଜିଟ୍‌ ପୋଲ ସର୍ଭେ କହୁଛି। ତେବେ ପ୍ରତି ନିର୍ବାଚନରେ ମୁଡ୍‌ ବଦଳାଉଥିବା ଚିତ୍ରୋକୋଣ୍ଡାବାସୀ ଏଥର କଂଗ୍ରେସ ହାତରେ କମାଣ ଧରାଇପାର‘ି ବୋଲି ରିପୋରର୍ଟରୁ ପୂର୍ବାନୁମାନ କରାଯାଉଛି।

ସମ୍ବନ୍ଧିତ ଖବର